୮୦ ହଜାର ଲୁଟିବା ପରେ କିନ୍ନର ଗିରଫ

ଚିକିତ୍ସା ଅବହେଳା ନାଁରେ ହସ୍ପିଟାଲ କର୍ତୃପକ୍ଷଙ୍କୁ ଧମକଚମକ

ଚନ୍ଦ୍ରଶେଖରପୁର: ଚିକିତ୍ସାରେ ଅବହେଳା ଦର୍ଶାଇ ହସ୍ପିଟାଲ କର୍ତୃପକ୍ଷଙ୍କୁ ଭୟ ଓ ଧମକଚମକ ଦେଇ ଟଙ୍କା ଲୁଟୁଥିବା ଜଣେ କିନ୍ନରକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଛି। ସେ ହେଲା, ମହାରାଷ୍ଟ୍ର ରାଇଗଡ଼ ଅଞ୍ଚଳର ଆସିଥିବା ସଚିନ୍‌ ଲରେନ୍ସ୍‌ ଏଲେଞ୍ଜିକାଲ୍‌ (୨୭)। ମିଳିଥିବା ସୂଚନା ଅନୁଯାୟୀ, ଗତ ୨୩ ତାରିଖରେ ତଳିପେଟରେ ଯନ୍ତ୍ରଣା ହେଉଥିବା ଦର୍ଶାଇ ସଚିନ୍‌ ରାତି ପ୍ରାୟ ୧୨ଟାରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା। ଠିକ୍‌ ଏହାର ପରଦିନ ଚିକିତ୍ସାରେ ଅବହେଳା କରାଯାଉଥିବା ଦର୍ଶାଇ ସେ ହସ୍ପିଟାଲ୍‌ କର୍ତୃପକ୍ଷଙ୍କଠାରୁ ୨ଲକ୍ଷ ଟଙ୍କା ଦାବି କରିଥିଲା। ଟଙ୍କା ନ ଦେଲେ, ଚିକିତ୍ସାରେ ଅବହେଳା ଓ ଅସଦାଚରଣ ଭଳି ଅଭିଯୋଗରେ ହସ୍ପିଟାଲକୁ ବଦନାମ୍‌ କରିବାକୁ ଭୟ ଦେଖାଇଥିଲା। ଏଭଳି ଭୟ ଦେଖାଇ ହସ୍ପିଟାଲ୍‌ କର୍ତୃପକ୍ଷଙ୍କଠାରୁ ସେ ୮୦ ହଜାର ଟଙ୍କା ନେଇଯାଇଥିଲା। କିନ୍ତୁ ସେତକ ପାଇବା ପରେ ପୁଣି ଥରେ ଧମକଚମକ ଦେବାରୁ ହସ୍ପିଟାଲ୍‌ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତାକୁ କୋର୍ଟଚାଲାଣ କରିଛି। ତେବେ ସଚିନ୍‌ ପୂର୍ବରୁ ମଧ୍ୟ ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଆଉ ଦୁଇଟି ଘରୋଇ ହସ୍ପିଟାଲ୍‌ରୁ ଏହିଭଳି ଢଙ୍ଗରେ ଟଙ୍କା ଲୁଟିଥିବା ପୁଲିସ୍‌ ତଦନ୍ତରୁ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର