ଲକ୍ଷ୍ମୀସାଗରରୁ ୨ କୁଖ୍ୟାତ ଲୁଟେରା ଗିରଫ

କୋଟିଏରୁ ଊର୍ଧ୍ୱ ଟଙ୍କାର ସଂପତ୍ତି ଜବତ

ଚନ୍ଦ୍ରଶେଖରପୁର: ରାଜଧାନୀର ବିଭିନ୍ନ ସ୍ଥାନରେ ଲୋକଙ୍କ ଘରେ ପଶି ଲୁଟ୍‌ପାଟ କରୁଥିବା ଏକ ଲୁଟେରା ଗ୍ୟାଙ୍ଗର ୨ଜଣ ସଦସ୍ୟଙ୍କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଛି। ତଦନ୍ତରେ ବାଧା ଉପୁଜିବା ଦୃଷ୍ଟିରୁ ପୁଲିସ ସେମାନଙ୍କ ନାମ ପ୍ରକାଶ କରିନାହିଁ। ତେବେ ସେମାନଙ୍କୁ ପଚରାଉଚରା କରି ପୁଲିସ ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କ ବିଷୟରେ ତଥ୍ୟ ଆଦାୟ କରୁଛି। ରାତିଅଧିଆ ଚଢ଼ଉ କରି ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଯୋଜନା କରିଥିବା ଜଣାଯାଇଛି। ତେବେ ଥାନାର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଲୁଟେରାମାନଙ୍କଠାରୁ ଜବତ ହୋଇଥିବା ସାମଗ୍ରୀର ମୂଲ୍ୟ ୧ କୋଟି ଟଙ୍କାରୁ ଊର୍ଧ୍ୱ ହେବ ବୋଲି ଜଣାଯାଇଛି। ଲୁଟ୍‌ ସାମଗ୍ରୀ ଭିତରେ ୧୫ରୁ ଅଧିକ ଲଗେଜ୍‌ ବ୍ୟାଗ୍‌, ୨୫ରୁ ଊର୍ଧ୍ୱ ଲାପଟପ୍‌, ଲକ୍ଷାଧିକ ଟଙ୍କାର ସୁନାଗହଣା, କ୍ୟାମେରା ସମେତ ବହୁ ମୂଲ୍ୟବାନ ଜିନିଷ ଥିବା ଜଣାଯାଇଛି। ପୁଲିସ ଏକ ଭ୍ୟାନ୍‌ରେ ଏହି ସବୁ ସାମଗ୍ରୀ ଜବତ କରି ଥାନାକୁ ଆଣିଥିଲା।

 

ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ଯୁବକ ବିପୁଳ ପରିମାଣର ଚୋରି ଜିନିଷ ଗୋଟିଏ ଘରେ ତାଲା ପକାଇ ରଖିଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଖବର ପାଇ ପୁଲିସ୍‌ର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ଘରଟିକୁ ଚାରିପଟରୁ ଘେରି ଯାଇଥିଲା। ପରେ କବାଟ ଖୋଲିବାକୁ କହିବାରୁ ଜଣେ ଲୁଟେରା ପଦାକୁ ବାହାରିଥିଲା। ପୁଲିସ ତାକୁ କାବୁ କରି ନେଇଥିଲା। ଏହା ଦେଖି ଘର ଭିତରେ ଲୁଚି ରହିଥିବା ଅନ୍ୟ ଜଣେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ତାକୁ ମଧ୍ୟ ଧରି ନେଇଥିଲା। ଲୁଟ୍‌ ସାମଗ୍ରୀ କେଉଁଠାରେ ଅଛି ବୋଲି ପୁଲିସ ପଚାରିବାରୁ ଲୁଟେରାଦ୍ୱୟ ଗୋଟିଏ କୋଠରିରେ ଥିବା ଲଗେଜ୍‌ ବ୍ୟାଗ୍‌ଗୁଡ଼ିକୁ ଦେଖାଇଥିଲେ। ସାମଗ୍ରୀ ଦେଖି ପୁଲିସର ହୋସ୍‌ ଉଡ଼ି ଯାଇଥିଲା। ଏକ ସ୍ୱତନ୍ତ୍ର ଭ୍ୟାନ୍‌ରେ ପୁଲିସ ଉକ୍ତ ଲୁଟ୍‌ ସାମଗ୍ରୀ ସବୁକୁ ଜବତ କରି ଥାନାକୁ ଆଣିଥିଲା। ଉଲ୍ଲେଖଯୋଗ୍ୟ, ଗତ ମାସକ ମଧ୍ୟରେ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ଅଞ୍ଚଳରେ ପ୍ରାୟ ୩୭ଟି ଲୁଟ୍‌ ହୋଇଥିଲା।

ସମ୍ବନ୍ଧିତ ଖବର