ଆଉ ଜଣେ ଅଭିଯୁକ୍ତ ଚଣ୍ଡୀଗଡ଼ରୁ ଗିରଫ

ସାରଳା ରିଅଲ୍‌କନ୍‌ ଠକେଇ ଘଟଣା

ଭୁବନେଶ୍ୱର: ବହୁଚର୍ଚିତ ସାରଳା ରିଅଲକନ୍‌ ଠକେଇ ଘଟଣାର ଅନ୍ୟତମ ଅଭିଯୁକ୍ତଙ୍କୁ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି। ତାଙ୍କ ନାଁ ଗୁରୁଦୀପ ସିଂହ ମସ୍ତାନା। ଘର ଚଣ୍ଡୀଗଡ଼ ମଣିମଞ୍ଚରା ଥାନା ଅଧୀନ ମର୍ଡନ ହାଉସିଂ କପ୍ଲେକ୍ସରେ। ଆଜି ତାଙ୍କୁ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତକୁ ଚାଲାଣ କରାଯାଇଛି। ତାଙ୍କ ବିରୋଧରେ ୧୭ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି। ଗୁରୁଦୀପ କ୍ୟାଗ୍‌ ନାମକ ବିଲଡର୍‌ ସଂସ୍ଥାର ମୁଖ୍ୟ। କ୍ରାଇମ୍‌ବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨୦୦୫ରୁ ୨୦୧୫ ମଧ୍ୟରେ ସାରଳା ରିଅଲକନ୍‌ ୨୩୨ଜଣ ଜମାକାରୀଙ୍କଠାରୁ ୧୭ କୋଟି ଟଙ୍କା ସଂଗ୍ରହ କରିଥିଲା। କିନ୍ତୁ ପରବର୍ତୀ ସମୟରେ ଜମା ଟଙ୍କା ଫେରସ୍ତ କରି ନ ଥିଲା କିମ୍ବା ସେମାନଙ୍କୁ ଜମି ଯୋଗାଇ ପାରି ନ ଥିଲା। ଓଲଟି ଏହି ସମୟରେ ଏହି ୧୭ କୋଟି ଟଙ୍କାକୁ ଗୁରୁଦୀପ ସିଂହ ମସ୍ତାନାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲା। ଏ ନେଇ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା କି ସାରଳା ରିଅଲକନ୍‌ ସଂସ୍ଥାରୁ କୋଟି କୋଟି ଟଙ୍କା ଝାରପଡ଼ାର ନିବାସ ଜେନା ଓ କୈଳାସ ଚନ୍ଦ୍ର ମୁଦୁଲିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଯାଇଛି। କ୍ରାଇମ୍‌ବ୍ରାଞ୍ଚ ପ୍ରଥମେ ନିବାସ ଓ କୈଳାସଙ୍କୁ ଗିରଫ କରିଥିଲା। ଏହା ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ଗୟାଧର ଜେନା ଓ ତାଙ୍କ ପତ୍ନୀ ପଙ୍କଜିନୀ ଜେନାଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର