ଯୌତୁକରେ ଅଟୋ ରିକ୍ସା ନ ମିଳିବାରୁ ତିନ୍‌ ତଲାକ୍‌ ଦେଲା ସ୍ୱାମୀ

ଇନ୍ଦୋର : ତିନ୍‌ ତଲାକକୁ ବେଆଇନ୍‌ ଏବଂ ଦଣ୍ଡନୀୟ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ଲୋକମାନେ ଏବେ ବି ତିନ୍‌ ତଲାକ୍‌ ଦେଉଛନ୍ତି । ଇନ୍ଦୋରରେ ପୁଣି ସେଭଳି ଏକ ଘଟଣାର ଅଭିଯୋଗ ଆଣିଛନ୍ତି ୨୧ବର୍ଷୀୟା ମହିଳା । ଯୌତୁକରେ ଅଟୋରିକ୍ସା ନ ମିଳିବାରୁ ସ୍ୱାମୀ ହ୍ଵାଟ୍‌ସଆପ୍‌ରେ ତିନ୍‌ ତଲାକ୍‌ ଦେଇଥିବାର ଅଭିଯୋଗ ଆଣିଛନ୍ତି ମହିଳା । ଏହା ସହ ପୁଅ ସହ ଘରୁ ମଧ୍ୟ ବାହାର କରି ଦେଇଥିବା ପୀଡ଼ିତା ପୁଲିସ ଆଗରେ ଅଭିଯୋଗ କରିଛନ୍ତି ।

ପୀଡ଼ିତା ଆଫ୍‌ରିନ୍‌ ବୁଧବାର ଅଭିଯୋଗ କରି କହିଛନ୍ତି, ମୋ ସ୍ୱାମୀ ଶାହାରୁଖ୍‌ ଅନସାରୀଙ୍କୁ ଯୌତୁକରେ ଅଟୋ ନ ମିଳିବାରୁ ସେ ମୋତେ ହ୍ଵାଟ୍‌ସ୍‌ଆପ୍‌ରେ ଅଡିଓ ମେସେଜ୍‌ ପଠାଇ ତିନ୍‌ ତଲାକ୍‌ ଦେଇଥିଲେ । ଏହା ସହ ସେ ଦ୍ୱିତୀୟ ବିବାହ ମଧ୍ୟ କରିବାକୁ ଯାଉଥିବା କହିଥିଲେ । ଆରମ୍ଭରୁ ଘର ଚଳାଇବା ପାଇଁ ମୋ ବାପ ଘର ଲୋକେ ମୋତେ ଆର୍ଥିକ ସହାୟତା ଯୋଗାଇ ଆସିଛନ୍ତି । କିନ୍ତୁ ଏତେ ସବୁ ପରେ ବି ମୋ ଶାଶୁ ଘର ଲୋକେ ଅଟୋ ରିକ୍ସା ଦିଅ ନ ହେଲେ ଶାହାରୁଖ୍‌ଙ୍କୁ ଘର ଜ୍ୱାଇଁଆ କର ବୋଲି ଦାବି କରୁଥିଲେ । ୩ବର୍ଷ ପୂର୍ବରୁ ମୁଁ ଶାହାରୁଖ୍‌ଙ୍କ ବିବାହ କରିଥିବା ବେଳେ ଆମର ଦେଢ଼ ବର୍ଷର ପୁଅ ଅଛି । କିନ୍ତୁ ସେ ବିଷୟରେ ନ ଭାବି ସେ ମୋତେ ତିନ୍‌ ତଲାକ୍‌ ଦେଇଛନ୍ତି । ଏହାକୁ ମୁଁ ବିରୋଧ କରିବା ସହ ଅଦାଲତରେ ନ୍ୟାୟ ମାଗିବି । କାରଣ ମୁଁ ଶାହାରୁଖ୍‌ଙ୍କ ସହ ରହିବାକୁ ଚାହେଁ । ସେ ଏପରି ନିଜ ଇଚ୍ଛାରେ ବିବାହ ଭାଙ୍ଗି ପାରିବେ ନାହିଁ ବୋଲି କହଛନ୍ତି ଆଫ୍‌ରୀନ୍‌ ।

Business Today

ଅନ୍ୟ ପକ୍ଷରେ, ଅଭିଯୋଗ ପାଇଁ ପୁଲିସ ଦୁଇ ପକ୍ଷ ମଧ୍ୟରେ ବୁଝାବଣା କରିବାକୁ ଚେଷ୍ଟା ଜାରି ରଖିଛି ।

ସମ୍ବନ୍ଧିତ ଖବର