ଜେଲ୍‌ ଗଲା ଟିଟୋ

୧୦ ଦିନ ରିମାଣ୍ଡ୍‌ ପାଇଁ ଏସ୍‌ଟିଏଫ୍‌ର ଆବେଦନ

କେନ୍ଦ୍ରାପଡ଼ା: କଡ଼ା ପୁଲିସ୍‌ ପହରା ମଧ୍ୟରେ ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‌ ସୟଦ୍‌୍‌ ଉସମାନ୍‌ ଅଲ୍ଲୀକୁ ଆଜି ରାତିରେ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଛି। ଟିଟୋର ଜାମିନ୍‌ ଆବେଦନ ଖାରଜ ହେବା ପରେ ତାକୁ ବାରିମୂଳ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପଟେ ଟିଟୋକୁ ୧୦ ଦିନ ରିମାଣ୍ଡ୍‌ରେ ନେବାକୁ କ୍ରାଇମ୍‌ ବ୍ରାଞ୍ଚ ଏସ୍‌ଟିଏଫ୍‌ ପକ୍ଷରୁ ଅଦାଲତରେ ଆବେଦନ କରାଯାଇଥିବା ବେଳେ ଏ ସଂକ୍ରାନ୍ତରେ ଆସନ୍ତାକାଲି ଶୁଣାଣି ହେବ ବୋଲି ସୂଚନା ମିଳିଛି। ଟିଟୋକୁ ଆଜି ସଂଧ୍ୟା ୬ଟା ୪୦ରେ କଟକ ବଡ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା। ଟିଟୋ ଏବେ ସଂପୂର୍ଣ୍ଣ ବିପଦମୁକ୍ତ ଏବଂ କୌଣସି ଅଧିକ ଚିକିତ୍ସାର ଆବଶ୍ୟକ ନାହିଁ ବୋଲି କଟକ ବଡ଼ ମେଡିକାଲ ପକ୍ଷରୁ କୁହାଯାଇଛି। କଟକ ବଡ ମେଡିକାଲରୁ ଡିସଚାର୍ଜ ପରେ କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଅଧିକାରୀଙ୍କ ନେତୃତ୍ୱରେ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ଟିଟୋକୁ ପ୍ରଥମେ କଟକରୁ କେନ୍ଦ୍ରାପଡ଼ା ଏସ୍‌ଡ଼ିପିଓଙ୍କ କାର୍ଯ୍ୟାଳୟକୁ ନେଇଥିଲେ। ସେଠାରେ ଆବଶ୍ୟକ ଦସ୍ତାବିଜ୍‌ ପ୍ରସ୍ତୁତ କରାଯାଇ ଏସ୍‌ଡିଜେଏମ୍‌ଙ୍କ କୋର୍ଟକୁ ନିଆଯାଇଥିଲା। ତେବେ କୋର୍ଟରେ ହାଜର କରିବାକୁ ନିଆଯିବା ବେଳେ ସାରା ସହରରେ ବିଦ୍ୟୁତ ସେବା ବ୍ୟାହତ ହୋଇଥିଲା । ଏଥିପାଇଁ ଟିଟୋକୁ କୋର୍ଟରେ ହାଜର କରିବାରେ ବିଳମ୍ବ ହୋଇଥିଲା। ରାତି ସାଢ଼େ ୯ଟା ପାଖାପାଖି ସମୟରେ ଟିଟୋକୁ କୋର୍ଟ ପରିସରକୁ ନିଆଯାଇଥିଲା।

କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ପକ୍ଷରୁ ଏସ୍‌ପି ପ୍ରଶାନ୍ତ କୁମାର ଭୋଇ ଦେଇଥିବା ସୂଚନା ଅନୁଯାୟୀ ଟିଟୋ ବିରୋଧରେ (କେସ୍‌ ନଂ ୬/୨୦୧୮(ଜିଆର୍‌କେସ୍‌ ନଂ୮୧୪/୧୮) ଆଇପିସିର ଦଫା ୩୯୯, ୪୦୨, ୩୦୭, , ୨୫, ୨୭ ଆର୍ମସ୍‌ ଆକ୍ଟ୍‌ରେ ମାମଲା ରୁୁଜୁ କରାଯାଇଛି। ଜୁନ୍‌ ୩୦ ତାରିଖରେ ଟିଟୋକୁ କେନ୍ଦ୍ରାପଡ଼ା ଦିଲାରପୁର ବାସଭବନରୁ ଉଠାଇ ନିଆଯାଇଥିଲା। ଚଣ୍ଡୀଖୋଲ ନିକଟରେ ଟିଟୋ ଏନକାଉଣ୍ଟରରେ ଆହତ ହୋଇଥିବା ବେଳେ ତାକୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର