ଟଙ୍କା ଚୋରି କରିବାକୁ କାର୍‌ର କାଚ ଭାଙ୍ଗିଲେ ଦୁର୍ବୃତ୍ତ, କିଛି ନ ମିଳିବାରୁ କାର୍‌ ଭିତରେ ଥିବା କୁକୁରକୁ ନେଇଗଲେ,ତା’ପରେ…

ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀର ମସ୍‌ଜିଦ୍‌ ମୋଠ ଅଞ୍ଚଳରେ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାର୍‌ ଭିତରେ ଟଙ୍କା ଥିବା ଭାବି କିଛି ଚୋର କାର୍‌ର କାଚ ଭାଙ୍ଗିଥିବା ବେଳେ କାର୍‌ ଭିତରେ ତାଙ୍କୁ କିଛି ଟଙ୍କା ମିଳି ନଥିଲା । ସେମାନେ କାର ଭିତରେ ଥିବା କୁକୁର ଲୁଇସ୍‌କୁ ଚୋରି କରି ନେଇଥିଲେ । ଏବେ ଲୁଇସ୍‌କୁ ଖୋଜିବା ପାଇଁ ତା’ର ମାଲିକ ୧୦ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ମସ୍‌ଜିଦ୍‌ ମୋଠରେ ରହୁଥିବା ଦିୟା ଗୁରୁଗ୍ରାମରେ ରହୁଥିବା ନିଜ ଭାଇଭଉଣୀଙ୍କୁ ଦେଖା କରିବା ପାଇଁ ଲୁଇସ୍‌କୁ ନେଇ ଟୟୋଟା ଗାଡ଼ିରେ ବାହାରିଥିଲେ । କିଛି ବାଟ ଯିବା ପରେ ସେ ଅର୍ଜନଗଡ଼ ଏୟାରଫୋର୍ସ ଷ୍ଟେସନ ପାଖରେ ଗାଡ଼ି ରଖି ଏକ ଦୋକାନକୁ ଚାଲି ଯାଇଥିଲେ । ୧୦ ମିନିଟ୍‌ ପରେ ଦିୟା ଫେରିବା ପରେ ଗାଡ଼ିର ବାମ ପଟ କାଚ ଭାଙ୍ଗି ଥିବା ସହ ଗାଡ଼ିରେ ଲୁଇସ୍‌ ନଥିବା ଦେଖିଥିଲେ । ଏହା ସହ ୧୦ହଜାର ଟଙ୍କା ଥିବା ପର୍ସ ମଧ୍ୟ ଗାଡ଼ିରେ ନ ଥିବା ଦିୟା ଦେଖିବାକୁ ପାଇଥିଲେ ।

ଏହି ଘଟଣା ଘଟିବା ପରେ ଦିୟା ପୁଲିସରେ ଅଭିଯୋଗ କରିବା ସହ ସୋସିଆଲ ମିଡ଼ିଆରେ ମଧ୍ୟ ଲୁଇସ୍‌ଙ୍କୁ ଖୋଜିବାକୁ ଅପିଲ କରିଥିବା ଦେଖାଯାଇଛି । ଏହା ସହ ଲୁଇସ୍‌ଙ୍କୁ ଖୋଜିବା ପାଇଁ ଦିୟା ସ୍ଥାନୀୟ ଅଞ୍ଚଳରେ ଲୁଇସ୍‌ଙ୍କ ଫଟୋ ଲଗାଉଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର