ଦୁଇ ହାଇେଓ୍ଵ ଲୁଟେରା ଗିରଫ

ଖଣ୍ଡଗିରି: ବୁଧବାର ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ପୁଲିସ ୧୬ ନମ୍ବର ଜାତୀୟ ରାଜପଥରେ ଲୁଟ୍‌ପାଟ୍‌ କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସ୍ଥାନୀୟ ଡୁମୁଡୁମା ଫେଜ୍‌-୩ ଅଞ୍ଚଳର ରାମଚନ୍ଦ୍ର ରାଉତ(୨୧) ଓ ସୁଆଙ୍ଗ ଗାଁର ରଶ୍ମିରଂଜନ ପାତ୍ର(୨୦)। ପୁଲିସ ସେମାନଙ୍କଠାରୁ ଗୋଟିଏ ଚୋରିି ମୋବାଇଲ୍‌ ଫୋନ ଓ ଗୋଟିଏ ସ୍କୁଟି(ଓଡି୦୨ଏୟୁ-୨୩୫୧)ଜବତ କରିଛି।

ପୁଲିସ ସୂଚନାନୁସାରେ ରାତି ପ୍ରାୟ ୧୧ଟାବେଳେ ଭରତପୁର ଅଞ୍ଚଳର ପ୍ରଶାନ୍ତ ନାୟକ ଏକ କାର୍‌ରେ ଖଣ୍ଡଗିରି ଟ୍ରାଫିକ୍‌ ଛକରୁ ବରମୁଣ୍ଡା ଦିଗରେ ଯାଉଥିଲେ। ସେ ଟ୍ରାଫିକ୍‌ ଛକ ପାର୍‌ ହୋଇ ବରମୁଣ୍ଡା ଓଭରବ୍ରିଜ୍‌ଠାରୁ କିଛି ଦୂରରେ ପହଞ୍ଚିଥିବାବେଳେ ଏକ ସ୍କୁଟିରେ ତାଙ୍କୁ ୩ ଜଣ ଯୁବକ ପିଛା କରିଥିଲେ। ସେମାନେ ସମସ୍ତେ କଳାରଙ୍ଗର ବାନିଅନ୍‌ ପିନ୍ଧିଥିଲେ ଓ ହାତରେ ଶକ୍ତ ଲାଠି ଧରିଥିଲେ। ସେ ଫାୟାର୍‌ ଷ୍ଟେସନ୍‌ ଛକ ନିକଟରେ ପହଞ୍ଚିଥିବାବେଳେ ୩ ଜଣଯାକ ସ୍କୁଟିକୁ ନେଇ କାର୍‌ ସମ୍ମୁଖରେ ରଖି ଦେଇଥିଲେ। ପ୍ରଶାନ୍ତ କାର୍‌ରୁ ଓହ୍ଲାଇବା ମାତ୍ରେ ଦୁର୍ବୃତ୍ତମାନେ ତାଙ୍କୁ ଅତର୍କିତଭାବେ ଲାଠିରେ ପିଟି ମୋବାଇଲ୍‌ ଫୋନ୍‌ ଓ କିଛି ଟଙ୍କା ଛଡ଼ାଇ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ତେବେ କାର୍‌ରେ ଥିବା ପ୍ରଶାନ୍ତଙ୍କ ସହଯୋଗୀ ଅବିନାଶ ସେତେବେଳକୁ ଖଣ୍ଡଗିରି ଥାନା ପୁଲିସକୁ ଜଣାଇ ସାରିଥିଲେ। ତୁରନ୍ତ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଶାନ୍ତଙ୍କଠାରୁ ଦୁର୍ବୃତ୍ତମାନଙ୍କ ବାବଦରେ ସୂଚନା ସଂଗ୍ରହ କରି ସେମାନଙ୍କୁ ଖୋଜିଥିଲା। ଲୁଟ୍‌ ପରେ ଦୁର୍ବୃତ୍ତମାନେ ଡୁମୁଡୁମା ଛକରେ ଆଡ଼ା ଜମାଇଥିଲେ। ପୁଲିସ ସେଠାରେ ପହଞ୍ଚିବା ଦେଖି ଜଣେ ଦୁର୍ବୃତ୍ତ ସେଠାରୁ ଦୌଡ଼ି ପଳାଇଥିଲା। କିନ୍ତୁ ପୁଲିସ ରଶ୍ମି ଓ ରାମକୁ କାବୁ କରି ନେଇଥିଲା।

ସମ୍ବନ୍ଧିତ ଖବର