ଚୋର ଗିରଫ, ବ୍ୟାଟେରି ଜବତ

ଭୁବନେଶ୍ୱର: ଗାଡ଼ିରୁ ବ୍ୟାଟେରି ଚୋରି କରିବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଜଣେ ଚୋରକୁ ଗିରଫ କରିଛି। ପୁଲିସ ତାଠାରୁ ଗୋଟିଏ ବ୍ୟାଟେରି ଜବତ କରିଛି। ସେ ହେଲା ନୀଳକଣ୍ଠନଗର ସିବିଆଇ କଲୋନି ଅଞ୍ଚଳର ଶଙ୍କର ସାହୁ(୨୪)। ଶନିବାର ସକାଳେ କବିରାଜ ମହାପାତ୍ର ନାମକ ଜଣେ ବ୍ୟକ୍ତି ଖାରବେଳନଗର ସ୍ଥିତ ଏକ ବହି ଦୋକାନ ସମ୍ମୁଖରେ ଗାଡ଼ି ରଖି ଦୋକାନକୁ ଯାଇଥିଲେ। ତେବେ ସେ ଫେରିବା ବେଳକୁ ଶଙ୍କର ତାଙ୍କ ଗାଡ଼ିରୁ ବ୍ୟାଟେରି ଖୋଲୁଥିଲା। ତେବେ କବିରାଜଙ୍କୁ ଦେଖି ଶଙ୍କର ବ୍ୟାଟେରି ଧରି ଦୌଡ଼ିଥିଲା। କବିରାଜ ପାଟି କରିବାରୁ ସେଠାରେ ଥିବା ଲୋକମାନେ ଗୋଡ଼ାଇ ଗୋଡ଼ାଇ ଶଙ୍କରକୁ କାବୁ କରିଥିଲେ। ନିସ୍ତୁକ ମାଡ଼ ମାରିବା ସହ ପୁଲିସକୁ ଫୋନ୍‌କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶଙ୍କରକୁ ଗିରଫ କରି ଥାନାକୁ ନେଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତାକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର