ହୋମଓ୍ଵାର୍କ କରି ନଥିବାରୁ ତୃତୀୟ ଶ୍ରେଣୀ ଛାତ୍ରକୁ ୪୦ଟି ଚାପୁଡା, ଭୟରେ ପିଲା ଅସୁସ୍ଥ

କାନପୁର: ଉତ୍ତରପ୍ରଦେଶର କାନପୁର ଏକ ନାମୀଦାମୀ ସ୍କୁଲରେ ଶିକ୍ଷକ ହୋମଓ୍ଵାର୍କ କରି ନ ଥିବାରୁ ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ୪୦ଟି ଚାପୁଡା ମାରିଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣା ପରେ ଛାତ୍ରକୁ ଭୟରେ ଜ୍ୱର ହୋଇଯାଇଛି। ଏହାକୁ ନେଇ ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କେବଳ ଏତିକି ନୁହେଁ, ଏହି ଘଟଣା ପୂର୍ବରୁ ଶିକ୍ଷକ ଉକ୍ତ ପିଲାର ପୋଷାକ ଖୋଲି ମାଡ ମାରିଥିବାର ଅଭିଯୋଗ ବି ହୋଇଥିଲା।

ସୂଚନାଯୋଗ୍ୟ, ୟୁନାଇଟେଡ ପବ୍ଲିକ୍‌ ସ୍କୁଲରେ ଯୁବରାଜ ପାଠପଢ଼େ। ତେବେ ନିକଟରେ ସେ ହୋମଓ୍ଵାର୍କ କରି ନଥିବାରୁ ସ୍କୁଲର ଶିକ୍ଷକ ୪୦ଜଣ ସହପାଠୀଙ୍କୁ ଯୁବରାଜ ଗାଲରେ ଚାପୁଡା ମାରିବାକୁ କହିଥିଲେ। ଯୁବରାଜର ମା’ ଯେତେବେଳେ ପିଲାକୁ ସ୍କୁଲ ନେବାକୁ ଆସିଥିଲେ, ସେ ଗାଲରେ ଚାପୁଡା ଦାଗ ଥିବା ଦେଖିବାକୁ ପାଇଥିଲେ। କ’ଣ ହୋଇଛି ବୋଲି ଯୁବରାଜକୁ ଯେତେ ପଚାରିଥିଲେ ହେଁ ସେ କିଛି କହି ନଥିଲା। ଘରକୁ ଆସି ତାର ଜେଜେ ମା’ଙ୍କୁ ସମସ୍ତ ଘଟଣା ସମ୍ପର୍କରେ କହିଥିଲା। ଏହାପରେ ଯୁବରାଜ ପିତା ସ୍କୁଲ କର୍ତ୍ତୁପକ୍ଷଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ତେବେ ଯୁବରାଜଙ୍କୁ ପିଲାଙ୍କ ଦ୍ୱାରା ଚାପୁଡ଼ା ଖୁଆଇ ଥିବା ଶିକ୍ଷକ କହନ୍ତି ୪୦ନୁହେଁ ବରଂ ଦୁଇଜଣ ପିଲାଙ୍କ ଦ୍ୱାରା ଯୁବରାଜଙ୍କୁ ଚାପୁଡ଼ା ମାରିବା ପାଇଁ କହିଥିଲି। କାରଣ ଯୁବରାଜ ବହୁତ ଦୁଷ୍ଟ ପିଲା, ସେ କାହାରି କଥା ଶୁଣେ ନାହିଁ କି ହୋମଓ୍ଵାର୍କ କେବେ ବି କରି ଆଣେ ନାହିଁ। ଯଦ୍ୱାରା ଅନ୍ୟ ପିଲାଙ୍କ ଉପରେ ଏହାର କୁପ୍ରଭାବ ପଡ଼ିଥାଏ।

ତେବେ ଏହି ଘଟଣା ପରେ ଯୁବରାଜ ସ୍କୁଲ ନାମ ଶୁଣିବା ମାତ୍ରେ କମ୍ବଳ ଭିତରେ ମୁହଁ ଲୁଚାଇ ଦେଉଛି। ଯେତେ କହିଲେ ମଧ୍ୟ ସେ କାହାରି କଥା ଶୁଣୁ ନାହିଁ। ପାଠପଢ଼ିବା ପାଇଁ ତାର ପିତା-ମାତା ମନୋବିଜ୍ଞାନୀଙ୍କ ପାଖକୁ ନେଇ ତାର ଚିକିତ୍ସା କରାଉଛନ୍ତି। ଏହି ଘଟଣା ପ୍ରଥମ ନୁହେଁ, ଏହାପୂର୍ବରୁ ହାଡଭଙ୍ଗା ଶୀତରେ ଯୁବରାଜକୁ ପୋଷାକ ଖୋଲି ଶିକ୍ଷକ ତାକୁ ଦଣ୍ଡ ଦେଇଥିଲେ। ଏହି ଘଟଣା ସମ୍ପର୍କରେ ଘରେ ଜଣାଇଲେ ଏଭଳି ଅଧିକରୁ ଅଧିକ ଦଣ୍ଡ ମିଳିବ ବୋଲି ବି ଯୁବରାଜକୁ ଶିକ୍ଷକ ଧମକ ଦେଇଥିଲେ।

ଯୁବରାଜ ପିତା-ମାତାଙ୍କ ଅଭିଯୋଗ କ୍ରମେ ଉକ୍ତ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।

ସମ୍ବନ୍ଧିତ ଖବର