ଇଞ୍ଜିନିୟରଙ୍କ ଝିଅକୁ ପତ୍ନୀ କହି ଘରକୁ ଜୋରଜବରଦସ୍ତ ପଶି ଆସିଥିଲେ ଏହି ଶିକ୍ଷୟିତ୍ରୀ, ଶୁଣାଇଲେ ପୂର୍ବଜନ୍ମର କାହଣୀ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ସହରର ତିଲକ ନଗର ପୁଲିସ ଶନିବାର ମୁମ୍ବାଇରୁ ଜଣେ ଶିକ୍ଷୟିତ୍ରୀ ଓ ତାଙ୍କ ସହିତ ଥିବା ଜଣେ ପୁରୁଷ ବନ୍ଧୁକୁ ଗିରଫ କରି ପଚରାଉଚରା ଜାରି ରଖିଛି। ଶିକ୍ଷୟିତ୍ରୀ ଇନ୍ଦୋରରେ ବସବାସ କରନ୍ତି, ଗତ କିଛିଦିନ ହେବ ସେ ଜଣେ ଇଞ୍ଜିନିୟରଙ୍କ ଝିଅ ଉପରେ ପୂର୍ବଜନ୍ମର ପତ୍ନୀ କହି ଜୋରଜବରଦସ୍ତ ଚାପ ପକାଉ ଥିବା ନେଇ ଅଭିଯୋଗ ହୋଇଛି।

ଗିରଫ ଉକ୍ତ ଶିକ୍ଷୟିତ୍ରୀଙ୍କ କହିବାନୁସାରେ, ଇଞ୍ଜିନିୟରଙ୍କ ଝିଅ ସହିତ ତାଙ୍କର ପୂର୍ବଜନ୍ମର ସମ୍ପର୍କ ରହିଛି। ଦୁହେଁ ଆର ଜନ୍ମରେ ସ୍ୱାମୀ-ସ୍ତ୍ରୀ ଥିଲେ ଓ ସଡ଼କ ଦୁର୍ଘଟଣାରେ ଦୁହିଁଙ୍କ ମୃତ୍ୟୁ ହୋଇଯାଇଥିଲା। ଶିକ୍ଷୟିତ୍ରୀ ଉକ୍ତ ଛାତ୍ରୀକୁ କେତବେଳେ ପୁର୍ବଜନ୍ମର ପତ୍ନୀ ତ ପୁଣି କେତବେଳେ ଭଉଣୀ ଥିବା ବୋଲି ବି କହୁଛନ୍ତି।

ମହିଳାଙ୍କ କଥା ଶୁଣି ଛାତ୍ରୀର ଘରଲୋକ ଆଶ୍ଚର୍ଯ୍ୟଚକିତ ହୋଇ ରହିଯାଇଥିଲେ। ସେମାନେ ମହିଳାଙ୍କୁ ଅନେକ ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ନିଜ ଜିଦ୍‌ରେ ଅଟଳ ଥିଲେ। ଛାତ୍ରୀକୁ ଭେଟିବା ପାଇଁ ସେ ବହୁ କାକୁତିମୀନତି ହୋଇଥିଲେ ଏପରି କି ଛାତ୍ରୀର ରୋଗିଣା ମା’ର ଗୋଡ ମଧ୍ୟ ଧରି ପକାଇଥିଲେ। ଏଭଳି ଅବସ୍ଥା ଦେଖି ଛାତ୍ରୀଙ୍କ ପରିବାରଲୋକ ପୁଲିସକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ, ଚୌହାନ୍‌ ନଗରର ୩୫ବର୍ଷୀୟ େଓ୍ଵରୋନିକା ଓ ସିପାହୀ ଆନନ୍ଦ ମୁଣ୍ଡେଙ୍କୁ ଗିରଫ କରାଯାଇଛି। େଓ୍ଵରୋନିକା ମେକାନିକାଲ ଇଞ୍ଜିନିୟ ଦିନେଶଙ୍କ ଘରେ ପଶି ତାଙ୍କ ଝିଅକୁ ଭେଟିବା ପାଇଁ ଜିଦ୍‌ ଧରି ବସିଥିଲେ। ସେମାନେ ଦୁହେଁ ପୂର୍ବଜନ୍ମରେ ସ୍ୱାମୀ-ସ୍ତ୍ରୀ ଥିଲେ ଏବଂ ସଡ଼କ ଦୁର୍ଘଟଣାରେ ଦୁହିଁଙ୍କ ମୃତ୍ୟୁ ହୋଇଯାଇଥିଲା ଏବେ ସେମାନେ ଏକାଠି ରହିବାକୁ ଚାହୁଁଛନ୍ତି ବୋଲି ଉକ୍ତ ମହିଳା କହିଥିଲେ।

ଛାତ୍ରୀ ମାମୁଁଙ୍କ କହିବାନୁସାରେ, ତାଙ୍କ ଭଉଣୀ କର୍କଟ ରୋଗରେ ପୀଡିତ ଥିଲା। ଚାରିମାସ ପୂର୍ବରୁ ଭାଣିଜୀ ତାର ମା’ର ଚିକିତ୍ସା ପାଇଁ ମୁମ୍ବାଇର ଟାଟା ହସ୍‌ପିଟାଲକୁ ଯାଇଥିଲେ। ଟାଟା ହସ୍‌ପିଟାଲରେ ତାଙ୍କର େଓ୍ଵରୋନିକାଙ୍କ ସହିତ ଭେଟ ହୋଇଥିଲା। ସେ ଭାଣିଜୀଠାରୁ  ମୋବାଇଲ ନମ୍ବର ନେଇଥିଲେ। କିଛିଦିନ ପରେ ସେ ଝିଅକୁ କଲ କରି ପୂର୍ବଜନ୍ମର ସମ୍ପର୍କ ଥିବା କଥା କହିଥିଲେ। ଏହା ଜାଣିବା ପରେ ଝିଅର ଫୋନ୍‌ ନମ୍ବର ବଦଳାଇ ଦିଆଯାଇଥିଲା। ଏହା ସତ୍ତ୍ୱେ ବି ସେ ଘରେ ଆସି ପହଞ୍ଚି ଯାଇଥିଲେ। ମହିଳାଙ୍କ ଏଭଳି କାଣ୍ଡ ବିଷୟରେ ତାଙ୍କ ସ୍ୱାମୀଙ୍କୁ କୌଣସି ସୁରାଖ ନଥିଲା।

ସମ୍ବନ୍ଧିତ ଖବର