ପୁଲିସ କୁକୁରକୁ ଡରି ୧୬ ଲକ୍ଷ ଟଙ୍କାର ସୁନା ଗହଣା ଫେରାଇଦେଲେ ଚୋର

ଚେନ୍ନାଇ: ଜଣେ ୪୦ ବର୍ଷୀୟ ମହିଳାଙ୍କ ଠାରୁ ସପ୍ତାହେ ତଳେ ଚୋରାଇ ନେଇଥିବା ୧୬ ଲକ୍ଷ ଟଙ୍କା ମୂଲ୍ୟର ଗହଣାକୁ ଚୋରମାନେ ସମ୍ଭବତଃ ପୁଲିସ କୁକୁରକୁ ଡରି ଫେରାଇ ଦେଇଛନ୍ତି।

ଅଗଷ୍ଟ ୨୬ ତାରିଖ ଦିନ ପେରାମ୍ବୁର ଅନ୍ତର୍ଗତ ଚିନ୍ନାସାମି ଷ୍ଟ୍ରିଟ୍‌ର ଇମ୍‌ତିୟାସ୍‌ ଅବୁବାକର୍‌ ପିଲାପିଲିଙ୍କ ସହ ପଦାକୁ ଯାଇଥିଲେ। ରାତି ସାଢ଼େ ଦଶଟା ପାଖାପାଖି ଘରକୁ ଫେରି ଦେଖିଲେ, କବାଟ ମୁକୁଳା ଓ ଘରୁ ମୂଲ୍ୟବାନ ଜିନିଷ ଉଭାନ୍‌। ଅବୁବାକର୍‌ ତୁରନ୍ତ ସେମ୍ବୁଇନ୍‌ ଥାନାରେ ଅଭିଯୋଗ ଦାଏର କଲେ।

ପୁଲିସ ବାସିନ୍ଦାଙ୍କ ଆଙ୍ଗୁଠି ଚିହ୍ନ ନେଇ ତଦନ୍ତ ଆରମ୍ଭ କଲେ। ପୀଡ଼ିତାଙ୍କ ଆତ୍ମୀୟ ଓ ପଡ଼ୋଶୀମାନେ ତଦନ୍ତରେ ଅସହଯୋଗ କରିବାକୁ, ମାମଲା ଭିତିରି ଲୋକଙ୍କ କାମ ବୋଲି ପୁଲିସର ସନ୍ଦେହ ହୋଇଥିଲା। ଘଟଣାସ୍ଥଳରୁ ଯିବା ପୂର୍ବରୁ ଅଧିକାରୀମାନେ ପୀଡ଼ିତା ଓ ତାଙ୍କ ପରିବାରକୁ କହିଲେ କି, ଏଇଟା ଭିତିରି ଲୋକଙ୍କ କାମ ହୋଇଥିବାରୁ ସନ୍ଧାନୀ କୁକୁରଙ୍କ ଦ୍ୱାରା ଅପରାଧୀଙ୍କୁ ଧରାଯିବ। ଜଣକ ଉପରେ ଆମର ସନ୍ଦେହ ହେଉଛି, ଦୁଇ ଦିନ ମଧ୍ୟରେ ସତକଥା ଧରାପଡ଼ିବ।

ରବିବାର ଦିନ ଅବୁବାକର୍‌ଙ୍କ ମାଆ ୭୧ ବର୍ଷୀୟ ଜମୀଲା ୭୫୦ ଗ୍ରାମ୍‌ ସୁନା ଅଳଙ୍କାର ଥିବା ବ୍ୟାଗ୍‌ ଦାଣ୍ଡ ଦୁଆରୁ ପାଇଲେ।

ଜଣେ ତଦନ୍ତକାରୀ ଅଧିକାରୀ କହିଛନ୍ତି: ସେମାନେ ଚୋରି ସୁନା ଅଳଙ୍କାର ଫେରି ପାଇଲେ। ପରିବାରର କେହି ସଦସ୍ୟ କିଂବା ସେମାନଙ୍କୁ ଚିହ୍ନି ଥିବା କାହାର ଭୂମିକା ଏଥିରେ ରହିଛି। ସନ୍ଧାନୀ ଶ୍ୱାନ ଅଣାଯିବ ବୋଲି ଶନିବାର ଅପରହ୍ଣରେ ଦିଆଯାଇଥିବା ଚେତାବନୀର ସୁଫଳ ମିଳିଲା। ଚୋରମାନେ ସମ୍ଭବତଃ ଡରିଗଲେ।

ଏଇଟା ଥିଲା ଗୋଟାଏ କୌଶଳ। ପୀଡ଼ିତା ଏକ ବିରାଟ ଯୌଥପରିବାରର ସଦସ୍ୟ। ସେମାନେ ଆମକୁ ତଦନ୍ତରେ ସାହାଯ୍ୟ କଲେ ନାହିଁ। ଚୋରି ହୋଇଥିବା ଗହଣାରୁ ୪୦୦ ଗ୍ରାମ୍‌ ତାଙ୍କର ଜଣେ ବନ୍ଧୁଙ୍କର।

ସମ୍ବନ୍ଧିତ ଖବର