କାନନ ବିହାର ଡକାୟତି ଘଟଣାର ପର୍ଦାଫାସ୍‌

୬ଜଣିଆ ଡକାୟତ ଗ୍ୟାଙ୍ଗ ଠାବ

ଚନ୍ଦ୍ରଶେଖରପୁର: ଗତ ଏପ୍ରିଲ ୧୧ ତାରିଖରେ କାନନ ବିହାର ଫେଜ-୨ରେ ଘଟିଥିବା ଡକାୟତି ଘଟଣାରେ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ସ୍ପେସାଲ ସ୍କ୍ଵାଡ୍‌ ସହାୟତାରେ ଇନ୍‌ଫୋସିଟି ଥାନା ପୁଲିସ ୬ ଜଣିଆ ଏକ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି। ସେମାନେ ହେଲେ, ବାଲିଅନ୍ତା ଧବଳାହରର ଉମେଶ ଚନ୍ଦ୍ର ସାହୁ (ମୁଟୁରା), ଗୁରୁଜଙ୍ଗ ଖୋର୍ଧାର ଲୋକନାଥ ସାହୁ (ଲୋକା), ବାଦାମବାଡ଼ି କଟକର ପଞ୍ଚମ ସାହା, ଧୁସୁରିଆ ଖୁଣ୍ଟୁଣିର ପବିତ୍ର ମୋହନ ମଲ୍ଲିକ (ବାଦଲ) ଓ କୁନିଆ ସାମଲ (ଗୁଡ଼ୁ) ଏବଂ ମହାନଦୀ ବିହାର କଟକର ରାକେଶ ମହାପାତ୍ର (ଚିଙ୍କୁ)। କାନନ ବିହାରରୁ ହୋଇଥିବା ଡକାୟତିରେ ଏମାନଙ୍କ ହାତ ଥିବା ପୁଲିସ କହିଛି। ଏମାନଙ୍କଠାରୁ ପୁଲିସ ଦୁଇଟି ନକଲି ବନ୍ଧୁକ, ଦୁଇଟି ଚୋରା ବାଇକ୍‌, ୧୯ ଗ୍ରାମ ସୁନାଗହଣା, ଟାବଲେଟ୍‌ ଓ ମୋବାଇଲ ଜବତ କରିଛି। ଏମାନେ ଅନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ୍‌ର ସଦସ୍ୟ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କେଉଁ କେଉଁ ଘଟଣାର ଏମାନଙ୍କ ସଂପୃକ୍ତି ଅଛି ତଥା ସେମାନଙ୍କ ସହ ଆଉ କିଏ କିଏ ସଂପୃକ୍ତ ଅଛନ୍ତି, ସେ ବିଷୟରେ ପୁଲିସ ଅଧିକ ପଚରାଉଚରା ଚଳାଇଛି। ମିଳିଥିବା ସୂଚନା ଅନୁଯାୟୀ, ଇନ୍‌ଫୋସିଟି ଛକ ନିକଟ ଏକ ଭଙ୍ଗା ଘରେ ଏହି ୬ ଜଣ ଏକ ବଡ଼ଧରଣର ଡକାୟତି ପାଇଁ ଯୋଜନା କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ସ୍ପେଶାଲ ସ୍କ୍ଵାଡ୍‌ ଓ ଇନ୍‌ଫୋସିଟି ଥାନା ପୁଲିସ ସେଠାରେ ଚଢ଼ଉ କରି ଗିରଫ କରିଥିଲା।

ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ ୧୧ ତାରିଖରେ ଏମାନେ କାନନବିହାରରେ ରହୁଥିବା ସୁବାସ ଚନ୍ଦ୍ର ନାୟକଙ୍କ ଘରୁ ସଶସ୍ତ୍ର ଡକାୟତି କରିଥିଲେ। ପରିବାରଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଲୁଟି ନେଇଥିଲେ। ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ସମସ୍ତଙ୍କ ଠିକଣା ଜାଣିବା ପାଇଁ ସ୍ପେସାଲ ସ୍କ୍ଵାଡ୍‌ର ସହାୟତା ଲୋଡ଼ିଥିଲା। ଏହି ଗ୍ୟାଙ୍ଗ ନାମରେ ପୂର୍ବରୁ ବାଲିଅନ୍ତା, ଇନ୍‌ଫୋସିଟି, କନ୍ଦରପୁର ଓ ଚୌଦ୍ୱାର ଥାନାରେ ଅନେକ ସଂଗିନ୍‌ ମାମଲା ରହିଛି। ଆଜି ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଧିକ ପଚରାଉଚରା ଲାଗି ଆଗାମୀ ଦିନରେ ଏମାନଙ୍କୁ ରିମାଣ୍ଡରେ ଆଣିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର