୨ ବିଟେକ୍‌ ଛାତ୍ରଙ୍କ ସମେତ ୬ ଗିରଫ

ଫସିଗଲେ ଏମ୍‌ଟେକ୍‌ ଛାତ୍ରଙ୍କ ଅପହରଣକାରୀ

ଖଣ୍ଡଗିରି : ୧୦ ଲକ୍ଷ ଟଙ୍କା ଦିଅ, ନଚେତ୍‌ ଅନୁଜକୁ ହତ୍ୟା କରିବୁ। ଯେତେ ଶୀଘ୍ର ପାରୁଛ ଟଙ୍କା ଦିଅ, ବିଳମ୍ବ କଲେ ଅନୁଜର କଟା ମୁଣ୍ଡ ପାଇବ। ଏମିତି ଥିଲା ପ୍ରଥମ ଦାବି। ପୁଣି କିଛି ଘଣ୍ଟା ପରେ ଫୋନ୍‌ କଲ୍‌ ଆସିଲା, ୧୦ ଲକ୍ଷ ଟଙ୍କା ଯୋଗାଡ଼ ହୋଇପାରୁନି ତ ୫ ଲକ୍ଷ ଟଙ୍କା ହେଲେ ଚଳିବ। କିନ୍ତୁ ଆଜି ରାତିରେ ହିଁ ଟଙ୍କା ମିଳିଯିବା ଦରକାର। ନଚେତ୍‌ ରାତି ପାହିବାବେଳକୁ ଅନୁଜର ମୁଣ୍ଡ ରାଜଧାନୀର ରାଜରାସ୍ତାରେ ଗଡ଼ୁଥିବ। ଏମିତି ଭୟଙ୍କର ଫୋନ୍‌ କଲ୍‌ କରି କରି ପରିବାର ଲୋକଙ୍କୁ ଡରାଇ ଚାଲିଥିବା ଅପହରଣକାରୀମାନେ ଶେଷରେ କିନ୍ତୁ ଫସିଗଲେ। ଟଙ୍କା ପାଇବା ଆଶାରେ ଟାକି ବସିଥିବା ଅପହରଣକାରୀମାନଙ୍କୁ ଖଣ୍ଡଗିରି ଥାନା ପୁଲିସ ରାତି ପାହିବା ପୂର୍ବରୁ ଧରିପକାଇଲା। ଅପରାହ୍ଣରେ ସ୍ଥାନୀୟ ଜାଗମରାରୁ ଅପହୃତ ହୋଇଥିବା ଇଂଜିନିୟରିଂ ଛାତ୍ର ଅନୁଜ ଝାଙ୍କୁ ସେହି ରାତିରେ ପୁଲିସ ଉଦ୍ଧାର କରିବାକୁ ସମର୍ଥ ହେଲା। କିନ୍ତୁ ଅପହରଣ ମାମଲାର ମାଷ୍ଟର ମାଇଣ୍ଡ ଓ ତାଙ୍କ ପତ୍ନୀ ଫେରାର୍‌ ହୋଇଗଲେ।

ଗିରଫ ଅପହରଣକାରୀମାନେ ହେଲେ ରାଜଧାନୀର ଏକ ପୁରୁଣା ଇଂଜିନିୟରିଂ କଲେଜର ଶେଷ ବର୍ଷର ଛାତ୍ର ଦେବ ଅର୍ପିତ ମିଶ୍ର(୨୨) ଓ ଜ୍ୟୋତିପ୍ରକାଶ ମହାନ୍ତି ଓରଫ୍‌ ଗୁଡୁ। ଅର୍ପିତ ୟୁନିଟ୍‌-୩ ଲେବର କଲୋନି ଓ ଗୁଡ଼ୁ ୟୁନିଟ୍‌-୯ର ବାସିନ୍ଦା। ଏହି ଦୁଇଜଣଙ୍କ ସହ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତମାନେ ହେଲେ ପୋଖରୀପୁଟସ୍ଥିତ ଏକ ଘରୋଇ କଲେଜର ଯୁକ୍ତ ଦୁଇ ଛାତ୍ର ଗିରିଶ ନାଇଡ଼ୁ(୨୨) ଓରଫ୍‌ ବବୁଲ୍‌, ଖଣ୍ଡଗିରି ଭରତପୁର ଦୁର୍ଗାମାଧବ ନଗରର ପ୍ରିୟରଂଜନ ମଲ୍ଲିକ(୨୯), କଟକ ଜୋବ୍ରା ଓ୍ଵାର୍କସ ବିଭାଗର ଡ୍ରାଇଭର ଚନ୍ଦନ ଡାକୁଆ ଓରଫ୍‌ କାଳିଆ(୨୫) ଓ ସାଲିଆସାହିରେ ରହୁଥିବା ଟ୍ରାଭେରା ଡ୍ରାଇଭର ଅଭିମନ୍ୟୁ ଦାସ(୪୨)। ପୁଲିସ ଏମାନଙ୍କଠାରୁ ଅପହରଣରେ ବ୍ୟବହାର ହୋଇଥିବା ଟ୍ରାଭେରା(ଓଡି୦୨ପି-୬୯୩୯), ଏକ ବୁଲେଟ୍‌(ଓଡି୦୨ଏକେ-୦୦୮୯) ଜବତ କରିଛି।

କେମିତି ହୋଇଥିଲା ଅପହରଣ
ବିହାର ଧାନବାଦ୍‌ର ଅନୁଜ ଝା ଖଣ୍ଡଗିରିସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଏମ୍‌ଟେକ୍‌ ଶେଷ ବର୍ଷର ଛାତ୍ର। ଗୁରୁବାର ଅପରାହ୍ଣ ପ୍ରାୟ ସାଢ଼େ ୧ଟା ସମୟରେ ସେ ଜାଗମରାସ୍ଥିତ ଏକ ବ୍ୟାଙ୍କ ଏଟିଏମ୍‌ ନିକଟରେ ଜଣେ ମହିଳାଙ୍କୁ ଅପେକ୍ଷା କରିଥିଲେ। ମହିଳାଜଣଙ୍କ ତାଙ୍କୁ ଫୋନ୍‌ କରି ସେହିସ୍ଥାନକୁ ଡକାଇଥିଲେ। କିନ୍ତୁ ହଠାତ୍‌ ଏକ ଟ୍ରାଭେରା ଓ ଦୁଇଟି ବାଇକ୍‌ ସେଠାରେ ପହଞ୍ଚିଥିଲା। ସେମାନେ ପ୍ରାୟ ୮ ଜଣ ଥିଲେ। ଅନୁଜଙ୍କ କହିବା କଥା ସେମାନଙ୍କ ଭିତରୁ ସେ ଦେବାଶିଷ ମୁଖାର୍ଜୀଙ୍କୁ ହିଁ ଚିହ୍ନିଥିଲେ। ଅନୁଜ କିଛି ବୁଝିବା ପୂର୍ବରୁ ସେମାନେ ତାଙ୍କୁ ଟେକି ନେଇଥିଲେ ଟ୍ରାଭେରା ଭିତରକୁ। ସେତେବେଳେ ଅନୁଜ ବୁଝିଥିଲେ ତାଙ୍କୁ ଅପହରଣ କରାଯାଇଛି। ଟ୍ରାଭେରା ସିଧା ଚାଲିଥିଲା ନଖରା ଓ ସେଠାରୁ ନିଆଳି ରାସ୍ତାରେ ଏକ ଗାଁ ନିକଟକୁ। ସେଠାରେ ଅପହରଣକାରୀମାନେ ତାଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରିଥିଲେ। ରଡ୍‌ ଓ ଲୁହା ଛଡ଼ରେ ତାଙ୍କୁ ନିସ୍ତୁକ ପିଟି ଚାଲିଥିଲେ। ସେମାନଙ୍କ ଦାବି ଅନୁସାରେ ଅନୁଜ ପଟିଆରେ ବ୍ୟବସାୟ କରୁଥିବା ତାଙ୍କର ଜଣେ ସମ୍ପର୍କୀୟ ଭାଇ କୁନାଲ୍‌ ଗୋସ୍ୱାମୀଙ୍କୁ ଫୋନ୍‌ କଲେ। ୧୦ ଲକ୍ଷ ଟଙ୍କା ନ ଦେଲେ ତାଙ୍କୁ ଜୀବନରେ ମାରିଦେବାକୁ ଅପହରଣକାରୀମାନେ କହୁଛନ୍ତି ବୋଲି ସେ ଭାଇ କୁନାଲ୍‌ଙ୍କୁ ଜଣାଇଥିଲେ।

ପୁଲିସର ୫ ଘଣ୍ଟାର ଅପରେସନ୍‌
ଅନୁଜର ଫୋନ୍‌ କଲ୍‌କୁ କୁନାଲ୍‌ ପ୍ରଥମେ ବିଶ୍ୱାସ କରିନଥିଲେ। କିନ୍ତୁ ସନ୍ଧ୍ୟା ୭ଟାବେଳେ ଅପହରଣକାରୀମାନେ ଫୋନ୍‌ କରିବା ପରେ ସେ ସତ ବୋଲି ଜାଣିଲେ। ତେଣୁ ରାତି ପ୍ରାୟ ୮ଟାବେଳକୁ କୁନାଲ୍‌ ଖଣ୍ଡଗିରି ଥାନାରେ ଅଭିଯୋଗ କଲେ। ଏହାପରେ ପୁଲିସ ଅପରେସନ୍‌ ଆରମ୍ଭ କରିଥିଲା। ତେବେ ଏହାକୁ ସମ୍ପୂର୍ଣ୍ଣ ଗୋପନୀୟ ରଖିଥିଲା। ସିପି ଓ ଡିସିପିଙ୍କ ନିର୍ଦେଶକ୍ରମେ କିଛି ବଛା ବଛା ଅଫିସର ଏଥିରେ ସାମିଲ୍‌ ହୋଇଥିଲେ। ପୁଲିସ ନିର୍ଦେଶରେ କୁନାଲ୍‌ ଟଙ୍କା ଦେବେ ବୋଲି ଅପହରଣକାରୀମାନଙ୍କୁ ଜଣାଇଲେ। ସେହି ଅନୁସାରେ କୁନାଲ୍‌ଙ୍କ ସହ ଅପହରଣକାରୀମାନଙ୍କ ଫୋନ୍‌ ଯୋଗାଯୋଗ ଚାଲୁ ରହିଲା ଓ ପୁଲିସ ଫୋନ୍‌ ଟ୍ରାକିଂ କରି ସେମାନଙ୍କୁ ପିଛା କରିବାରେ ଲାଗିଥିଲା। ଅପହରଣକାରୀମାନେ ବଡ଼ ଚତୁରତାର ସହ କୁନାଲ୍‌କୁ ନଖରାରୁ ୟୁନିଟ୍‌-୯ ପର୍ଯ୍ୟନ୍ତ ବୁଲାଇ ଥିଲେ। ଅର୍ଥାତ୍‌ ପୁଲିସ ବି ନଖରାରୁ ୟୁନିଟ୍‌-୯ ପର୍ଯ୍ୟନ୍ତ ବୁଲିଥିଲା। ରାତି ପ୍ରାୟ ୧୧ଟାରେ ପୁଲିସ ଗିରିଶ ଓ ଚନ୍ଦନ ଡାକୁଆକୁ ୟୁନିଟ୍‌-୯ ଅଞ୍ଚଳରୁ ଧରିବାରେ ସଫଳ ହୋଇଗଲା। ସେମାନଙ୍କଠାରୁ ଦୁଇଟିଯାକ ବାଇକ୍‌ ଜବତ କରାଗଲା। ଏହା ପରେ ରାତି ପ୍ରାୟ ୨ଟାବେଳେ ପୁଲିସ ଟ୍ରାଭେରାରେ ଅନୁଜ ସହ ଥିବା ଅନ୍ୟ ୪ ଅପହରଣକାରୀଙ୍କୁ ଏକ ଓମ୍‌ଫେଡ୍‌ ବୁଥ୍‌ ପଛରୁ ଧରିବାରେ ସକ୍ଷମ ହୋଇଥିଲା।

ଅପହରଣର କାରଣ ଟଙ୍କା ନା ଆଉ କିଛି?
ଅନୁଜକୁ ଅପହରଣ କରିବା ପଛରେ କି ଉଦ୍ଦେଶ୍ୟ ରହିଛି, ତାହା ଏବେ ବି ରହସ୍ୟ ଘେରରେ। ମୁଖ୍ୟ ଖଳନାୟକ ଦେବାଶିଷ ଗିରଫ ହେବା ପରେ ପ୍ରକୃତ ସତ୍ୟ ଉନ୍ମୋଚନ ହେବ ବୋଲି କୁହାଯାଉଛି। ତେବେ ଏହାକୁ ନେଇ ନାନା କଥା ଆଲୋଚନା ହେଉଛି। ପୁଲିସ ସୂଚନାନୁସାରେ ଅପହରଣକାରୀମାନେ ଦେବାଶିଷ ନିର୍ଦେଶରେ କାମ କରିଥିଲେ। ଅନୁଜକୁ ଫସାଇବା ପାଇଁ ଦେବାଶିଷ ନିଜ ସ୍ତ୍ରୀକୁ ଅସ୍ତ୍ର କରିଥିଲା। ଗତ ୨୦ ତାରିଖରୁ ଦେବାଶିଷଙ୍କ ସ୍ତ୍ରୀ ଫୋନ୍‌ ଯୋଗେ ଅନୁଜ ସହ ସମ୍ପର୍କ ରଖି ଶେଷରେ ତାଙ୍କୁ ଭେଟିବା ପାଇଁ ଜାଗମରା ଏଟିଏମ୍‌ ନିକଟକୁ ଡକାଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତମାନେ ଦେବାଶିଷ କଥାରେ ଟଙ୍କା ଲୋଭରେ ଏଭଳି କରିଥିଲେ ବୋଲି ପୁଲିସ ନିକଟରେ ମାନି ଯାଇଛନ୍ତି। ତେବେ ଅସଲ କାରଣ କ’ଣ କହିପାରିନାହାନ୍ତି। ଅନୁଜ ଜଣେ ପଇସାବାଲା ପିଲା ହୋଇଥିବାରୁ ଦେବାଶିଷ ତାକୁ ଅପହରଣ କରିଥିବା ପୁଲିସ ସନ୍ଦେହ କରୁଛି। କିନ୍ତୁ ଏହାର ଭିନ୍ନ ଦିଗ ବି ଥାଇପାରେ ବୋଲି ପୁଲିସର ସନ୍ଦେହ ରହିଛି। ଅନୁଜ କହିବା କଥା ସେ ଦୁଇ ବର୍ଷ ପୂର୍ବେ ଦେବାଶିଷକୁ ଜାଣିଥିଲା। ଅର୍ଥାତ୍‌ ଏମ୍‌ଟେକ୍‌ ନାମ ଲେଖାଇବାବେଳେ ହୁଏତ ଦେବାଶିଷ ତାକୁ ସାହାଯ୍ୟ କରିଥିବ ଓ ସେହି ବାବଦରେ ଦେବାଶିଷ ପାଇବାକୁ ଥିବା ଟଙ୍କା ଅନୁଜ ଜବାବ୍‌ କରି ଦେଇନଥିବ। କିମ୍ବା ନାମ ଲେଖା ଦଲାଲିରେ ଦେବାଶିଷ ଓ ଅନୁଜ ଭିତରେ ଟଙ୍କା ଭାଗବଣ୍ଟାକୁ ନେଇ ବିବାଦ ଥିବ ବୋଲି ସନ୍ଦେହ କରାଯାଉଛି। କୁହାଯାଉଛି ଏମିତି ଏକ ଦଲାଲିରୁ ଆଦାୟ ହୋଇଥିବା ୧୫ ଲକ୍ଷ ଟଙ୍କା ହଡ଼ପ ହୋଇଥିବାରୁ ଦେବାଶିଷ ଓ ଅନୁଜ ଭିତରେ ବିବାଦ ଥିଲା। ତେଣୁ ଦେବାଶିଷ ଗିରଫ ହେବା ପରେ ଅସଲ ଚିତ୍ର ପଦାକୁ ଆସିବ।

ମାମଲା ପଛରେ ଇଂଜିନିୟରିଂ କଲେଜ ସିଟ୍‌ ବ୍ଲକିଂ
ଅନୁଜ ଅପହରଣ ମାମଲାକୁ ନେଇ ନାନା କଥା ଚର୍ଚ୍ଚା ହେଉଛି। ଇଂଜିନିୟରିଂ କଲେଜମାନଙ୍କରେ ଚାଲିଥିବା ସିଟ୍‌ ବ୍ଲକିଂ ମାମଲା ପାଇଁ ଏହା ଘଟିଛି ବୋଲି ଆଲୋଚନା ହେଉଛି। କଲେଜ କର୍ତ୍ତୃପକ୍ଷଙ୍କ ସହାୟତାରେ ଦଲାଲମାନେ ଏମିତି କରୁଥିବାରୁ କୃତୀ ଛାତ୍ରଛାତ୍ରୀମାନେ ନାମ ଲେଖାରୁ ବଞ୍ଚିତ ହେଉଛନ୍ତି ଓ ଅର୍ଥ ବଳରେ ନିମ୍ନ ବର୍ଗର ପିଲାମାନେ ସିଟ୍‌ କବ୍‌ଜା କରିପାରୁଛନ୍ତି ବୋଲି ଅଭିଯୋଗ ହୋଇଆସୁଛି। ତଦନ୍ତକାରୀ ଅଧିକାରୀଙ୍କ ସୂଚନାନୁସାରେ ଦେବାଶିଷ ଜଣେ ବ୍ରୋକର୍‌। ଇଂଜିନିୟରିଂ କଲେଜ ନାମଲେଖାରେ ସେ ଦଲାଲି କରେ। ନାମ ଲେଖାଇବାକୁ କହି ଟଙ୍କା ହଡ଼ପ କରେ । ଏମିତି ଠକାମୀ ପାଇଁ ସେ ଜେଲ୍‌ ଯାଇଥିଲା ଓ ଗତ କିଛି ମାସ ହେଲା ଜେଲ୍‌ରୁ ବାହାରିଛି। ଗିରଫ ହୋଇଥିବା ୬ ଜଣ ଯାକ ଦେବାଶିଷ ଦଲାଲି କାର୍ଯ୍ୟକଳାପର ସହଯୋଗୀ। ସିଟ୍‌ ବ୍ଲକିଂ କରି ବାହାର ରାଜ୍ୟର ପିଲାଙ୍କୁ ନାମ ଲେଖାଇବାରେ ଦେବାଶିଷ ସହଯୋଗ କରେ ଓ ପ୍ରଚୁର ଅର୍ଥ ଉପାର୍ଜନ କରିଥାଏ। ସୁବିଧା ସୁଯୋଗ ଦେଖି ସେ କିଛି ଆଶାୟୀମାନଙ୍କୁ ଠକିବାକୁ ପଛାଏ ନାହିଁ। ପୂର୍ବରୁ ସେ ଯେଉଁ ଇଂଜିନିୟରିଂ ଛାତ୍ରମାନଙ୍କ ନାମ ଲେଖାଇବାରେ ସାହାଯ୍ୟ କରିଥାଏ ସେହି ଛାତ୍ରମାନେ ହିଁ ଏହି ଦଲାଲିରେ ତାକୁ ସହଯୋଗ କରିଥାଆନ୍ତି। ଏବେ ଦେବାଶିଷର ସ୍ତ୍ରୀ ମଧ୍ୟ ଏହି କାମରେ ତା’ର ସାଥ୍‌ ଦେଉଥିଲା।

ସମ୍ବନ୍ଧିତ ଖବର