ମହିଳା ପୁଲିସ୍‌କୁ ଅଶ୍ଳୀଳ ଇଙ୍ଗିତ, ବନ୍ଧା ହେଲେ ଦୁଇ ବନ୍ଧୁ

ଭୁବନେଶ୍ବର: ମହଙ୍ଗା ପଡ଼ିଛି ମହିଳା ଟ୍ରାଫିକ୍‌ ପୁଲିସ୍‌ଙ୍କୁ ଅଶ୍ଳୀଳ ଇଙ୍ଗିତ। ଏଜି ଛକରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ଇଙ୍ଗିତ କରିବା ପରେ ଧରା ପଡ଼ିଛନ୍ତି ଦୁଇ ବନ୍ଧୁ। ଉତ୍ତମ ମଧ୍ୟମ ଖାଇବା ପରେ ବନ୍ଧା ହୋଇଛନ୍ତି। ଟ୍ରାଫିକ୍‌ ପୁଲିସ୍‌ ଉଭୟଙ୍କୁ ଧରି କ୍ୟାପିଟାଲ ଥାନା ଜିମା ଦେଇଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡ଼ିଛି। ତେବେ ଅନ୍ୟଜଣେ ବନ୍ଧୁ ଖସିଯିବାକୁ ସମର୍ଥ ହୋଇଛି। ବାଇକ୍‌ରେ ଥିବା ତିନିଜଣଙ୍କ ମଧ୍ୟରୁ ବସିଥିବା ଦୁଇଜଣଙ୍କୁ ଧରିବା ବେଳେ ଚାଳକ ଦ୍ରୁତଗତିରେ ଗାଡ଼ି ଚଳାଇ ଫେରାର ହେବାକୁ ସମର୍ଥ ହୋଇଛି। ତାକୁ ଖୋଜା ଚାଲିଛି। ଖୁବ୍‌ଶୀଘ୍ର ସେ ବି ଗିରଫ ହେବ ବୋଲି ପୁଲିସ କହିଛି। ତେବେ ଥରେ ନୁହେଁ, ବାରମ୍ବାର ଏମାନେ ଏଭଳି ବାଇକ୍‌ରେ ଆସି ଅଶ୍ଳୀଳ ଇଙ୍ଗିତ କରି ଚାଲି ଯାଆନ୍ତି। ସେମାନଙ୍କୁ ଟାର୍ଗେଟ କରିବା ପରେ ଆଜି ପୁଲିସ୍‌ ଧରିବାକୁ ସକ୍ଷମ ହୋଇଛି। ପୁଲିସ୍‌ କହିବା ମୁତାବକ, ରାତି ପ୍ରାୟ ୯ଟା ବେଳେ ତିନିଜଣ ରୋମିଓ ଏକ ବାଇକ୍‌ରେ ରାଜଭବନ ଆଡ଼ୁ ଆସି ଏଜି ଛକରେ ପହଞ୍ଚିଥିଲେ। ସେଠାରେ କାର୍ଯ୍ୟରତ ଜଣେ ମହିଳା ପୁଲିସ୍ କର୍ମଚାରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ। ସେତେବେଳେ ସେମାନଙ୍କୁ ଧରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ସେମାନେ ୬ ନମ୍ବର ଆଡ଼େ ଚାଲି ଯାଇଥିଲେ। କିଛି ସମୟ ପରେ ସେମାନେ ପୁଣିଥରେ ଫେରି ସେଭଳି ଇଙ୍ଗିତ କରିଥିଲେ। ପୂର୍ବରୁ ପ୍ରସ୍ତୁତ ଥିବା ଅନ୍ୟ ପୁଲିସ୍‌ କର୍ମଚାରୀମାନେ ସେମାନଙ୍କୁ କାବୁ କରିଥିଲେ। ସେମାନଙ୍କ ମଧ୍ୟରୁ ଚାଳକ ଦ୍ରୁତ ଗତିରେ ଖସି ପଳାଇଥିଲା। ତେବେ ବିଭିନ୍ନ ସମୟରେ ମହିଳା ପୁଲିସ୍‌ମାନଙ୍କ ସହ ବାଟରେ ଯାଉଥିବା ମହିଳା ଯୁବତୀମାନେ ଏଭଳି ଅତ୍ୟାଚାରର ଶିକାର ହେଉଛନ୍ତି। ଏଭଳି ରୋମିଓମାନେ ଦ୍ରୁତଗତିରେ ଚାଲି ଯାଉଥିବାରୁ ସେମାନଙ୍କୁ ଧରିବା ସମ୍ଭବ ହେଉନାହିଁ। ଏହି ଅଭିଯୋଗକୁ ନେଇ କେହି ଥାନାକୁ ଯାଉନଥିବାରୁ ସେମାନେ ପ୍ରୋତ୍ସାହିତ ହେଉଛନ୍ତି। ଏମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ଡ୍ରାଇଭ୍‌ ଆବଶ୍ୟକ ଥିବା ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର