କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଟୋ ପୁଲିସ୍‌ ଏନ୍‌କାଉଣ୍ଟରରେ ଆହତ, ବଡ଼ଚଣା ହସ୍ପିଟାଲରେ ଭର୍ତ୍ତି

କେନ୍ଦ୍ରାପଡ଼ା : କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟାର୍‌ ଟିଟୋ ଓରଫ୍ ଶେଖ ଉସମାନ୍ ଅଲ୍ଲୀ ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ଆହତ ହୋଇଛି। ସୂଚନା ମୁତାବକ, ଏକ ବଡ଼ ଟେଣ୍ଡର ଫିକ୍ସିଂ ଫଇସାଲା କରିବାକୁ ଆସିଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ୍‌ର ସ୍ପେସାଲ୍‌ ଟାସ୍କ ଫୋର୍ସ(ଏସଟିଏଫ୍‌) ତାକୁ ଧରିବାକୁ ଯାଇଥିଲା। ଏହି ସମୟରେ ପୁଲିସକୁ .ଦେଖି ଟିଟୋ ଓ ତା’ର ୩ ସହଯୋଗୀ ଏସ୍‌ଟିଏଫ୍‌ର ଟାଟା ସୁମୋ ଉପରକୁ ଗୁଳି ଚଳାଇ ଖସିଯିବାକୁ ଚେଷ୍ଟା କରିଥିଲେ। ଏସ୍‌ଟିଏଫ୍‌ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଗୁଳି ବିନିମୟରେ ଟିଟୋ ଡାହାଣ ଗୋଡ଼ରେ ଗୁଳି ବାଜି ସେ ଆହତ ହୋଇଛି। ବର୍ତ୍ତମାନ ଟିଟୋକୁ ଚିକିତ୍ସା ଲାଗି ବଡ଼ଚଣା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ କ୍ରାଇମବ୍ରାଞ୍ଚ କବଜାରେ ଥିବା  ଟିଟୋକୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ନିଅାଯାଇଥିବା ଜଣାପଡ଼ିଛି।

ଉଲ୍ଳେଖଯୋଗ୍ୟ କି ଓଡ଼ିଶା ଓ ଓଡ଼ିଶା ବାହାରେ ଅପରାଧ ସାମ୍ରାଜ୍ୟ ଚଳାଇଥିବା ଗ୍ୟାଙ୍ଗଷ୍ଟର ଟିଟୋ ଗତ ୬ ବର୍ଷ ହେଲା ଫେରାର୍‌ ଥିଲା। ଟିଟୋ ନାମରେ ଟେଣ୍ଡର୍‌ ଫିକ୍ସିଂ, ଅପହରଣ, ହତ୍ୟା ଓ ଲୁଣ୍ଠନ ଭଳି ସଙ୍ଗୀନ ମାମଲା ରହିଛି। ଶେଷଥର ଲାଗି ଟିଟୋକୁ ୨୦୧୦ ମସିହାରେ ପୁଲିସ୍‌ ଗିରଫ କରିଥିଲା। ଟିଟୋ ଜେଲ୍‌ରୁ ଖସିବା ପରେ ଅଣ୍ଡର୍‌ଗ୍ରାଉଣ୍ଡ୍‌ ହୋଇ ତା’ ଗ୍ୟାଙ୍ଗ୍‌ ଜରିଆରେ ଅପରାଧ ଚଳାଇଥିଲା। ୨୦୧୨ରେ ପୁଲିସ୍‌ ତାକୁ ଏନଏସଏରେ ବୁକ୍‌ କରାଯାଇଥିଲା। ଶବିବାର ସେ ଏକ ବଡ଼ ଟେଣ୍ଡର ଫିକ୍ସିଂ ଲାଗି ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳକୁ ଆସିଥିବା ବେଳେ ପୂର୍ବସୂଚନା ଅନୁସାରେ କ୍ରାଇମ୍‌ବ୍ରାଞ୍ଚ ତାକୁ ଧରିବା ଲାଗି ଜାଲ ବିଛାଇଥିଲା। ଆଇପିଏସ୍‌ ହିମାଂଶୁ ଲା୍‌ଲଙ୍କ ନେତୃତ୍ୱରେ କ୍ରାଇମ୍‌ବ୍ରାଞ୍ଚ୍‌ର ସ୍ପେସାଲ୍‌ ଟାସ୍କ ଫୋର୍ସ(ଏସଟିଏଫ୍‌) ଶେଷରେ ଟିଟେକୁ ଦିନ ୧୨ଟା ପାଖାପାଖି ଧରିବାକୁ ସକ୍ଷମ ହୋଇଥିଲା।

ସମ୍ବନ୍ଧିତ ଖବର