୨ ଚୋର ଗିରଫ, ବାଇକ୍‌ ଜବତ

ଭୁବନେଶ୍ୱର : ବାଇକ୍‌ ଚୋରି ଅଭିଯୋଗରେ ସହିଦନଗର ଥାନା ପୁଲିସ ଦୁଇ ଜଣଙ୍କୁୁ ଗିରଫ କରିବା ସହ ୨ଟି ବାଇକ୍‌ ଜବତ କରିଛି। ସେମାନେ ହେଲେ ଯାଜପୁର ଜିଲ୍ଲା କୁଆଖିଆ ଅଞ୍ଚଳର କେଶବ ମଲ୍ଲିକ(୨୭) ଓ ବାଣୀବିହାର ଅଞ୍ଚଳର ଦୀପକ ମଲ୍ଲିକ(୨୩)।

ପୁଲିସ ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ରାଜୁ ସାହୁ ନାମକ ଜଣେ ଯୁବକ ଭିଏସ୍‌ଏସ୍‌ନଗର ଛକରେ ବାଇକ୍‌ ରଖି ଏକ ଦୋକାନକୁ ଯାଇଥିଲେ। ଏହି ସମୟରେ କିଏ ତାଙ୍କ ବାଇକ୍‌ ନେଇଯାଇଥିଲା। ଏନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ବିଳମ୍ବିତ ରାତିରେ ପୁଲିସ ଆଇଡିବିଆଇ ଛକ ନିକଟରେ ଚେକିଂ କରୁଥିଲା। ଏହି ସମୟରେ ସତ୍ୟନଗର ପଟୁ ଆସୁଥିବା କେଶବ ଚେକିଂ ଦେଖି ଏପଟସେପଟ ହୋଇଥିଲା। ପୁଲିସ ସନ୍ଦେହରେ କେଶବକୁ ଅଟକାଇ କାଗଜପତ୍ର ମାଗିଥିଲା। ମାତ୍ର ସେ କୌଣସି କାଗଜପତ୍ର ଦେଇ ପାରି ନଥିଲା। ଏହାପରେ ପୁଲିସ ଗାଡ଼ିକୁ ଜବତ କରିବା ସହ ତାକୁ ଥାନକୁ ଆଣି ପଚରାଉଚରା କରିଥିଲା।

ସେହିପରି କିଛିଦିନ ତଳେ ସୂର୍ଯ୍ୟମଣି ଦାସ ନାମକ ଜଣେ ଛାତ୍ର ବାଣୀବିହାର ହଷ୍ଟେଲ୍‌ରେ ବାଇକ୍‌ ରଖି ଘରକୁ ଯାଇଥିଲେ। ଘରୁ ଫେରିବା ପରେ ତାଙ୍କ ବାଇକ୍‌ ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଗତ ୯ ତାରିଖ ଦିନ ତାଙ୍କ ବାଇକ୍‌ ବାଣୀବିହାର ଛକ ନିକଟରେ ଥିବା ଏକ ଗ୍ୟାରେଜ୍‌ରେ ଦେଖିଥିଲେ। ସୂର୍ଯ୍ୟ ଏ ସଂପର୍କରେ ସହିଦନଗର ଥାନାରେ ଜଣାଇଥିଲେ। ପୁଲସ ଘଟଣାସ୍ଥଳରେ ପହଞ୍ଚି ବାଇକ୍‌କୁ ଜବତ କରି ଥାନାକୁ ଆଣିଥିଲା। ବୁଧବାର ଦୀପକ ବାଇକ୍‌ ପାଇଁ ଗ୍ୟାରେଜ୍‌କୁ ଆସିଥିବା ବେଳେ ପୁଲିସ ତାକୁ ସେଠାରୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର