ନୂଆଦିଲ୍ଲୀ: ଅନ୍ଲାଇନ୍ ଫୁଡ ଅଡରିଙ୍ଗ ଓ ଡେଲିଭରି ପ୍ଲାଟଫାର୍ମ ସୁଇଗି ଜରିଆରେ ମଗାଇଥିବା ଖାଦ୍ୟରେ ଜଣେ ବ୍ୟକ୍ତିଙ୍କୁ ରକ୍ତଭିଜା ବ୍ୟାଣ୍ଡେଜ ମିଳିଥିବା ନେଇ ଅଭିଯୋଗ ହୋଇଛି। ଏହି ବ୍ୟକ୍ତି ଜଣକ ନିଜ ସହିତ ଘଟିଥିବା ଘଟଣାକୁ ଫେସ୍ବୁକ୍ରେ ସେୟାର କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଚେନ୍ନାଇରେ ରହୁଥିବା ବାଲମୁରୁଗନ୍ ଦିନଦୟାଲନଙ୍କ ଖାଦ୍ୟରେ ବାହାରିଥିବା ରକ୍ତଭିଜା ବ୍ୟାଣ୍ଡେଜକୁ ନେଇ ଫେସ୍ବୁକ୍ରେ ପୋଷ୍ଟ କରି ଲେଖିଛନ୍ତି, ଗତ ରବିବାର ସେ ସୁଇଗି ଆପ୍ ଜରିଆରେ ଚାପ୍ ଏନ୍ ଷ୍ଟିକ୍ସ ରେସ୍ତୋରାଁରୁ ଚିକେନ୍ ଅର୍ଡର କରିଥିଲେ। ଖାଦ୍ୟକୁ ଅଧା ଖାଇବା ପରେ ସେଥିରେ ରକ୍ତଭିଜା ବ୍ୟାଣ୍ଡେଜ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ଏହି ଘଟଣାକୁ ନେଇ ରେସ୍ତୋରାଁରେ ଅଭିଯୋଗ କରିଥିଲେ, କିନ୍ତୁ ତାଙ୍କୁ ଏନେଇ କୌଣସି ସକରାତ୍ମକ ଉତ୍ତର ମିଳି ନଥିଲା। ସୁଇଗି ସହିତ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଡେଲିଭରି କରାଯାଇଥିବା ଖାଦ୍ୟ ପାଇଁ ଆପ୍ ଜରିଆରେ କଲ କରିବାର କୌଣସି ବିକଳ୍ପ ନଥିଲା।
ଚାପ୍ ଏନ୍ ଷ୍ଟିକ୍ସ ରେସ୍ତୋରାଁର ଆସିଷ୍ଟାଣ୍ଟ ମେନେଜର ଶଙ୍କର ଏହି ଘଟଣାର ପ୍ରତିକ୍ରିୟା ଦେଇ କହିଛନ୍ତି, ଖାଦ୍ୟ ପାଇଁ ବାଲମୁରୁଗନ୍ ଦିନଦୟାଲନ ଯେତିକି ଟଙ୍କା ପୈଠ କରିଥିଲେ ସେତିକି ଟଙ୍କା ଫେରାଇ ଦିଆଯିବ। ପେକଜିଂ ସମୟରେ ଜଣେ ଷ୍ଟାଫ୍କୁ ଆଘାତ ଲାଗିଥିଲା। ଏଥିପାଇଁ ଖାଦ୍ୟରେ ବ୍ୟାଣ୍ଡେଜ ଭୁଲରେ ପଡ଼ି ଯାଇଥିଲା। ଏପରି ଭୁଲ ଦ୍ୱିତୀୟ ଥର ଯେପରି ନହୁଏ, ସେନେଇ ଏହି ଘଟଣାର ତଦନ୍ତ ପାଇଁ ସୁଇଙ୍ଗ ପକ୍ଷରୁ ଆଶ୍ୱସନା ମଧ୍ୟ ଦିଆଯାଇଛି।