ପ୍ରେମିକାର ହଙ୍ଗାମା ଦେଖି ପତି ପତ୍ନୀଙ୍କୁ ଫୋନ୍‌ରେ ତିନ୍‌ ତଲାକ୍‌ ଦେଇ ଥାନାରେ ପ୍ରେମିକାକୁ କଲା ବିବାହ

ବିଜନୋର: ଉତ୍ତରପ୍ରଦେଶର ବିଜନୌରରେ ତିନ୍‌ ତଲାକ୍‌ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ପତି ପତ୍ନୀକୁ ଫୋନ୍‌ରେ ତିନ୍‌ ଥର ତଲାକ୍‌ କହି ତଲାକ୍‌ ଦେଇଛି। କେବଳ ଏତିକି ନୁହେଁ ଥାନାରେ କାଜିକୁ ଡାକି ନିଜ ପ୍ରେମିକା ସହିତ ବିବାହ କରାଇବା ପାଇଁ କହିଥିଲା। ଥାନା ଭିତରେ ହୋଇଥିବା ଏହି ବିବାହକୁ ନେଇ ପୁଲିସ ଅଧିକାରୀ କିଛି ବି କହିବାକୁ ପ୍ରସ୍ତୁତ ନାହାନ୍ତି।

ସୂଚନାଯୋଗ୍ୟ, ଦେହାତ କୋତବାଲିସ୍ଥିତ ଏକ ଗ୍ରାମରେ ଏଭଳି ଏକ ଘଟଣା ଘଟିଛି। ଯୁବକ ଗୁଲଫାମ ଗ୍ରାମର ଏକ ଯୁବତୀ ତରନ୍ରୁମଙ୍କୁ ଭଲ ପାଉଥିଲା। କିନ୍ତୁ ଗୁଲଫାମଙ୍କ ଘରଲୋକ ତାହାର ବିବାହ ହଲଦୋର ଥାନା ନିକଟରେ ରହୁଥିବା ଯୁବତୀ ସଲତନତଙ୍କ ସହିତ କରି ଦେଇଥିଲେ। ଗୁଲଫାମ୍‌ଙ୍କ ବିବାହ ୨୦୧୮ ଜୁଲାଇ ୧୫ ତାରିଖରେ ହୋଇଥିଲା। ଗତ ସୋମବାର ଗୁଲଫାମଙ୍କ ପ୍ରେମିକା ତରନ୍ରୁମ ନିଜ ପ୍ରେମିକ ଘରେ ପହଞ୍ଚି ଯାଇଥିଲେ ଓ ଗୁଲଫାମଙ୍କୁ ବିବାହ କରିବେ ବୋଲି ଜିଦ ଧରି ବସିଥିଲେ। ଏହି ଗଣ୍ଡଗୋଳ ବିଷୟରେ ସୂଚନା ପାଇବା ପରେ ପୁଲିସ ଉକ୍ତ ପ୍ରେମୀଯୁଗଳଙ୍କୁ ଥାନାକୁ ନେଇ ଯାଇଥିଲା। ଥାନାରେ ପ୍ରେମିକାର ହଙ୍ଗାମା ଓ ବିଷ ଖାଇବା ଜିଦ ଦେଖି ଗୁଲଫାମ ଫୋନ୍‌ରେ ନିଜ ପତ୍ନୀକୁ ତିନ୍‌ ତଲାକ୍‌ ଦେଇ ନିଜର ପ୍ରେମିକାକୁ ଥାନାରେ ବିବାହ କରିଥିଲା।

ସମ୍ବନ୍ଧିତ ଖବର