ଛାତିରେ ତିନୋଟି ଗୁଳି ଖାଇ ମଧ୍ୟ ଆତତାୟୀଙ୍କ ଗୁଳିର କଡ଼ା ଜବାବ ଦେଲେ ଡ଼ାକ୍ତର; ଚଳାଇଲେ ୧୩ ରାଉଣ୍ଡ୍‌ ଗୁଳି

ନୂଆଦିଲ୍ଲୀ : ଦିଲ୍ଲୀରେ ହେଉଥିବା ଅପରାଧ ସୀମା ଟପି ଯାଇଥିବା ବେଳେ ପ୍ରତିଦିନ କିଛି ନା କିଛି ଅପରାଧ ଦିଲ୍ଲୀରେ ଘଟି ଚାଲିଛି । ଦେଶର ରାଜଧାନୀ ହୋଇ ମଧ୍ୟ ଲୋକମାନେ ସେଠାରେ ବେଶି ଅସୁରକ୍ଷିତ ମନେ କରୁଛନ୍ତି । ତେବେ ଶନିବାର ଦିଲ୍ଲୀରେ ଘଟିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ଡ଼ାକ୍ତରଙ୍କ ଉପରକୁ କିଛି ଅଜଣା ଯୁବକମାନେ ଆସି ଆକ୍ରମଣ କରିଥିବା ବେଳେ ଡ଼ାକ୍ତର ଜଣକ ନ ଡ଼ରି ସେମାନଙ୍କୁ କଡ଼ା ଜବାବ ଦେଇଛନ୍ତି । ଛାତିରେ ୩ଟି ଗୁଳି ଖାଇ ମଧ୍ୟ ସେ ଆତତାୟୀମାନଙ୍କ ଉପରକୁ ପାଲଟା ଗୁଳି ଚଳାଇଥିବା ଜଣା ପଡ଼ିଛି । ଘଟଣା ପରେ ଡ଼ାକ୍ତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଏବେ ସ୍ଥିର ଅଛି ।

www.ndtv.com

ସୂଚନା ମୁତାବକ, ଏହି ଘଟଣାଟି ଶନିବାର ଦିଲ୍ଲୀର ଫତେହପୁର୍‌ରେ ଘଟିଥିଲା । ଚେତା ଫେରିବା ପରେ ପୂରା ଘଟଣା ବିଷୟରେ ପୁଲିସକୁ ଜଣାଇଥିଲେ ଡ଼ାକ୍ତର । କାମ ସାରି ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ଆକ୍ରମଣରେ ତାଙ୍କ ଛାତିରେ ୩ଟି ଗୁଳି ବାଜିବା ପରେ ସେ ଗାଡ଼ିରେ ଥିବା ନିଜ ବନ୍ଧୁକ ବାହାର କରି ସେମାନଙ୍କ ଉପରେ ୧୩ ରାଉଣ୍ଡ ଗୁଳି ଚଳାଇଥିଲେ । ତାଙ୍କର ଏହି ପାଲଟା ଆକ୍ରମଣରେ ଦୁଇ ତିନି ଜଣ ଦୁର୍ବୃତ୍ତ ଆହତ ମଧ୍ୟ ହୋଇଥିବା ସେ ପୁଲିସକୁ ଜଣାଇଥିଲେ । ଏହି ଘଟଣା ପରେ କାହା ଉପରେ ସନ୍ଦେହ ଅଛି ବୋଲି ପଚରାଯିବା ପରେ ଜମିଜମା ବିବାଦକୁ ନେଇ ତାଙ୍କର ତାଙ୍କ ଦୁଇ ଭାଇଙ୍କ ସହ କଳହ ଲାଗି ରହିଥିବାରୁ ସେମାନେ ଏପରି କରିଥାଇ ପାରନ୍ତି ବୋଲି ସେ ପୁଲିସକୁ କହିଥିଲେ । ଡ଼ାକ୍ତରଙ୍କ ବୟାନ ପରେ ପୁଲିସ ତାଙ୍କ ଦୁଇ ଭାଇଙ୍କୁ ଡ଼କାଇ ପଚରାଉଚରା କରିବା ଆରମ୍ଭ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର