ଏକ ଛୋଟିଆ ସାବୁନ୍‌ ଦୋକାନ ଭିତରେ ଥିଲା ୩୦୦ରୁ ଅଧିକ ପ୍ରାଇଭେଟ ଲକର, ଆୟକର ବିଭାଗ ଅଧିକାରୀ ଏକମାସ ହେବ ଗଣୁଛନ୍ତି ଟଙ୍କା

ନୂଆଦିଲ୍ଲୀ: ଦୀର୍ଘ ଏକମାସ ଧରି ଆୟକର ବିଭାଗର ଅଧିକାରୀମାନେ ସାବୁନ ଦୋକାନକୁ ନିଜର ଘର ବନାଇ ଦେଇଛନ୍ତି। ସେହି ଛୋଟିଆ ଘରେ ଖାଇବା, ଶୋଇବା ଠାରୁ ଆରମ୍ଭ କରି ରାତିଦିନ ପାଳି କରି ରହୁଛନ୍ତି । ଆପଣମାନେ ଭାବୁ ଥାଇ ପାରନ୍ତି ଆୟକର ବିଭାଗ ଅଧିକାରୀ କାହିଁକି ବା ଏହି ଛୋଟିଆ ସାବୁନ୍‌ ଦୋକାନ୍‌କୁ ନିଜ ଘର ବନାଇଛନ୍ତି। ଏହି ଘରେ ରହି ଆୟକର ବିଭାଗର ଅଧିକାରୀମାନେ ଦିନରାତି ଟଙ୍କା ଗଣିବାରେ ଲାଗିଥିବା ଖବର ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ନୂଆଦିଲ୍ଲୀର ଚାନ୍ଦିନୀ ଚୌକ ଅଞ୍ଚଳରେ ଥିବା ରାଜହଂସ ସାବୁନ ମିଲ୍ଵ ପ୍ରାଇଭେଟ ଲିମିଟେଡରେ ଗତ କିଛିଦିନ ପୂର୍ବେ ଆୟକର ବିଭାଗ ଚଢ଼ାଉ କରିଥିଲା। ଡ୍ରାଇ ଫ୍ରୁଟ ଓ ସାବୁନ ବିକ୍ରି ହେଉଥିବା ଏହି ଛୋଟ ଦୋକାନରେ ଆୟକର ବିଭାଗ କାହିଁକି ଚଢାଉ କଲା ତାହା କେହି ବୁଝି ପାରି ନଥିଲେ । କିନ୍ତୁ ଭିତରେ ଯାହା ହୋଇଥିଲା ତାହା ବଲିଉଡ ଫିଲ୍ମ ରେଡ ଠାରୁ ମଧ୍ୟ କମ ନଥିଲା ।

ନଭେମ୍ବର ୫ରେ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ଆୟକର ବିଭାଗ ଦୋକାନ ଉପରେ ଚଢାଉ ଆରମ୍ଭ କରିଥିଲା । ଯାହା ଏବେ ପର୍ଯ୍ୟନ୍ତ ମଧ୍ୟ ଜାରି ରହିଛି । କାରଣ ଦୋକାନ ଭିତରେ ଯାହା ଥିଲା ତାହା ଆୟକର ବିଭାଗର ଅଧିକାରୀଙ୍କୁ ଚକିତ କରି ଦେଇଥିଲା । ବାହାରୁ ଛୋଟିଆ ଦେଖାଯାଉଥିବା ଏହି ଦୋକାନ ଭିତରେ ୩୦୦ରୁ ଅଧିକ ପ୍ରାଇଭେଟ ଲକର ରହିଥିଲା । ଆଉ ଯେଉଁଥିରେ କୋଟି କୋଟି ଟଙ୍କା ଭର୍ତ୍ତି କରି ରଖାଯାଇଥିଲା ।

ଛୋଟ ଦୋକାନର ବେସମେଣ୍ଟରେ ଥିବା ୩୦୦ରୁ ଅଧିକ ପ୍ରାଇଭେଟ ଲକରରୁ ଏବେ ପର୍ଯ୍ୟନ୍ତ ୩୦ କୋଟିରୁ ଅଧିକ ଟଙ୍କା ଜବତ କରାଗଲାଣି । ଏପରିକି ଆହୁରି ଅନେକ ଲକର ରହିଛି ଯାହା ଏଯାଏଁ ଖୋଲା ଯାଇନାହିଁ । ଏବେ ପର୍ଯ୍ୟନ୍ତ ମଧ୍ୟ ଜବତ ଟଙ୍କା ଗଣା ଚାଲିଛି । ଏପରିକି ଯେଉଁ ଲୋକଙ୍କର ଲକର ରହିଥିଲା ସେମାନଙ୍କର ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ହାସଲ କରିଛି ଆୟକର ବିଭାଗ । ଯେଉଁମାନଙ୍କୁ ଆୟକର ବିଭାଗ ଏବେ ପଚରାଉଚରା କରୁଛି ।

ସମ୍ବନ୍ଧିତ ଖବର