ଟ୍ରେନ୍‌ରେ କିକି ଚ୍ୟାଲେଞ୍ଜ କରୁଥିବା ୩ ଯୁବକଙ୍କୁ ପୁଲିସ୍‌ ଧରିବା ପରେ ୩ ଦିନ କାଳ ରେଳ ଷ୍ଟେସନ୍‌ ସଫେଇ କାର୍ଯ୍ୟରେ ନିୟୋଜିତ କଲା

ମୁମ୍ବାଇ: ଗତ କିଛିଦିନ ମଧ୍ୟରେ କିକି ଚ୍ୟାଲେଞ୍ଜ ବିଷୟବସ୍ତୁଟି ପାଲଟିଯାଇଛି ଏକ ଜାତୀୟ ଚର୍ଚ୍ଚା। ଚଳନ୍ତା ଯାନରୁ ଗୀତର ତାଳରେ ନାଚି ନାଚି ବାହାରିବା ଏହି ଚ୍ୟାଲେଞ୍ଜର ମୁଖ୍ୟ କଥା। ଏହା ମଧ୍ୟରେ ଏହି ଖେଳ ଅନେକଙ୍କ ପ୍ରତି ବିପଦ ବି ସାବ୍ୟସ୍ତ ହୋଇଛି। ଚ୍ୟାଲେଞ୍ଜକୁ ଆକ୍‌ସେପ୍ଟ କରିବା ପାଇଁ ଅନେକ ପିଲା ଦୁଃସାହସର ପରିଚୟ ଦେଇ ଦୁର୍ଘଟଣାର ଶିକାର ହେଉଛନ୍ତି। କେହି ଚଳନ୍ତା କାର୍‌ରୁ ନାଚି ନାଚି ଓହ୍ଲାଉଛନ୍ତି ତ କେହି ଚଳନ୍ତା ଟ୍ରେନ୍‌ରୁ। ଏହା ଏବେ ବେନିୟମ ଓ ଏପରି କରୁଥିବା ବ୍ୟକ୍ତି ପୁଲିସ୍‌ ଦ୍ୱାରା ଗିରଫ ହେବେ ବୋଲି ମଧ୍ୟ ଅାଇନ ରହିଛି।

ତା’ ସତ୍ତ୍ୱେ ନିକଟରେ ମୁମ୍ବାଇ ରେଳ ଷ୍ଟେସନ୍‌ରେ ବି ସେପରି ଏକ ଘଟଣା ଘଟିଥିବାର ଦେଖିବାକୁ ମିଳିଛି। ବିହାରର ୩ ଜଣ ବନ୍ଧୁ ଏହି ଚ୍ୟାଲେଞ୍ଜ ଆକ୍‌ସେପ୍ଟ କରିବାକୁ ଯାଇ ଟ୍ରେନ୍‌ରେ ଷ୍ଟଣ୍ଟ୍‌ ଦେଖାଉଥିବା ଅବସ୍ଥାରେ ଏକ ଭିଡିଓ ସୁଟ୍‌ କରିଥିଲେ। ସେହି ଭିଡିଓଟିକୁ ସେମାନେ ଇଣ୍ଟର୍‌ନେଟ୍‌ରେ ଅପ୍‌ଲୋଡ କରିଥିଲେ। ଏହା ଖୁବ୍‌ ଜୋର୍‌ ବ୍ୟାପିବାରେ ଲାଗିଥିଲା। ୟୁଟ୍ୟୁବ୍‌ରେ ଭିଡିଓଟିର ପାଖାପାଖି ୪ ମିଲିୟନ୍‌ ଭିୟୁ ହୋଇଥିଲା।

ଏହି ଭିଡିଓ ଦେଖିବା ପରେ ମୁମ୍ବାଇ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ କରି ଅଭିଯୁକ୍ତ ନିଶାନ୍ତ ଶାହା(୨୦), ଧ୍ରୁବ ଶାହା(୨୩) ଓ ଶ୍ୟାମ ଶର୍ମା(୨୪)ଙ୍କୁ ଧରିଥିଲା। ଅଭିଯୁକ୍ତମାନେ ଧରାପଡ଼ିବା ପରେ ଦଣ୍ଡ ଭାବେ ଉକ୍ତ ୩ ଜଣଙ୍କୁ ୩ ଦିନ ଧରି ରେଳ ଷ୍ଟେସନ୍‌ ସଫେଇ କାର୍ଯ୍ୟରେ ଲଗାଯାଇଛି। ଏମାନଙ୍କ ମଧ୍ୟରେ ଥିବା ଜଣେ ଟେଲିଭିଜନ ଧାରାବାହିକ ଅଭିନେତା ସାଂଘାତିକ ଷ୍ଟଣ୍ଟ୍‌ ଦେଖାଉଥିବା ଭିଡିଓଟିରେ ନଜର ଆସିଥିଲା।

ଚ୍ୟାଲେଞ୍ଜରମାନେ ଏକ ଆମ୍ବୁଲାନ୍ସରେ ବି କିକି ଚ୍ୟାଲେଞ୍ଜ୍‌ କରୁଥିବାର ଦେଖିବାକୁ ମିଳିଥିଲା। ଦଦନ୍ତକାରୀ ଦଳ ଦେଖିବାକୁ ପାଇଛନ୍ତି ଯେ ଆମ୍ବୁଲାନ୍ସ ମାଲିକ ବି ଉକ୍ତ ଭିଡିଓରେ ଦେଖିବାକୁ ମିଳୁଛନ୍ତି।

ଅଭିଯୁକ୍ତମାନେ ଧରାପଡ଼ିବା ପରେ କାନ୍ଦ କାନ୍ଦ ହୋଇ ଯାଇଥିଲେ। ସେମାନଙ୍କୁ ପୁଲିସ୍‌ ଗିରଫ କରି ରେଳବାଇ କୋର୍ଟକୁ ଫରଓ୍ଵାର୍ଡ କରିଥିଲା। କୋର୍ଟ ପକ୍ଷରୁ ତାଙ୍କୁ ୩ ଦିନ ଧରି ଷ୍ଟେସନ୍‌ ସଫେଇ କାର୍ଯ୍ୟ କରିବାକୁ ଦଣ୍ଡ ଶୁଣାଣି ହୋଇଥିଲା।

ସମ୍ବନ୍ଧିତ ଖବର