ଏହି ସରକାରୀ ହସ୍ପିଟାଲ୍‌ରେ ଔଷଧ ନୁହେଁ କଳାଯାଦୁ ଦ୍ୱାରା ହୁଏ ଚିକିତ୍ସା; ଡାକ୍ତର ନୁହନ୍ତି ତାନ୍ତ୍ରିକ ସାଜୁଛି ଚିକିତ୍ସକ

ପାଟ୍‌ନା: ବିହାରରେ ଘଟୁଥିବା ଏକ ଲଜ୍ଜାଜନକ କାର୍ଯ୍ୟ ପୁଣି ଥରେ ରାଜ୍ୟ ସରକାରଙ୍କ ଅପାରଗତାର ଉଦାହରଣ ସାଜିଛି। ବିହାରର ବୈଶାଳୀ ଜିଲ୍ଲାର ଏକ ହସ୍ପିଟାଲ୍‌ରେ ରୋଗୀମାନଙ୍କୁ ଔଷଧ ଚିକିତ୍ସା ବଦଳରେ କଳାଯାଦୁ ଚିକିତ୍ସା କରାଯାଉଥିବା ପରି ଘଟଣା ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉକ୍ତ ହସ୍ପିଟାଲ୍‌ରେ ଡାକ୍ତରଙ୍କ ବଦଳରେ ତାନ୍ତ୍ରିକ ଚିକିତ୍ସା କରୁଛନ୍ତି।

ନିକଟରେ ସୋସିଆଲ୍‌ ମିଡ଼ିଆରେ ଏକ ଭିଡିଓ ଭାଇରାଲ୍‌ ହେବା ପରେ ସତ୍ୟ ପଦାକୁ ଆସିଛି। ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ଜଣେ ତାନ୍ତ୍ରିକ ଜଣେ ରୋଗୀଙ୍କୁ ଝଡ଼ାଝଡ଼ି କରି ଚିକିତ୍ସା ଚଳାଇଛନ୍ତି।

ଭିଡିଓଟି ବୈଶାଳୀ ଜିଲ୍ଲାର ହାଜିପୁରରେ ଥିବା ଏକ ସରକାରୀ ହସ୍ପିଟାଲ୍‌ରେ ସୁଟିଂ କରାଯାଇଛି। ରେଗୀ ଜଣକ ଖଟିଆ ଉପରେ ପଡ଼ି ରହିଛନ୍ତି ଓ ଡାକ୍ତରଙ୍କ ବଦଳରେ ତାନ୍ତ୍ରିକ ତାଙ୍କୁ ଚିକିତ୍ସା କରୁଛନ୍ତି। ଅଚେତ ଅବସ୍ଥାରେ ଶୋଇଥିବା ମହିଳାଙ୍କ ଦୁଇ ପାଖରେ ଦୁଇ ଜଣ ବ୍ୟକ୍ତି ଛିଡ଼ା ହୋଇଥିବାର ଦେଖିବାକୁ ମିଳୁଛନ୍ତି।

ତାନ୍ତ୍ରିକ ଜଣକ ଏକ କପଡ଼ାରେ କିଛି ବାନ୍ଧି ମହିଳାଙ୍କୁ ଗୋଡ଼ରୁ ମୁଣ୍ଡଯାଏ ପିଟିବା ସହ ମନ୍ତ୍ର ପଢୁଥିବାର ଦେଖିବାକୁ ମିଳୁଛି ଭିଡିଓଟିରେ। ସ୍ପଷ୍ଟ ଜଣା ପଡୁଛି ଯେ ତାନ୍ତ୍ରିକ ଜଣକ କଳାଯାଦୁ ଜରିଆରେ ହିଁ ମହିଳାଙ୍କ ଚିକିତ୍ସା କରୁଛନ୍ତି।

ସବୁଠାରୁ ଘୃଣ୍ୟ କଥା ହେଉଛି ଏ ସଂପର୍କରେ ହସ୍ପିଟଲ୍‌ କର୍ତ୍ତୃପକ୍ଷ ଅବଗତ। ଡାକ୍ତରମାନେ ମୁହଁ ଖୋଲିବାର ସାହସ କରନ୍ତି ନାହିଁ। ତାନ୍ତ୍ରିକ ଡାକ୍ତରଙ୍କୁ ଡରାଇଏପରି କରୁଥିବା ଅଭିଯୋଗ ହୋଇଛି।

ତାନ୍ତ୍ରିକ ଜଣକ କପଡ଼ାରେ ସାପ ପୂରାଇ ମହିଳାଙ୍କୁ ପିଟି ପିଟି ଚିକିତ୍ସା କରୁଥିଲେ ବୋଲି ପରବର୍ତ୍ତୀ ମୁହୂର୍ତ୍ତରେ ଜାଣିବାକୁ ମିଳିଛି। ତାନ୍ତ୍ରିକ ଦାବି କରିଛନ୍ତି ଯେ ତାଙ୍କ ଚିକିତ୍ସା ଦ୍ୱାରା ମହିଳା ଜଣକ ସଂପୂର୍ଣ୍ଣ ସୁସ୍ଥ ହୋଇ ଯାଇଛନ୍ତି।

ଏହିଭଳି ଭାବେ ରୋଗୀ ଚିକିତ୍ସିତ ହେଉଛନ୍ତି ବୋଲି ଘଟଣା ଚାରିଆଡ଼େ ଖେଳିଯିବା ପରେ ବିହାର ସରକାରଙ୍କ ସାମ୍ନାରେ ଏକ ବିରାଟ ପ୍ରଶ୍ନ ଠିଆ ହୋଇଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଶାସନକାଳରେ ରାଜ୍ୟର ଅବସ୍ଥା ତାଙ୍କ କ୍ଷମତାକୁ ପ୍ରଶ୍ନ ଉଠାଇଛି।

ସମ୍ବନ୍ଧିତ ଖବର