ଚର୍ଚ୍ଚରେ ଯୁବତୀଙ୍କୁ ବର୍ଷ ବର୍ଷ ଧରି ଯୌନ ଶୋଷଣ ସହ ବ୍ଲାକ୍‌ମେଲ କରିଥିବା ୨ ଚର୍ଚ୍ଚ ପୂଜକ ଆତ୍ମସମର୍ପଣ କଲେ

ଥିରୁବନନ୍ତପୁରମ୍‌ : କିଛି ଦିନ ପୂର୍ବରୁ କେରଳର କୋଟ୍ଟାୟମ୍‌ରେ ଜଣେ ୩୪ ବର୍ଷିୟ ଯୁବତୀଙ୍କୁ ଦୁଇ ଜଣ ଚର୍ଚ୍ଚଫାଦର କିଛି ବର୍ଷ ହେବ ଯୌନଶୋଷଣ କରି ଆସୁଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ ଅଦାଲତ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଆଗରେ ଅଗଷ୍ଟ ୧୩ ମଧ୍ୟରେ ଆତ୍ମସମର୍ପଣ କରିବା ପାଇଁ ଆଦେଶ ଦେଇଥିବା ବେଳେ ସୋମବାର ଦୁଇ ଅଭିଯୁକ୍ତ କୋଲାମ ପୁଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ସୁପ୍ରିମକୋର୍ଟରେ ଦୁଇ ଅଭିଯୁକ୍ତ ଜାମିନ ପାଇଁ ଆବେଦନ କରିଥିବା ବେଳେ ସପ୍ତାହେ ପୂର୍ବରୁ ସେମାନଙ୍କ ଆବେଦନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ । ଯାହା ପରେ ଦୁଇ ଅଭିଯୁକ୍ତଙ୍କୁ ଆତ୍ମସମର୍ପଣ ପାଇଁ ସୁପ୍ରିମ କୋର୍ଟ ଆଦେଶ ଦେଇଥିଲେ । ଦୁଇ ଅଭିଯୁକ୍ତ ସୋନି ଭର୍‌ଗିଜ୍‌ ଏବଂ ଜେସି କେ ଜର୍ଜ ଆତ୍ମସମର୍ପଣ କରିବା ପରେ ଦୁଇ ଜଣଙ୍କୁ ତଦନ୍ତକାରୀ ଦଳକୁ ହସ୍ତାନ୍ତର କରାଯାଇଥିବା ଜଣା ପଡ଼ିଛି ।

Dailyhunt

ଗତ ମାସରେ ଏହି ମାମଲା ସହ ଜଡ଼ିତ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ । ସୂଚନା ମୁତାବକ, ପୀଡ଼ିତା ୧୬ବର୍ଷର ହୋଇଥିବା ବେଳେ ମଲଙ୍କାରା ଅର୍‌ଥୋଡ଼କ୍ସ ସିରିୟାନ ଚର୍ଚ୍ଚରେ ପ୍ରାର୍ଥନା କରୁଥିବା ସମୟରେ ଚର୍ଚ୍ଚ ପୂଜକ ସୋନି ଭାର୍‌ଗିଜ୍‌ ତାଙ୍କୁ ଯୌନ ଶେଷଣ କରିଥିଲେ । ଏ ନେଇ ସେ ଚର୍ଚ୍ଚର ଅନ୍ୟ ଜଣେ ପୂଜକ ଜବ୍‌ ମାଥ୍ୟୁଙ୍କୁ ଜଣାଇବା ପରେ ସେ ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ତାଙ୍କର ଫାଇଦା ଉଠାଇଥିଲେ । ପୀଡ଼ିତା ଚୁପ୍‌ ରହୁଥିବା ଦେଖି ମାଥ୍ୟୁ ତାଙ୍କର ଅନ୍ୟ ଦୁଇ ସହକର୍ମୀ ଜେସି କେ ଜର୍ଜ ଏବଂ ଜନ୍‌ସନ୍‌ ଭି ମାଥ୍ୟୁଙ୍କୁ ଜଣାଇବା ପରେ ସେମାନେ ମଧ୍ୟ ପୀଡ଼ିତାଙ୍କୁ ଡ଼ରାଇ ଯୌନ ଶୋଷଣ କରିବା ଆରମ୍ଭ କରି ଦେଇଥିଲେ । ଏ ନେଇ କିଛି ବର୍ଷ ଚୁପ୍‌ ରହିବା ପରେ ଶେଷରେ ୪ ଜଣଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ପୀଡ଼ିତା । ୪ଜଣ ଅଭିଯୁକ୍ତ ପୀଡ଼ିତାଙ୍କ ବୟାନକୁ ମିଛ ବୋଲି କହୁଥିବା ବେଳେ ତଦନ୍ତ ପରେ ତାହା ସତ ବୋଲି ଜଣା ପଡ଼ିଥିଲା । ପ୍ରଥମରୁ ଦୁଇ ଜଣଙ୍କୁ ପୁଲିସ ଗିରଫ କରି ସାରିଥିବା ବେଳେ ଏବେ ଦୁଇ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି ।

ସମ୍ବନ୍ଧିତ ଖବର