ମେଟ୍ରୋ ଟ୍ରେନ୍‌ରେ ପକେଟ୍‌ମାର୍‌ କରି ୨୫ ଲକ୍ଷ ଟଙ୍କା ଉପାର୍ଜନ କରିଛନ୍ତି ଏଇ ମହିଳାମାନେ

ନୂଆଦିଲ୍ଲୀ: ଗହଳି ସମୟରେ ଦିଲ୍ଲୀ ମେଟ୍ରୋ ଟ୍ରେନ୍‌ରେ ଏ ମହିଳାମାନେ ଅସୁସ୍ଥ ହୋଇପଡ଼ିବା କିବଂ ଅସ୍ୱାଭିକ ଭେଳିକି ଦେଖାଇ କୌଶଳରେ ଲୋକମାନଙ୍କ ମୂଲ୍ୟବାନ ଜିନିଷପତ୍ର ଧରି ଚମ୍ପଟ୍‌ ମାରନ୍ତି।

ଦିଲ୍ଲୀ ମେଟ୍ରୋ ପୁଲିସ ଏ ଭଳି ଦୁଇ ମହିଳା ଗ୍ୟାଙ୍ଗ୍‌କୁ ଠାବ କରି ତାଙ୍କ ଠାରୁ ପ୍ରାୟ ୨୫ ଲକ୍ଷ ଟଙ୍କାର ସୁନା ଓ ହୀରା ଗହଣା ଉଦ୍ଧାର କରିଛି।
ସେଥିରୁ ଗୋଟିଏ ଗ୍ୟାଙ୍ଗ୍‌ କାଠପୁତୁଳି କଲୋନିରେ ରହନ୍ତି।

ଅପରାଧ ଜଗତ୍‌କୁ ନୂଆ କରି ଆସିଥିବା ଏହି ମହିଳା ଚୋର ଦଳ ଅଜ୍ଞାତ ଭାବେ କାମ କରନ୍ତି ଏବଂ ସହଜରେ ଧରା ପଡ଼ନ୍ତି। ସେହି ଗ୍ୟାଙ୍ଗ୍‌ ସଦସ୍ୟାଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ୨୫ ବର୍ଷୀୟ କାଟ୍ରିନା ଏବଂ ୨୨ ବର୍ଷୀୟ ବର୍ଷା। ସେମାନଙ୍କୁ ଦିଲ୍ଲୀ ମେଟ୍ରୋରୁ ଚୋରି କରିବାର ଆଦବକାଇଦା ଶିଖାଇ ଥିଲେ ୩୦ ବର୍ଷୀୟ ଲକ୍ଷ୍ମୀ। ଗିରଫ କରାଯିବା ପରେ ସେମାନଙ୍କ ଠାରୁ ୧୫ ଲକ୍ଷ ଟଙ୍କାର ଗହଣାଗାଣ୍ଠି ଉଦ୍ଧାର କରାଯାଇଥିଲା।

Image Courtesy of TOI

କାଠପୁତୁଳି କଲୋନିର ବାସିନ୍ଦାମାନେ ବହୁ ବର୍ଷ ହେବ ସେମାନଙ୍କ ଅଞ୍ଚଳରେ ରହୁଥିବା ମହିଳା ପକେଟ୍‌ମାର୍‌ଙ୍କ ସଂସ୍ପର୍ଶରେ ଆସି ପକେଟ୍‌ମାରୁ କରିବାକୁ ପ୍ରଭାବିତ ହୋଇଛନ୍ତି। ଲକ୍ଷ୍ମୀ ମଧ୍ୟ ଏହି କୌଶଳ ଶିଖିଲା। କିନ୍ତୁ ଧରାପଡ଼ିଯିବା ଭୟରେ ସେ ଏକା ଏକା ଏହି କାମ କଲା। କ୍ରମେ ଅନ୍ୟ ୧୦ ଜଣଙ୍କୁ ସେ କାମରେ ଲଗାଇଲା।

ଶୁକ୍ରବାର ସନ୍ଧ୍ୟାରେ ମେଟ୍ରୋରେ ତାଙ୍କ ଗହଣା ଚୋରି ହୋଇ ଗଲା ବୋଲି ଗୁରବିନ୍ଦର୍‌ ସିଂହ ଅଭିଯୋଗ କରିଥିଲେ। ପୁଲିସ ଗୋଟିଏ ଟିମ୍‌ ଗଠନ କରି ଷ୍ଟେସନ୍‌ରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କଲା। ତୁରନ୍ତ ପୁଲିସ ପକେଟ୍‌ମାରୁ ଗ୍ୟାଙ୍ଗ୍‌ ଉପରେ ଦୃଷ୍ଟି ନିବଦ୍ଧ କରି ପାରି ସେମାନେ ଆଉ କିଛି ଚୋରାଇବା ପୂର୍ବରୁ ତାଙ୍କୁ ଧରି ପକାଇଥିଲେ।

ପଚରା ଉଚୁରାରୁ ଜଣାପଡ଼ିଲା, ଅଭିଯୁକ୍ତ ମହିଳାମାନେ ମହାରାଷ୍ଟ୍ରର ବାସିନ୍ଦା ଏବଂ କିଛି ବର୍ଷ ହେବ ଦିଲ୍ଲୀକୁ ଆସିଛନ୍ତି। କାଠପୁତୁଳି କଲୋନିରେ ତାଙ୍କ ଝୁମ୍ପୁଡ଼ି ଭଙ୍ଗାଯିବା ପରେ ସେଠାରେ ଅସ୍ଥାୟୀ ପଲାମାରି ସେମାନେ ରହୁଛନ୍ତି। ରୋଜଗାର ପାଇଁ ଅନ୍ୟ ପନ୍ଥା ନ ଥିବାରୁ ସେମାନେ ଚୋରି କରିବାକୁ ମେଟ୍ରୋ ଟ୍ରେନ୍‌କୁ ଉଚିତ ମଣିଥିଲେ। କାରଣ ମେଟ୍ରୋରେ ଖୁବ୍‌ ଜନଗହଳି ହେଉଥିବାରୁ ସେଠାରୁ ଖସିଯିବା ସହଜ।

ଗୋଟିଏ ଗ୍ୟାଙ୍ଗ୍‌ରେ ୩ ରୁ ୧୦ ଜଣ କାମ କରନ୍ତି। ସନ୍ଦେହ ନ ହେବା ପାଇଁ ସେମାନଙ୍କ ମଧ୍ୟରୁ କେତେ ଜଣ ଛୁଆ କାଖେଇ ଥାଆନ୍ତି। ସେମାନେ ଚୋରି କରିବାକୁ ମନସ୍ଥ କରିଥିବା ଲୋକଙ୍କ ପାଖରେ ବସନ୍ତି ଏବଂ ବେଳକାଳ ଉଣ୍ଡି ତାଙ୍କ ବ୍ୟାଗ୍‌ ଆଦି ଖୋଲି ଦାମିକା ଚିଜ ଚୋରାଇ ନିଅନ୍ତି। ଜିନିଷ ନେବା ପରେ ସେମାନେ ସେଠାର ଉପସ୍ଥିତ ଥିବା ଗ୍ୟାଙ୍ଗ୍‌ର ଅନ୍ୟ ଜଣକୁ ସେ ଚିଜ ତୁରନ୍ତ ହସ୍ତାନ୍ତର କରି ଦିଅନ୍ତି। ଏମିତି କଲେ, ଯଦି ତଲାସ ନିଆଯାଏ ତା’ ପାଖରୁ କିଛି ମିଳିବ ନାହିଁ। ଗ୍ୟାଙ୍ଗ୍‌ ସମସ୍ତେ ସମସ୍ତଙ୍କ ଠାରୁ ଛାଡ଼ି ଅଲଗା ହୋଇ ଥାଆନ୍ତି ଏବଂ ଭିନ୍ନ ଭିନ୍ନ ଷ୍ଟେସନରେ ଓହ୍ଲାନ୍ତି।

Image Courtesy of HT

ଦ୍ୱିତୀୟ ଗ୍ୟାଙ୍ଗ୍‌ ଠାରୁ ଗତ ସପ୍ତାହରେ ପୁଲିସ ୧୦ ଲକ୍ଷର ଟଙ୍କାର ଜିନିଷ ଉଦ୍ଧାର କରିଛି। ଅଭିଯୁକ୍ତାମାନେ ହେଉଛନ୍ତି ୬୫ ବର୍ଷୀୟ ବାସନ୍ତୀ, ୨୨ ବର୍ଷୀୟ ସୁମନ ଏବଂ ୨୩ ବର୍ଷୀୟ ନୈନା।

ଏ ଭଳି ଚୋରି ମାମଲାରେ ଗତ ବର୍ଷେ ହେବ ପ୍ରାୟ ୧୧୦୦୦ ଏତଲା ଦିଆ ହୋଇଛି।

ସମ୍ବନ୍ଧିତ ଖବର