ବସ୍‌ରେ ଯୁବକଙ୍କୁ ନିଶା ଦେଇ ଲୁଟିନେଲେ ଲାପ୍‌ଟପ୍‌ ଓ ମୋବାଇଲ୍‌

ଭୁବନେଶ୍ୱର: ଟ୍ରେନ୍‌ଯାତ୍ରୀ ପରେ ଏବେ ବସ୍‌ଯାତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ନିଶାଦିଆ ଲୁଟେରା। ମଙ୍ଗଳବାର ଭୁବନେଶ୍ୱରରୁ ବରଗଡ଼ ଯାଉଥିବା ଶ୍ରୀରାମ ବସ୍‌ ଭିତରେ ମନୋଜ ସାହୁ ନାମକ ଜଣେ ଯାତ୍ରୀଙ୍କୁ କେହି ନିଶା ଦେଇ ଲାପଟପ୍‌, ମୋବାଇଲ୍‌ ଫୋନ୍‌, ୧ ହଜାର ଟଙ୍କା ଆଦି ଲୁଟି ନେଇଛନ୍ତି। ଏ ନେଇ ଲୁଟ୍‌ର ଶିକାର ହୋଇଥିବା ମନୋଜ ବରଗଡ଼ ଥାନାରେ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଧୀନ ୟୁନିଟ-୬ ଗଙ୍ଗନଗରରେ ରହୁଥିବା ମନୋଜ ବରଗଡ଼ରେ ଏକ ମୋବାଇଲ୍‌ ଟାଓ୍ଵାର କମ୍ପାନିରେ କାମ କରନ୍ତି। ମଙ୍ଗଳବାର ରାତିରେ ସେ ଶ୍ରୀରାମ ବସ୍‌ ଯୋଗେ ଭୁବନେଶ୍ୱରରୁ ବରଗଡ଼ ଯାଉଥିଲେ। ତେବେ ରାତି ପ୍ରାୟ ସାଢ଼େ ୧୨ଟାବେଳେ ଢେଙ୍କାନାଳ ପାଖରେ ତାଙ୍କ ସିଟ୍‌ ନିକଟରେ ଅନ୍ୟ ଜଣେ ଯୁବକ ଆସି ବସିଥିଲେ। ଏହାର କିଛି ସମୟ ପରେ ତାଙ୍କ ଆଖିକୁ ନିଦ ଆସି ଯାଇଥିଲା। ଆଉ ସେ ଅଚେତ ହେବା ଭଳି ଅନୁଭବ କରିଥିଲେ। ପରଦିନ ସଂଧ୍ୟାରେ ସେ ନିଜକୁ ସେ ବରଗଡ଼ ହସ୍ପିଟାଲରେ ପାଇଥିଲେ। ଖବର ପାଇ ମନୋଜଙ୍କ ପରିବାର ଲୋକ ବରଗଡ଼ରେ ପହଞ୍ଚି ତାଙ୍କୁ ଭୁବନେଶ୍ୱର ଆଣିଛନ୍ତି।

ସମ୍ବନ୍ଧିତ ଖବର