ଚୋର ଗିରଫ, ଟଙ୍କା ଓ ସୁନା ଜବତ

ଭୁବନେଶ୍ୱର : ଘରେ ପଶି ଚୋରି କରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ତା’ ନାଁ ତପନ ମହାନ୍ତି। ଘର କଟକ ଜିଲ୍ଲା ଚୌଦ୍ୱାର ଥାନା ଅଧୀନ ନଖରାଡିହ ଅଞ୍ଚଳରେ। ଏଠାରେ ଏକ ନମ୍ବର ଅଞ୍ଚଳରେ ଶ୍ରମିକ ଭାବେ କାମ କରୁଥିଲା। ତା’ ନିକଟରୁ ପୁଲିସ ଚୋରି ହୋଇଥିବା ଟଙ୍କା ଓ ସୁନା ଜବତ କରି ତାକୁ କୋର୍ଟ ଚାଲାଣ କରିଛି।

ମିଳିଥିବା ସୂଚନାନୁଯାୟୀ, ଗତ ୩ ତାରିଖ ରାତିରେ ସହିଦନଗର ପ୍ଲଟ ନମ୍ବର ୯୪ରେ ରହୁଥିବା ନକୁଳ ପୃଷ୍ଟି କୌଣସି ଏକ କାମରେ ପରିବାର ସହ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ଏକ ନମ୍ବର ଅଞ୍ଚଳରେ ଶ୍ରମିକ ଭାବେ କାମ କରୁଥିବା ତପନ ତାଙ୍କ ଘରେ ପଶି ନଗଦ ଟଙ୍କା ସହ ସୁନା ଅଳଙ୍କାର ଚୋରି କରି ନେଇଥିଲା। ଏନେଇ ତପନ ସହିଦ ନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଗତକାଲି ରାତିରେ ପୁଲିସ ସହିଦନଗର ଅଞ୍ଚଳରେ ପାଟ୍ରେଲିଂ କରୁଥିବା ସମୟରେ ତପନ ସେହି ଅଞ୍ଚଳରେ ସନ୍ଦେହଜନକ ଅବସ୍ଥାରେ ବୁଲାବୁଲି କରୁଥିଲା। ତପନ ଉପରେ ପୁଲିସର ସନ୍ଦେହ ହେବାରୁ ପୁଲିସ ତାକୁ ପାଖକୁ ଡାକିଥିଲା। ପୁଲିସକୁ ଦେଖି ତପନ ଦୌଡ଼ିବାକୁ ଆରମ୍ଭ କରିବାରୁ ପୁଲିସର ସନ୍ଦେହ ବଢ଼ିଥିଲା। ପୁଲିସ ତପନର ପିଛା କରି ତାକୁ କାବୁ କରି ଥାନାକୁ ଆଣି ପଚରାଉଚରା କରିବାରୁ ସେ ସବୁ ସତକଥା ମାନି ଯାଇଥିଲା। ପୁଲିସ ତପନ କହିଥିବା ଜାଗାର ତଲାସି କରି ଟଙ୍କା ଓ ସୁନା ଜବତ କରିଛି।

ମଦ ବୋତଲ ପିଙ୍ଗିବାକୁ ନେଇ ଯୁବକଙ୍କୁ ଆକ୍ରମଣ, ଅଭିଯୁକ୍ତ ଗରିଫ

ଭୁବନେଶ୍ୱର : ମଦ ବୋତଲ ଫିଙ୍ଗିବାକୁ ବିରୋଧ କରିବାରୁ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣର ଶିକାର ହେବାକୁ ପଡ଼ିଛି। ଏନେଇ ଆକ୍ରମଣର ଶିକାର ବ୍ୟକ୍ତିଜଣଙ୍କ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିିରଫ କରିଛି। ତା’ ନାଁ ସଂଗ୍ରାମ କେଶରୀ ଜେନା। ଘର ଧୀରିକୁଟି ବସ୍ତି ଅଞ୍ଚଳରେ। ଗତକାଲି ଧୀରିକୁଟି ବସ୍ତିର ସଂଗ୍ରାମ ସେହି ବସ୍ତିରେ ଏକ ଅଟୋରେ ବସି ମଦ ପିଉଥିଲା। ସେହି ରାସ୍ତା ଦେଇ ବଳରାମ ସାହୁ ନାମକ କଣେ ବ୍ୟକ୍ତି ତାଙ୍କ ଘରକୁ ଯିବା ସମୟରେ ସଂଗ୍ରାମ ତାଙ୍କ ଉପରକୁ ମଦ ବୋତଲ ଫିଙ୍ଗିଥିଲା। ଏନେଇ ବଳରାମ ତାଙ୍କୁ ବିରୋଧ କରିବାରୁ ନିଶାସକ୍ତ ଅବସ୍ଥାରେ ଥିବା ସଂଗ୍ରାମ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ଆକ୍ରମଣ କରିଥିଲା।

ଯୁବତୀଙ୍କୁ ପ୍ରତାରଣା, ଜଣେ ଗିରଫ

ଭୁବନେଶ୍ୱର : ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଅନାରଶି ବୀରେନ୍ଦ୍ର ପାତ୍ର (୪୨)। ଏଠାରେ ପଟିଆସ୍ଥିତ ଏକ ବିଲଡର୍‌ ସଂସ୍ଥାରେ କାମ କରନ୍ତି। ସୂଚନା ମୁତାବକ, ୬ ବର୍ଷ ତଳେ ଭୁବନେଶ୍ୱର ଏକ ମଲ୍‌ରେ ଜଣେ ଯୁବତୀଙ୍କ ସହ ବୀରେନ୍ଦ୍ରଙ୍କ ଦେଖା ହୋଇଥିଲା। ସେତେବେଳେ ବୀରେନ୍ଦ୍ର ନିଜକୁ ବିଲଡର୍‌ ବୋଲି ପରିଚୟ ଦେଇଥିଲେ। ଏହାପରେ ସଂସ୍ଥାରେ ପାଟର୍ନର କରିବାକୁ କହି ଯୁବତୀଙ୍କୁ ନିଜ ଜାଲରେ ଫସାଇଥିଲା। ବୀରେନ୍ଦ୍ର ବିବାହ କରିଥିଲେ ମଧ୍ୟ ଯୁବତୀଙ୍କୁ ସେ ବିଷୟରେ ଜଣାଇନଥିଲେ। ଯୁବତୀଙ୍କୁ ବିବାହ କରିବାକୁ କହି ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା। ତେବେ ବୀରେନ୍ଦ୍ର ଯେ ପୂର୍ବରୁ ବିବାହିତ ଏ ସଂପର୍କରେ ଯୁବତୀଜଣଙ୍କ ଜାଣିବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏ ସଂପର୍କରେ ଯୁବତୀଜଣଙ୍କ ସହିଦନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଗୁରୁବାର ବିଳମ୍ବିତ ରାତିରେ ପୁଲିସ ପଟିଆସ୍ଥିତ ଏକ ଘରେ ଚଢ଼ଉ କରି ବୀରେନ୍ଦ୍ରକୁ ଗିରଫ କରିଥିଲା। ଥାନାକୁ ଆଣି ପଚରା ଉଚରା ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର