ଚୋର ଗିରଫ, ବାଇକ୍‌ ଜବତ

ଭୁବନେଶ୍ୱର: ବାଇକ୍‌ ଚୋରି ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଚୋରକୁ ଗିରଫ କରିବା ସହ ବାଇକ୍‌ ଜବତ କରିଛି। ସେ ହେଲା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ଅଚ୍ୟୁତାନନ୍ଦ ରାଉତ(୨୪)।
ପୁଲିସ ସୂଚନା ମୁତାବ, ରବିବାର ସକାଳ ସମୟରେ ବିଜୟ ରାଉତ ନାମକ ଜଣେ ଯୁବକ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବାଇକ୍‌ ରଖି ଏକ ଦୋକାନକୁ ଯାଇଥିଲେ। ଫେରିବା ବେଳକୁ କେହି ତାଙ୍କ ବାଇକ୍‌ ନେଇଯାଇଥିଲା। ଏନେଇ ସେ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ବିଳମ୍ବିତ ରାତିରେ ପୁଲିସ ବିଗ୍‌ବଜାର ଛକ ନିକଟରେ ଚେକିଂ କରୁଥିଲା। ଏହି ସମୟରେ ସତ୍ୟନଗର ଓଭବ୍ରିଜ୍‌ ପଟୁ ଆସୁଥିବା ଅଚ୍ୟୁତାନନ୍ଦ ଚକିଂ ଦେଖି ଏପଟସେପଟ ହୋଇଥିଲା। ପୁଲିସ ସନ୍ଦେହ କରି ଅଚ୍ୟୁତାନନ୍ଦକୁ ଅଟକାଇଥିଲା। ଗାଡ଼ି କାଗଜପତ୍ର ମାଗିବାରୁ ଅଚୁତାନନ୍ଦ କୌଣସି କାଗଜପତ୍ର ଦେଇପାରି ନଥିଲା। ଏହାପରେ ପୁଲିସ ଗାଡ଼ିକୁ ଜବତ କରିବା ସହ ଅଚ୍ୟୁତାନନ୍ଦକୁ ଥାନକୁ ଆଣି ପଚରା ଉଚରା ପରେ ଗାଡ଼ିଟି ଚୋରି ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା। ପୁଲିସ ଆଜି ଅଚ୍ୟୁତାନନ୍ଦକୁ କୋର୍ଟ ଚାଲାଣ କରିବା ସହ ଗାଡ଼ିକୁ ବିଜୟଙ୍କୁ ହସ୍ତାନ୍ତର କରିଛି।

ସମ୍ବନ୍ଧିତ ଖବର