ଫିଲ୍ମ ଟିକେଟ କିଣିବା ପାଇଁ ଟଙ୍କା ନ ଦେବାରୁ ନିଜ ବାପାକୁ ଜିଅନ୍ତା ଜାଳି ଦେଲା ପୁଅ

ଭେଲୋର(ତାମିଲନାଡୁ): ତାମିଲନାଡୁର ଭେଲୋରରେ ଜଣେ ପୁଅ ନିଜ ବାପାକୁ ଜିଅନ୍ତା ଜାଳିଦେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଗୁରୁବାର ତାମିଲ ଷ୍ଟାର ଅଜିତ୍‌ଙ୍କ ଫିଲ୍ମ ବିଶ୍ୱାସମ୍‌ ରିଲିଜ୍‌ ହେବା ପରେ ଅଭିଯୁକ୍ତ ପୁଅ ଫିଲ୍ମ ଟିକେଟ କିଣିବା ପାଇଁ ବାପାଙ୍କୁ ଟଙ୍କା ମାଗିଥିଲା । କିନ୍ତୁ ପୀଡ଼ିତ ମନା କରିବାରୁ ଅଭିଯୁକ୍ତ ପୁଅ ନିଜ ବାପାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲା । ଘଟଣା ଘଟିବାର ତୁରନ୍ତ ପରେ ପୀଡ଼ିତଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଛି ।

Times of India

ସୂଚନା ମୁତାବକ, ପାଣ୍ଡିଆନ୍‌ ନିଜ ସ୍ତ୍ରୀଙ୍କ ସହ ଝଗଡ଼ା କରି ଘର ଠାରୁ କିଛି ଦୂରରେ ଥିବା ଏକ ବନ୍ଦ ଦୋକାନ ବାହାରେ ଶୋଇଥିଲେ । ଗୁରୁବାର ସକାଳୁ ତାଙ୍କ ପୁଅ ଅଜିତ୍‌ ତାଙ୍କ ପାଖକୁ ଯାଇ ଫିଲ୍ମ ଟିକେଟ ପାଇଁ ଟଙ୍କା ମାଗିଥିଲେ । ପାଣ୍ଡିଆନ୍‌ ଦିନ ମଜୁରିଆ ହୋଇଥିବାରୁ ସେ ଟଙ୍କା ନଥିବା କହି ମନା କରି ଦେଇଥିଲେ । ରାଗରେ ଅଜିତ୍‌ ଘରୁ କିରୋସିନ ନେଇ ପାଣ୍ଡିଆନ୍‌ଙ୍କ ଦେହରେ ଢ଼ାଳି ନିଆଁ ଲଗାଇ ସେଠାରୁ ଫେରାର ହୋଇ ଯାଇଥିଲେ । ପାଣ୍ଡିଆନ୍‌ଙ୍କ ଚିତ୍କାର ଶୁଣି ଲୋକମାନେ ନିଆଁ ଲିଭାଇବା ସହ ଭେଲୋରରେ ଥିବା ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଅନ୍ୟ ପକ୍ଷରେ ଏ ବିଷୟରେ ଜଣା ପଡ଼ିବା ପରେ ଅଜିତ୍‌କୁ ଅଟକ ରଖି ପୁଲିସ ପଚାଉଚରା ଆରମ୍ଭ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର