ପ୍ରେମ ସଂପର୍କ ବିଷୟରେ ଘରେ ଜଣାଇଦେବି ବୋଲି କହିବାରୁ ୪ବର୍ଷର ଭାଇକୁ ହତ୍ୟା କଲା ଭଉଣୀ

ଚଣ୍ଡିଗଡ଼ : ପ୍ରେମ ପାଇଁ ଜଣେ ଭଉଣୀ ଭାଇ-ଭଉଣୀର ସଂପର୍କକୁ ଭୁଲି ଏପରି ପଦକ୍ଷେପ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନିଜ ପ୍ରେମ ସଂପର୍କ ବିଷୟରେ ପରିବାର ଲୋକେ ଜାଣିଯିବା ଡ଼ରରେ ୪ ବର୍ଷର ଭାଇର ଗଳା ଚିପି ହତ୍ୟା କରିଛି ଭଉଣୀ । ପଞ୍ଜାବରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଅଭିଯୁକ୍ତ ଭଉଣୀକୁ ଗିରଫ କରିଛି ପୁଲିସ । ଗିରଫ ପରେ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି । ଘଟଣାଟି ଲୁଧିଆନାର ଟିବ୍‌ବାରେ ଥିବା ଅମରଜିତ୍‌ କଲୋନିରେ ଘଟିଥିବା ସୂଚନା ମିଳିଛି । ମୃତକଙ୍କ ନାମ ଅଂଶ ବୋଲି ଚିହ୍ନଟ କରାଯାଇଥିବା ବେଳେ ଘର ବାହାରେ ଥିବା ନାଳରେ ଅଂଶଙ୍କ ମୃତଦେହ ମିଳିଥିଲା ବୋଲି ପୁଲିସ କହିଛି ।

ସୂଚନା ମୁତାବକ, ୪ବର୍ଷ ବୟସ ହୋଇଥିଲେ ମଧ୍ୟ ବୁଦ୍ଧିମାନ ଥିଲେ ଅଂଶ । ସବୁ ବେଳେ ସେ ନିଜ ଭଉଣୀ ରେଣୁ(୧୯)ଙ୍କ ଉପରେ ନଜର ରଖି ଆସୁଥିଲେ । ତାଙ୍କ ଭଉଣୀ ଖରାପ ଲୋକଙ୍କ ସହ ନ ମିଶୁ ସେ ନେଇ ଅଂଶ ନିଜ ଆଖି ସବୁ ବେଳେ ଖୋଲା ରଖିଥିଲେ । ପରେ ରେଣୁଙ୍କ ପ୍ରେମ ସଂପର୍କ ବିଷୟରେ ଜାଣିବା ପରେ ଅଂଶ ଘରେ କହିଦେବି ବୋଲି ଧମକ ଦେଇଥିଲେ । ଏଥିପାଇଁ ରେଣୁ ନିଜ ଭାଇଙ୍କୁ ହତ୍ୟା କରିବା ପାଇଁ ଯୋଜନା ତିଆରି କରିଥିଲେ । ଘରେ କେହି ନ ଥିବା ବେଳେ ଅକ୍ଟୋବର ୬ ତାରିଖରେ ରେଣୁ ନିଜ ଭାଇଙ୍କ ଗଳା ଚିପିି ହତ୍ୟା କରିବା ପରେ ନାଳରେ ଫିଙ୍ଗି ଦେଇଥିଲେ । ଘରେ ଅଂଶଙ୍କୁ ନ ପାଇ ମାତା-ପିତା ଚିନ୍ତା କରିବାରୁ ଅଂଶ ନିଖୋଜ ଥିବା କଥା କହିଥିଲେ ରେଣୁ । ପରେ ପୁଲିସରେ ଅଭିଯୋଗ କରାଯିବା ପରେ ତଦନ୍ତ ଆରମ୍ଭ କରାଯାଇଥିଲା । ଯାହା ପରେ ଅଂଶର ହତ୍ୟା ପଛରେ ଭଉଣୀ ରେଣୁର ହାତ ଥିବା ଜଣା ପଡ଼ିଥିଲା ।

ସମ୍ବନ୍ଧିତ ଖବର