ଟାଟା ଡୋକୋମୋ ଡିପୋରୁ ଲୁଟ୍‌ ଉଦ୍ୟମ ୨ ଗିରଫ, ଅଟୋ ଜବତ

ଖଣ୍ଡଗିରି: ସୋମବାର ବିଳମ୍ବିତ ରାତିରେ ଯାଁଳାସ୍ଥିତ ଟାଟା ଡୋକୋମୋ ଡିପୋରୁ ଲୁଟ୍‌ ଉଦ୍ୟମ କରୁଥିବା ବେଳେ ସୁରକ୍ଷା କର୍ମୀଙ୍କ ହାତରେ ଦୁଇ ଲୁଟେରା ଧରା ପଡ଼ିଛନ୍ତି। ବହେ ଛେଚିବା ପରେ ସେମାନଙ୍କୁ ପୁଲିସ ଜିମା ଦିଆଯାଇଛି। ସେମାନେ ହେଲେ, ପୁରୀ ଜିଲ୍ଲା ଅସ୍ତରଙ୍ଗର ପପୁ ପାତ୍ର (୩୦) ଓ ନୟାଗଡ଼ର ବାଜିଆ ରାଉତ (୪୨)। ପୁଲିସ ସେମାନଙ୍କଠାରୁ ଚୋରିରେ ବ୍ୟବହୃତ ଟାଟା ଏସି ଗାଡ଼ି ଜବତ କରିଛି ଓ ଗ୍ୟାଙ୍ଗ୍‌ର ଅନ୍ୟମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଭୁବନେଶ୍ୱର ବିଭିନ୍ନ ବସ୍ତିରେ ରହୁଥିବା ଏହି ଗ୍ୟାଙ୍ଗ୍‌ ୧୬ ନମ୍ବର ଜାତୀୟ ରାଜପଥରେ ମଧ୍ୟ ଲୁଟ୍‌ପାଟ୍‌ କରୁଥିବା ଜଣାପଡ଼ିଛି। ସୂଚନାନୁସାରେ ସୋମବାର ରାତି ପ୍ରାୟ ୨ଟା ବେଳେ ପପୁ ପାତ୍ର ଏହି ଡିପୋର ପଛ ପାଚେରି ଡେଇଁ ଭିତରକୁ ପଶିଥିଲା। ପାଚେରି ଆରପଟେ ଅଟୋ ସହ ଅନ୍ୟ ୪/୫ଜଣ ଅପେକ୍ଷା କରିଥିଲେ। ପପୁ ପ୍ରଥମେ ଗୋଟିଏ ତମ୍ବା କେବୁଲ ବଣ୍ଡଲ ଉଠାଇ ପାଚେରି ଡିଅାଁଇ ଦେଇଥିଲା। ମାତ୍ର ଏତିକିବେଳେ ସୁରକ୍ଷା କର୍ମୀ ନାରାୟଣ ଭୂୟାଁ ଓ ହିମାଂଶୁ ଶେଖର ପାତାଳ ପପୁକୁ ଦେଖି ଦେଇଥିଲେ। ସେମାନେ ବଡ଼ ସତର୍କତାର ସହ ଛପି ଛପି ଯାଇ ପପୁକୁ ମାଡ଼ି ବସିଥିଲେ। ପପୁ ଚିତ୍କାର କରିବାରୁ ପାଚେରି ଆରପଟେ ଥିବା ଅନ୍ୟମାନେ ଅଟୋ ନେଇ ପଳାଇଥିଲେ। ପାଟି ଶୁଣି ଅନ୍ୟ ସୁରକ୍ଷା କର୍ମୀମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ ଓ ପପୁକୁ ବହେ ଛେଚି ଥିଲେ। ଖବର ପାଇ ଯାଁଳା ଫାଣ୍ଡି ପୁଲିସ ସେଠାରେ ପହଞ୍ଚି ପପୁକୁ ଫାଣ୍ଡିକୁ ନେଇଥିଲା। ତା ଠାରୁ ସୂଚନା ପାଇ ପୁଲିସ ଆଜି ଭୁବନେଶ୍ୱର ଭରତପୁରରେ ଚଢ଼ଉ କରି ବାଜିଆକୁ ଧରିବା ସହ ତା ଟାଟା ଏସି (ଓଆର୦୨ ବିଏସ୍‌-୮୨୬୫)କୁ ଜବତ କରିଥିଲା। ଏହି ଡିପୋକୁ ସେମାନେ ପୂର୍ବରୁ ବହୁଥର ଟାର୍ଗେଟ୍‌ କରିଥିବା ପୁଲିସ ନିକଟରେ ସ୍ୱୀକାର କରିଛନ୍ତି। ଏମିତିକି ଏହି ଗ୍ୟାଙ୍ଗ୍‌ ୟୁକୋ ବ୍ୟାଙ୍କ ଏଟିଏମ୍‌ ଭାଙ୍ଗି ଲୁଟ୍‌ କରିବାକୁ ଉଦ୍ୟମ କରିଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର