ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ : ବାନ୍ଧବୀଙ୍କୁ ନିର୍ଯାତନାର ପ୍ରତିଶୋଧ ନେଇଥିଲା ବନ୍ଧୁ

କଟକ :  ବାରଙ୍ଗ ନିକଟସ୍ଥ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ । ଗତ ରବିବାର ଦିନ ଗୋଡ଼ି ସାହି ଫାଣ୍ଡି ନିକଟରେ ସୁନୀଲ କୁମାର ସାହୁଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଥିବାବେଳେ ହତ୍ୟାର ୮ଦିନ ପରେ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇପାରିଛି । ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ବେହେରାଙ୍କୁ ବାରଙ୍ଗ ପୋଲିସ ଗିରଫ କରିଛି । ତାଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ବାଇକ ଓ ବନ୍ଧୁକ ଜବତ କରାଯାଇଥିବା ନେଇ ପୋଲିସ କମିଶନର୍ ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି ।

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ହଷ୍ଟେଲ୍ ସୁପରିଣ୍ଟେଡେଣ୍ଟ୍ ସୁନୀଲ କୁମାର ସାହୁ ପୂର୍ବରୁ ଢେଙ୍କାନାଳରେ ଏକ ଘରୋଇ କଲେଜରେ କାମ କରୁଥିଲେ । ସେଠାରେ ସୁପରଭାଇଜର ଥିଲେ । ସେହି କଲେଜର ଜଣେ ମହିଳା ଅଧ୍ୟାପିକାଙ୍କ ସହିତ ତାଙ୍କର ଅନୈତିକ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଅଧ୍ୟାପିକାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହିତ ତାଙ୍କର ଦରମା ବନ୍ଦ କରି ଦେଉଥିଲେ । ତେବେ ଏହି ଘଟଣା ସଂପର୍କରେ ଅଧ୍ୟାପିକା ଜଣକ ତାଙ୍କର ଜଣେ ବାଲ୍ୟକାଳର ବନ୍ଧୁ ନିରଞ୍ଜନଙ୍କୁ ଜଣାଇଥିଲେ । ୪ମାସ ପୂର୍ବରୁ ନିରଞ୍ଜନ ଏଥିପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ପ୍ରତିଶୋଧ ପରାୟଣ ହୋଇ ହତ୍ୟା କରିଛି ବୋଲି ସ୍ୱୀକାର କରିଥିବା ପୋଲିସ୍ କମିଶନର କହିଛନ୍ତି ।

ସେପଟେ ଅଧ୍ୟାପିକା ଜଣକ କହିଛନ୍ତି କି ତାଙ୍କ ବନ୍ଧୁ ଏହି ଯୋଜନା ବିଷୟରେ କିଛି ବି ଜଣାଇ ନ ଥିଲେ ଏବଂ ସେ ହତ୍ୟାକାଣ୍ଡ ସଂପର୍କରେ କିଛି ବି ଜାଣି ନାହାଁନ୍ତି । ନିରଞ୍ଜନର ମୋବାଇଲ ଟ୍ରାକ୍ କରି ତାକୁ କଟକ ଆଲାନ୍ଦଚାନ୍ଦ ବଜାରରୁ ଗିରଫ କରିଛି ବାରଙ୍ଗ ପୋଲିସ । ନିରଞ୍ଜନକୁ କୋର୍ଟ ଚାଲାଣ କରାଯାଇଛି ।  ଘଟଣାର ଆହୁରି ତଦନ୍ତ ଚାଲିଛି ବୋଲି କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି ।

ସମ୍ବନ୍ଧିତ ଖବର