ଛାତ୍ରଙ୍କ ହାତରୁ କଇଁଚିରେ ରାଖୀ କାଟିଦେବା ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା; ଶିକ୍ଷା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି

ଗାନ୍ଧିନଗର: ରକ୍ଷାବନ୍ଧନ ପରଦିନ ଛାତ୍ରମାନଙ୍କ ହାତରୁ ରାଖୀ କାଟି ଦେବା ପରେ ଗୁଜୁରାଟ ସରକାର ଗାନ୍ଧିନଗରର ଏକ ସ୍କୁଲ୍‌କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। ସ୍କୁଲ୍‌ର ଜଣେ ଶିକ୍ଷକ ଛାତ୍ରଙ୍କ ହାତରୁ ବଳପୂର୍ବକ କଇଁଚିରେ ରାଖୀ କାଟିଦେବା ପରେ ସେହି ଛାତ୍ରମାନଙ୍କର ମାଆବାପା ଗୁଜୁରାଟ ଶିକ୍ଷା ବିଭାଗରେ ଅଭିଯୋଗ ଆଣିବା ପରେ କଥା ସରକାରୀ ସ୍ତରରେ ପହଞ୍ଚିଛି।

ଗାନ୍ଧିନଗରର ମାଉଣ୍ଟ୍‌ ଚାର୍ମେଲ୍‌ ହାଇ ସ୍କୁଲ୍‌ର ଶିକ୍ଷକ ସ୍କୁଲ୍‌ର ପଞ୍ଚମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ କକ୍ଷକୁ ଯିବା ପରେ ଏପରି ଆଚରଣ କରିଥିଲେ। ଏ ନେଇ ସ୍କୁଲ୍‌କୁ ଏକ ନୋଟିସ୍‌ ପ୍ରେରଣ କରାଯାଇଛି ବୋଲି ଶିକ୍ଷା ମନ୍ତ୍ରୀ ଭୁପେନ୍ଦ୍ରସିଂ ଚଡ଼ାସମା ବୁଧବାର ଜଣାଇଛନ୍ତି।

ଏ ସଂପର୍କରେ ମନ୍ତ୍ରୀ କହନ୍ତି ଯେ, ‘ଏପରି ଘଟଣା ଘଟିବା ସଂପୂର୍ଣ୍ଣ ରୂପେ ଅନୁଚିତ। ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କରୁଥିବା କୌଣସି କାର୍ଯ୍ୟକୁ ଆମେ ସହ୍ୟ କରିବୁ ନାହୁଁ। ମୋ ବିଭାଗ ପକ୍ଷରୁ ସ୍କୁଲ୍‌କୁ ଏକ ନୋଟିସ୍‌ ଜାରି କରାଯାଇଛି। କିଏ ଏହା କରିଛି ଏବଂ ଏପରି କରିବାକୁ କିଏ ଆଦେଶ ଦେଇଛି ବୋଲି ସ୍କୁଲ୍‌କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ଏହାର ଉତ୍ତର ମିଳିବା ପରେ ଆମେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।’

ସମ୍ବନ୍ଧିତ ଖବର