ମହିଳାଙ୍କ ଆତ୍ମହତ୍ୟା ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ ସ୍ୱାମୀ

ଖଣ୍ଡଗିରି: ଚନ୍ଦକା ଥାନା ପାଇକରାପୁର ଗାଁରେ ଘଟିଥିବା ସରିତା ସାହୁଙ୍କ ଆତ୍ମହତ୍ୟା ମାମଲାରେ ପୁଲିସ ଅଭିଯୁକ୍ତ ସ୍ୱାମୀ ତରୁଣ ସାହୁଙ୍କୁ କୋର୍ଟ ଚାଲାଣ କରିଛି। ସରିତାଙ୍କ ବାପଘର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ବିବାହ ପରଠାରୁ ତରୁଣ ଯୌତୁକ ପାଇଁ ସରିତାଙ୍କ ଉପରେ ଅତ୍ୟାଚାର କରୁଥିବା ନେଇ ବାପଘର ଅଭିଯୋଗ ଆଣିଥିଲେ। ସୂଚନାନୁସାରେ ଖୋର୍ଧା କୁମାରବସ୍ତ ଅଞ୍ଚଳର ସରିତା ଗତ ପ୍ରାୟ ୫ ବର୍ଷ ତଳେ ଭଲ ପାଇ ତରୁଣଙ୍କୁ ବିବାହ କରିଥିଲେ। ଏ ଭିତରେ ସେମାନଙ୍କଠାରୁ ଗୋଟିଏ ପୁଅ ଓ ଗୋଟିଏ ଝିଅ ଜନ୍ମ ନେଇଛନ୍ତି। କିନ୍ତୁ ବିବାହ ପରଠାରୁ ସେମାନଙ୍କ ଦାମ୍ପତ୍ୟ ଜୀବନ ଭଲରେ କଟୁ ନଥିଲା। ସ୍ୱାମୀ ତରୁଣ ତାଙ୍କୁ ସବୁ ସମୟରେ ଅବହେଳା କରିବା ସହ ଯୌତୁକ ଦାବି କରି ନିର୍ଯାତନା ଦେଉଥିଲେ। ନିର୍ଯାତନା ଅସହ୍ୟ ହେବାରୁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର