ଉଲୁଣ୍ଡା: ଟାଙ୍ଗିଆରେ ହାଣି ୩ ଜଣଙ୍କୁ ହତ୍ୟା

ଉଲୁଣ୍ଡା: ଆଜି ସକାଳେ ଉଲୁଣ୍ଡା ଥାନା ଅନ୍ତର୍ଗତ ବେହେରାମାଳ ଗ୍ରାମରେ ଟ୍ରପଲ ମର୍ଡର ହୋଇଛି। ପାରିବାରିକ କଳହକୁ କେନ୍ଦ୍ର କରି ଗ୍ରାମର ନୀଳ ପ୍ରଧାନ ନାମକ ଜଣେ ବ୍ୟକ୍ତି ପଡୋଶୀ ୩ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ନୀଳଙ୍କ ଟାଙ୍ଗିଆ ଚୋଟରେ ଜେଜେ ପ୍ରମୋଦ ଭୁଏ(୭୦ ବର୍ଷ) ଜେଜିମା ବିଷ୍ଣୁୁପ୍ରିୟା ଭୁଏ(୬୦ ବର୍ଷ)ଙ୍କର ମୃତ୍ୟୁ ଘଟିଥିବା ବେଳେ ନାତୁଣୀ ବବିତା ଭୁଏ( ୧୮ ବର୍ଷ)ଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି।
ବୀରମହାରାଜପୁର ଏସଡିପିଓ ପି କେ ବିଶ୍ୱାଳଙ୍କ ଠାରୁ ପ୍ରକାଶ ଯେ, ଗତକାଲି ଗ୍ରାମର ନୀଳ ପ୍ରଧାନଙ୍କ ସହିତ ତାଙ୍କ ପଡ଼ୋଶୀ ପ୍ରମୋଦ ଭୁଏଙ୍କର ସାମାନ୍ୟ କାରଣରୁ କଳିଝଗଡ଼ା ହୋଇଥିଲା। ଏ ନେଇ ପ୍ରମୋଦ ଉଲୁଣ୍ଡା ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳେ ନୀଳ ଏକ ଟାଙ୍ଗିଆ ଧରି ପ୍ରମୋଦଙ୍କ ଘରେ ପହଞ୍ଚି ପ୍ରଥମେ ପ୍ରମୋଦଙ୍କୁ ଆକ୍ରମଣ କରିଥିଲା। ପ୍ରମୋଦଙ୍କୁ ରକ୍ଷା କରିବା ଯାଇଥିବା ତାଙ୍କ ପତ୍ନୀ ବିଷ୍ଣୁପ୍ରିୟାଙ୍କୁ ମଧ୍ୟ ନୀଳ ହାଣି ହତ୍ୟା କରିଥିଲା। ତେବେ ଜେଜେ ଓ ଜେଜେମାଆଙ୍କୁ ଆକ୍ରମଣ ହେଉଥିବା ଦେଖି ନାତୁଣି ବବିତା ସେଠାରୁ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ନୀଳ ତାଙ୍କୁ ମଧ୍ୟ ଚୋଟ ପକାଇ ଫେରାର ହୋଇ ଯାଇଥିଲା। ଖବର ପାଇ ପୁଲିସ ବବିତାଙ୍କୁ ପୁଲିସ ଗାଡ଼ିରେ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ମାତ୍ର ସେଠାରେ ମଧ୍ୟ ବବିତାଙ୍କର ମୃତ୍ୟୁ ଘଟିଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

 

ସମ୍ବନ୍ଧିତ ଖବର