‘ଗବର ଇଜ୍‌ ବ୍ୟକ୍‌’ ସିନ୍‌ର ବାସ୍ତବ ରୂପାନ୍ତର: ମୃତ ବ୍ୟକ୍ତିଙ୍କୁ ୩ ଦିନ ଡାକ୍ତରଖାନାରେ ରଖି ଚିକିତ୍ସା ଆଳରେ ଟଙ୍କା ଠକେଇ ଅଭିଯୋଗ

ଚେନ୍ନାଇ: ଆମେ ହିନ୍ଦୀ ସିନେମା‘ ଗବର ଇଜ୍‌ ବ୍ୟାକ୍‌’ରେ ଏକ ଡାକ୍ତରଖାନା କିପରି ମୃତରୋଗୀଙ୍କ ଚିକିତ୍ସା ଚାଲିଥିବା କହି ତାଙ୍କ ପରିବାର ଲୋକଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ଠକୁଛନ୍ତି ତାହା ଦେଖିଛନ୍ତି। ସମାନ ଢ଼ଙ୍ଗରେ ତାମିଲନାଡୁର ତାଞ୍ଜାଭୁର ଠାରେ ଥିବା ଏକ ଘରୋଇ ହସପିଟାଲ ଜଣେ ମୃତବ୍ୟକ୍ତିଙ୍କୁ ୩ ଦିନ ହସ୍‌ପିଟାଲରେ ରଖି ଚିକିତ୍ସା ଆଳରେ ସେମାନଙ୍କ ଠାରୁ ଟଙ୍କା ଠକି ନେଇଥିବା ନାଗାପାଟ୍ଟନମ ଜିଲ୍ଲାର ଏହି ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି।
ତାଞ୍ଜାଭୁର ଦକ୍ଷିଣ ଥାନାରେ ଏ ସୁବାସ ନାମକ ଜଣେ ଯୁବକ ଅଭିଯୋଗ କରିଛନ୍ତି ଯେ ତାଙ୍କ ବାପା ଏନ ଶେଖର(୫୫ ବର୍ଷ)ଙ୍କ ମୃତ୍ୟୁ ପରେ ମଧ୍ୟ ଘରୋଇ ହସପିଟାଲ କର୍ତ୍ତୃପକ୍ଷ ତାଙ୍କର( ଏନ ଶେଖର)ଙ୍କର ଚିକିତ୍ସା ଚାଲିଛି ବୋଲି ମିଥ୍ୟା କହି ତାଙ୍କ ଠାରୁ ଟଙ୍କା ନେଇଛନ୍ତି।
ସୁବାସ ଅଭିଯୋ କରିିଛନ୍ତି ଯେ ଗତ ସେପ୍ଟମ୍ବର ୯ ତାରିଖ ଦିନ ତାଙ୍କ ବାପାଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ତେଣୁ ନାଗପଟ୍ଟନମଠାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ପରେ ଡାକ୍ତରମାନେ ତାଙ୍କୁ ତାଞ୍ଜାଭୁରର ଏକ ଘରୋଇ ହସ୍‌ପିଟାଲକୁ ରେଫର କରିଦେଇଥିଲେ। ତେଣୁ ସେପ୍ଟମ୍ବର ୧୦ ତାରିଖ ଦିନ ଏନ ଶେଖରଙ୍କୁ ଏହି ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଥିଲା। ସେଠାରେ ଶେଖରଙ୍କ ଚିକିତ୍ସା ଖର୍ଚ୍ଚ ବାବଦରେ ଲକ୍ଷ ଟଙ୍କା ସମ୍ପୃକ୍ତ ଘରୋଇ ଡାକ୍ତରଖାନା ନେବା ପରେ ପୁଣି ଥରେ ଗତ ଶୁକ୍ରବାର ଚିକିତ୍ସା ଚାଲିଛି ବୋଲି କହି ୩ ଲକ୍ଷ ଟଙ୍କା ନେଇଥିଲେ। ତେବେ ହସ୍‌ପିଟାଲ ଖର୍ଚ୍ଚ ବଢ଼ିବାରୁ ବାପାଙ୍କୁ ଆମେ ତାଞ୍ଜାଭୁର ସରକାରୀ ମେଡିକାଲ କଲେଜ୍‌ ଆଣ୍ଡ ହସ୍‌ପିଟାଲକୁ ନେଇ ଆସିବାକୁ ଚାହିଁଥିଲୁ।ସେଠାରେ ବାପାଙ୍କୁ ଆଣିବା ପରେ ତାଙ୍କୁ ପରୀକ୍ଷା କରି ଡାକ୍ତର କହିଥିଲେ ଯେ ରୋଗୀଙ୍କର ଅନ୍ତତଃ ୩ ଦିନ ତଳେ ମୃତ୍ୟୁ ଘଟି ସାରିଛି।ତେଣୁ ମୃତ୍ୟୁ ଘଟି ସାରିଥିଲେ ମଧ୍ୟ ୩ ଦିନ ହସ୍‌ପିଟାଲରେ ରଖି ଘରୋଇ ହସ୍‌ପିଟାଲ ସେମାନଙ୍କ ଠାରୁ ଟଙ୍କା ଠକି ନେଇଥିବା ସଂକ୍ରାନ୍ତରେ ସୁବାସ ଥାନାରେ ଅଭିଯୋଗ କରିଛନ୍ତି।ଏ ସମ୍ପର୍କରେ ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ ମୃତକଙ୍କ ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଅପରପକ୍ଷେ ହସ୍‌ପିଟାଲକୁ ବଦନାମ କରିବା ପାଇଁ ଏପରି ମିଥ୍ୟା ଅଭିଯୋଗ କରିବାକୁ ତାଙ୍କ ପ୍ରତିଦ୍ୱନ୍ଦୀମାନେ ଉଦ୍ୟମ କରିଥିବା ସମ୍ପୃକ୍ତ ଘରୋଇ ହସ୍‌ପିଟଲ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର