ଗଣଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା ଦୁଷ୍କର୍ମକାରୀଙ୍କ ଫୋନ୍‌ ଚୋରାଇ ସେମାନଙ୍କୁ ପୁଲିସ୍‌ ହାତରେ କରାଇଲା ଗିରଫ

କୁଶୀନଗର (ମହାରାଷ୍ଟ୍ର): ଦୁଇଜଣ ଦୁଷ୍କର୍ମକାରୀଙ୍କ ଦ୍ୱାରା ଅମାନୁଷିକ ଭାବେ ଗଣଦୁଷ୍କର୍ମର ଶିକାର ହେବାପରେ, ଜଣେ ପୀଡ଼ିତା ସଂପୃକ୍ତ ଦୁଷ୍କର୍ମକାରୀଙ୍କୁ ପୁଲିସ୍‌ ହାତରେ ଗିରଫ କରାଇବା ପାଇଁ ନିଜର ଯେଉଁ ଅପୂର୍ବ ସାହସିକତା ପ୍ରଦର୍ଶନ କରିଛି, ତାହା ଏବେ ସମଗ୍ର ମହାରାଷ୍ଟ୍ରରେ ଚର୍ଚ୍ଚାର ବିଷୟ ପାଲଟିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଯୁକ୍ତ ଦୁଇ ପ୍ରଥମ ବାର୍ଷିକ ଶ୍ରେଣୀରେ ପଢ଼ୁଥିବା କୁଶୀନଗର ଅଞ୍ଚଳର ଜନୈକା ୧୮ ବର୍ଷ ବୟସ୍କା ବାଳିକା ଗତ ଶନିବାର ସନ୍ଧ୍ୟାରେ ଘରୁ ପଦାକୁ ଆସିଥିବା ବେଳେ ଶେଖ୍‌ ସଲାମ୍‌ ଓ ଶ୍ରୀରାମ ଶ୍ରୀବାସ ନାମକ ଦୁଇ ଯୁବକ ବାଳିକା ଜଣଙ୍କୁ ଅପହରଣ କରି ନେଇଥିଲେ। ପରେ ସେମାନେ ବାଳିକା ଜଣକୁ ଏକ ପରିତ୍ୟକ୍ତ ଘର ମଧ୍ୟରେ ହାତଗୋଡ଼ ବାନ୍ଧି ବନ୍ଦୀକରି ରଖିବା ସହ ବାଳିକା ଜଣକୁ ବଳପୂର୍ବକ ମଦ ପିଆଇ ଥିଲେ। ପରେ ଦୁଇ ଅପହରଣକାରୀ ବାଳିକା ଜଣକୁ ଏକାଧିକବାର ଗଣଦୁଷ୍କର୍ମ କରିଥିଲେ। ଏପରିକି ବାଳିକା ଜଣକ ସହ ସେମାନେ ଅପ୍ରାକୃତିକ ଯୌନକ୍ରିୟା ମଧ୍ୟ କରିଥିଲେ। ତେବେ, ବାଳିକା ଜଣକକୁ ଦୁଷ୍କର୍ମ କରିସାରିବା ପରେ ଦୁଷ୍କର୍ମକାରୀମାନେ ଯେତେବେଳେ ପ୍ରଚୁର ମଦ୍ୟପାନ କରି ଶୋଇ ପଡ଼ିଥିଲେ, ସେତେବେଳେ ବାଳିକା ଜଣକ କୌଶଳ କ୍ରମେ ସେମାନଙ୍କ କବଳରୁ ଖସି ଆସିଥିଲା। ତେବେ, ଦୁଷ୍କର୍ମକାରୀଙ୍କ କବଳରୁ ଖସି ଆସିବା ସମୟରେ ବାଳିକା ଜଣକ ସାହସିକତାର ପରିଚୟ ଦେଇ ସେମାନଙ୍କର ମୋବାଇଲ ଫୋନ୍‌କୁ ସାଙ୍ଗରେ ଧରି ଆସିଥିଲା। ପରେ ବାଳିକା ଜଣକ ପୁଲିସ୍‌ ଥାନାକୁ ଘଟଣା ସଂପର୍କରେ ଅଭିଯୋଗ କରିବା ସହ ସାଙ୍ଗରେ ଧରି ଆସିଥିବା ଦୁଷ୍କର୍ମକାରୀଙ୍କ ଫୋନକୁ ପୁଲିସଙ୍କୁ ଦେଇଥିଲା। ପରେ ପୁଲିସ୍‌ ସେଇ ଫୋନ୍‌ ସାହାଯ୍ୟରେ ଦୁଇ ଦୁଷ୍କର୍ମକାରୀ ଶେଖ୍‌ ସଲାମ୍‌ ଓ ଶ୍ରୀରାମ ଶ୍ରୀବାସକୁ ଗିରଫ କରିଥିଲା। ଗିରଫ ଦୁଇ ଦୁଷ୍କର୍ମକାରୀ କୁଖ୍ୟାତ ଅପରାଧୀ ଏବଂ ଦୀର୍ଘଦିନ ଧରି ଫେରାର ଥିଲେ ବୋଲି ପୁଲିସ୍‌ ସୂଚନା ଦେଇଛି।

ସମ୍ବନ୍ଧିତ ଖବର