ସମ୍‌ ବାଉନ୍‌ସରଙ୍କୁ ଗୁଳି ମାଡ଼ ମାମଲା : ରିମାଣ୍ଡ ଫଳ ଶୂନ୍‌

ଜେଲ୍‌ ଫେରିଗଲା ନକୁଳ

କାର୍‌ ଜବତ କିନ୍ତୁ ମିଳିଲାନି ପିସ୍ତଲ

ଖଣ୍ଡଗିରି : ସମ୍‌ ବାଉନ୍‌ସର ପବିତ୍ର ସେଠୀଙ୍କୁ ଗୁଳି ମାଡ଼ କରିଥିବା ଅଭିଯୁକ୍ତ ନକୁଳ ମହାକୁଡ଼ର ରିମାଣ୍ଡ ଅବଧି ସରିଛି। ତେଣୁ ଆଜି ତାକୁ ମାନ୍ୟବର ଅଦାଲତଙ୍କ ନିକଟରେ ହାଜର କରାଯାଇଥିଲା ଓ ସେଠାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। କିନ୍ତୁ ନକୁଳର ଏହି ୩ ଦିନିଆ ରିମାଣ୍ଡ ପୁଲିସ ପାଇଁ କିଛି ବି ସଫଳତା ଦେଇନାହିଁ। ମୁଖ୍ୟତଃ ଘଟଣା ଦିନ ସେ ବ୍ୟବହାର କରିଥିବା ପିସ୍ତଲଟି ଆଦାୟ କରିବାରେ ପୁଲିସ ବିଫଳ ହୋଇଛି। ଗୁଳିକାଣ୍ଡବେଳେ ସେ ବ୍ୟବହାର କରିଥିବା କାର୍‌ ଜବତ ହୋଇଥିଲେ ବି ପିସ୍ତଲଟି ମିଳିନାହିଁ। ତେଣୁ ଜାମିନ୍‌ ପାଇବା ଓ ବିଚାର ପ୍ରକ୍ରିୟାରେ ପୁଲିସର ଏହି ବିଫଳତା ନକୁଳ ପାଇଁ ବେଶ୍‌ ସହାୟକ ହେବ ବୋଲି ଆଲୋଚନା ହେଉଛି।

ଗତ ୧୭ ତାରିଖ ରାତିରେ ନକୁଳ ସମ୍‌ ହସ୍ପିଟାଲ ଛକରେ ଗୋଡ଼ାଇ ଗୋଡ଼ାଇ ପବିତ୍ରଙ୍କୁ ଗୁଳି କରିଥିବା ନେଇ ଅଭିଯୋଗ ହୋଇଥିଲା। ପବିତ୍ରଙ୍କ ଭାଇ ସନ୍ତୋଷ ସେଠୀ ସେହି ଦିନ ରାତିରେ ହିଁ ଖଣ୍ଡଗିରି ଥାନାରେ ନକୁଳ ନାମରେ ଅଭିଯୋଗ କରିଥିଲେ। ପୁଲିସ ନକୁଳକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। କିନ୍ତୁ ପୁଲିସ ଗିରଫ କରିବା ପୂର୍ବରୁ ଚତୁର ନକୁଳ ତା ପରଦିନ ଅର୍ଥାତ୍‌ ୧୮ ତାରିଖ ଦିନ କୋର୍ଟରେ ଆତ୍ମସମର୍ପଣ କରିଥିଲା। ସେଦିନ ପୁଲିସ ତାକୁ କୋର୍ଟ ପର୍ଯ୍ୟନ୍ତ ଗୋଡ଼ାଇଥିଲେ ବି ପୁଲିସକୁ ଚକ୍‌ମା ଦେଇ ସେ କୋର୍ଟର ଶରଣ ନେବାରେ ସକ୍ଷମ ହୋଇଥିଲା। ଏହା ପରେ ପୁଲିସ ତାକୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିଥିଲା କିନ୍ତୁ ମାନ୍ୟବର ଅଦାଲତ ୩ ଦିନ ପାଇଁ ଅନୁମତି ଦେଇଥିଲେ। ସୋମବାରଠାରୁ ରିମାଣ୍ଡରେ ଆଣି ପୁଲିସ ତାକୁ ପଚାରଉଚରା ଚଳାଇଥିଲା। ଆଶା କରାଯାଉଥିଲା, ପୁଲିସ ପ୍ରଥମେ ତା’ଠାରୁ ପିସ୍ତଲ ଜବତ କରିବ। କିନ୍ତୁ ଚାଲାକ୍‌ ନକୁଳ ପୁଲିସକୁ ଭୁଅାଁ ବୁଲାଇବାରେ ସଫଳ ହେଲା। ପୁଲିସକୁ ପିସ୍ତଲ ଦେବାରେ ସହଯୋଗ କଲା ନାହିଁ। ଏଣେ ରିମାଣ୍ଡ ଅବଧି ସରଗଲା ପଛେ ପୁଲିସ ପିସ୍ତଲ ପାଇଲା ନାହିଁ। ଏ ନେଇ ଖଣ୍ଡଗିରି ଥାନା ଆଇଆଇସି ହିମାଂଶୁ ଭୂଷଣ ସ୍ୱାଇଁଙ୍କ କହିବା କଥା ପିସ୍ତଲ ଜବତ ହୋଇ ନପାରିଲେ ବି ମାମଲାରୁ ସହଜରେ ନକୁଳ ଖସି ପାରିବ ନାହିଁ। ନକୁଳ ବ୍ୟବହାର କରିଥିବା ପିସ୍ତଲ ଖୋଜି ବାହାର କରିବା ପାଇଁ ଭିନ୍ନ ପନ୍ଥା ରହିଛି।

ସେହିଭଳି ଗୁଳିକାଣ୍ଡ ବାବଦରେ ବି ନକୁଳଠାରୁ ପୁଲିସ ପ୍ରକୃତ ସତ ବାହାର କରିପାରିନାହିଁ। ଘଟଣା ଦିନ ବାଇକ୍‌ ସାଇଡ୍‌ ମରାକୁ ନେଇ ହଠାତ୍‌ ଉତ୍ତେଜିତ ହୋଇ ସେ ପିବତ୍ର ଉପରକୁ ଗୁଳି କରିଥିଲା ବୋଲି ପୁଲିସ ନିକଟରେ ସ୍ୱୀକାର କରିଥିବା ପୁଲିସ କହୁଛି। କିନ୍ତୁ ଏହା ଯୁକ୍ତିଯୁକ୍ତ ନୁହେଁ ବୋଲି କୁହା ଯାଉଛି। ଏମିତି ଏକ ସାଧାରଣ ଘଟଣାକୁ ନେଇ ପେଡ଼ାଶୀ ଗାଁର ପିଲା ଗୁଳି ଚଳାଇବ, ତାହା ବିଶ୍ୱାସଯୋଗ୍ୟ ନୁହେଁ। ପୁଣି ତିନି ତିନି ରାଉଣ୍ଡ ଗୁଳି ଚାଳନା ହୋଇଥିବାରୁ ପବିତ୍ରକୁ ହତ୍ୟା କରିବା ଭଳି ମାନସିକତା ନେଇ ନକୁଳ ଏଭଳି କାଣ୍ଡ କରିଥିଲା ବୋଲି କୁହାଯାଉଛି। ଦୁଇ ଜଣଯାକ ବାଉନ୍‌ସର ହୋଇଥିବାରୁ ସେମାନଙ୍କ ଶତ୍ରୁତା ପଛରେ ଆଉ କିଛି ବଡ଼ ଧରଣର କାରଣ ଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର