ଖଣ୍ଡଗିରି : ନିସ୍ କଲେଜ ଛାତ୍ର ଜଗଜିତ୍ ଗଜେନ୍ଦ୍ରଙ୍କୁ ହୋଇଥିବା ପ୍ରାଣାନ୍ତକ ଆକ୍ରମଣ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଜଟଣୀ ଥାନା ଓ ଯାଁଳା ଫାଣ୍ଡି ପୁଲିସ ଜଣେ ନାବାଳକ ସମେତ ୬ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, କାଇମାଟିଆ ଗାଁର ସନ୍ଦୀପ ପରିଡ଼ା ଓରଫ ସାନୁ(୨୫), ମଦନପୁର ଗାଁର ସାର୍ଥକ ଜେନା(୧୯), କପିଳପ୍ରସାଦର ଦେବୀପ୍ରସାଦ ସେଠୀ ଓରଫ କିକି(୨୫), ସନ୍ଦୀପ ଦାଶ ଓରଫ ବଣ୍ଟି(୨୭) ଓ ଭୀମଟାଙ୍ଗୀ ଭଗବତ ସାହିର ସନ୍ତୋଷ ସେନାପତି ଓରଫ ସାଣ୍ଟା(୨୭)। ଡିପ୍ଲୋମା ଇଂଜିନିୟରିଂ କରୁଥିବା ନାବାଳକ ଅଭିଯୁକ୍ତକୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରାଯାଇଥିବା ବେଳେ ଅନ୍ୟମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ କିଛି ଅଭିଯୁକ୍ତ ଫେରାର୍ ଅଛନ୍ତି ଓ ସେମାନଙ୍କୁ ଗିରଫ କରିବା ପାଇଁ ଚଢ଼ଉ ଜାରି ରହିଛି।
ପୁଲିସ୍ ସୂଚନାନୁସାରେ, ଜଗଜିତ୍ଙ୍କୁ ହୋଇଥିବା ଆକ୍ରମଣ ପଛରେ ଏୟାରଫିଲ୍ଡ ଥାନା ଅମରେଶ ନାୟକ ହତ୍ୟାକାଣ୍ଡର ପ୍ରତିଶୋଧ ଥିଲା ମୂଳ ଉଦ୍ଦେଶ୍ୟ। ଅମରେଶ ନାୟକ ହତ୍ୟାକାଣ୍ଡରେ ଜଗଜିତ୍ଙ୍କ ଭାଇ ଜଗଦୀଶ ଜଣେ ଅଭିଯୁକ୍ତ ଓ ଏବେ ସେ ଗିରଫ ହୋଇ ବିଚାରାଧୀନ କଏଦୀ ଭାବେ ଜେଲ୍ରେ ଅଛନ୍ତି। ତେଣୁ ତାଙ୍କ ଭାଇ ଜଗଜିତ୍ଙ୍କୁ ଆକ୍ରମଣକାରୀମାନେ ଟାର୍ଗେଟ୍ କରିଥିଲେ ଏବଂ ୧୦ ତାରିଖ ଅମରେଶଙ୍କ ଜନ୍ମଦିନରେ ଆକ୍ରମଣ କରିଥିଲେ।
ଯୋଜନାନୁସାରେ, ଘଟଣା ଦିନ ନାବାଳକ ଅଭିଯୁକ୍ତ ସମେତ ଅନ୍ୟ ଜଣେ କଲେଜ ମୁଖ୍ୟ ଫାଟକରେ ମାରଣାସ୍ତ୍ର ଧରି ଅପେକ୍ଷା କରିଥିବା ବେଳେ ଅନ୍ୟମାନେ ରାସ୍ତା ଉପରେ ଅପେକ୍ଷା କରିଥିଲେ। ଜଗଜିତ୍ ବାହାରକୁ ଆସିବା ମାତ୍ରେ ନାବାଳକ ଅଭିଯୁକ୍ତ ପ୍ରଥମେ ଆକ୍ରମଣ କରିଥିଲା ଓ ସେ ଦୌଡ଼ି ପଳାଇବାକୁ ଉଦ୍ୟମ କଲା ବେଳେ ଅନ୍ୟମାନେ ତାଙ୍କୁ ହାଣି ପକାଇଥିଲେ।
ଉଲ୍ଲେଖଯୋଗ୍ୟ ଯେ ମଧ୍ୟସ୍ଥତା ମାଧ୍ୟମରେ ଅମରେଶ ବିଭିନ୍ନ ମ୍ୟାନେଜ୍ମେଣ୍ଟ ଓ ଇଂଜିନିୟରିଂ କଲେଜରେ ନାମ ଲେଖାଇବାରେ ପିଲାଙ୍କୁ ସହଯୋଗ କରିଥାଏ। ତେଣୁ ବିଭିନ୍ନ କଲେଜରେ ଅମରେଶର ସହଯୋଗ ପାଇଥିବା ପିଲାମାନେ ପଢ଼ୁଛନ୍ତି। ସେମାନେ ଅମରେଶଙ୍କୁ ବି ମାନନ୍ତି। ତେଣୁ ସେହି ଛାତ୍ରମାନଙ୍କ ଜରିଆରେ ଜଗଜିତ୍ଙ୍କୁ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା ଓ ଅଭିଯୁକ୍ତ ନାବାଳକକୁ ଆଗକୁ ଛାଡ଼ି ଦିଆଯାଇଥିଲା। ସାଣ୍ଟା, ବଣ୍ଟି ଓ କିକି ଏହି ଷଡ଼ଯନ୍ତ୍ର କରିଥିଲେ ବୋଲି ପୁଲିସ ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/jagjit.jpg)