ଇଣ୍ଟର୍‌ନେଟ୍‌ରେ ଛାଇଲା ଲେଡି ଡନ୍‌ ଅସ୍ମିତାଙ୍କ ଭିଡିଓ, ହାତରେ ଖଣ୍ଡା ଧରି ଧମକ ଦେଉଥିବା ଏହି ଯୁବତୀ ଚଳଚ୍ଚିତ୍ରର କୌଣସି ଖଳନାୟିକାଠୁ କମ୍‌ ଲାଗୁନାହାନ୍ତି

ସୁରଟ: ଗୁଜୁରାଟର ସୁରଟସ୍ଥିତ ୨୦ ବର୍ଷୀୟା ଲେଡି ଡନ୍‌ କୁହାଯାଉଥିବା ଅସ୍ମିତା ଗୋହଲି ଏବଂ ତାଙ୍କ ବନ୍ଧୁଙ୍କୁ ଗୁଜୁରାଟ ପୁଲିସ୍‌ ଗିରଫ କରିଛି। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଜଣେ ଦୋକାନୀକୁ ହାତରେ ଖଣ୍ଡା ଧରି ଧମକ ଦେଉଥିବା ଅଭିଯୋଗରେ ଗୋହଲିଙ୍କୁ ପୁଲିସ୍‌ ଗିରଫ କରିଛି। ସେ ହାତରେ ଖଣ୍ଡା ଧରି ଦୋକାନୀକୁ ଦୋକାନ ଖୋଲିବାକୁ ଧମକ ଦେଉଥିବା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋହଲିଙ୍କୁ ସହଯୋଗ କରୁଛନ୍ତି ତାଙ୍କ ବନ୍ଧୁ ରାହୁଲ। ପୂର୍ବରୁ ମଧ୍ୟ ଅସ୍ମିତାଙ୍କ ନାମରେ ଅନେକ ସମୟରେ ହାତରେ ଅସ୍ତ୍ର ଧରି ଲୋକଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ମାର୍ଚ ମାସରେ ଅସ୍ମିତାଙ୍କର ଏକ ଭିଡିଓ ଭାଇରାଲ୍‌ ହୋଇଥିଲା। ଭିଡିଓଟିରେ ଦେଖିବାକୁ ମିଳିଥିଲା ସେ ହାତରେ ଅସ୍ତ୍ର ଧରି ହୋଲି ସମୟରେ ଏକ ଦଳ ପୁରୁଷଙ୍କ ସହ ଝଗଡ଼ା କରୁଥିଲେ। ସେ ସମୟରେ ତାଙ୍କ ବିରୋଧରେ ପୁଲିସ୍‌ରେ ଏକ ଅଭିଯୋଗ ହୋଇଥିଲା। ସେ ଗିରଫ ହୋଇ ପରେ ଜାମିନ୍‌ରେ ଫେରିଥିଲେ।

ତାଙ୍କ ନାମରେ ଆଉ ଏକ ମାମଲା ମଧ୍ୟ ରହିଛି। ସେ ତାଙ୍କର ଜଣେ ସହଯୋଗୀ କାଳିଆ ସହ ମିଶି ବାଇକ୍‌ ଚୋରି କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ତାଙ୍କର ଏପରି ଆଚରଣ ହେତୁ ତାଙ୍କୁ ଲୋକେ ସୁରଟର ‘ଲେଡି ଡନ୍‌’ ବୋଲି ଡାକିବାକୁ ଲାଗିଲେଣି।

ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ସେ ଗୁଡ଼ାଏ ଆପତ୍ତ୍‌ିଜନକ ଫଟୋ ପୋଷ୍ଟ୍‍ କରିଛନ୍ତି। ଫଟୋଗୁଡ଼ିକରେ ସେ ହାତରେ ବନ୍ଧୁକ, ଛୁରୀ ଓ ଖଣ୍ଡା ଆଦି ଅସ୍ତ୍ର ସହ ନଜର ଆସିଛନ୍ତି। ଏହା ବ୍ୟବତୀ ସେ ଦାମିକିଆ କାର୍‌ ଓ ବାଇକ୍‌ ସହ ଫଟୋ ପୋଜ୍‌ ଦେଇଥିବା ବି ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର