ଦାଦାବଟି ନଦେବାରୁ ମହିଳାଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଦାଦାବଟି ନଦେବାରୁ ମହିଳାଙ୍କୁ ଆକ୍ରମଣ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲେ ଲକ୍ଷ୍ମୀସାଗର ମଣ୍ଡପସାହି ଅଞ୍ଚଳର କଣ୍ଡୁରୀ ଚରଣ ନାୟକ(୫୫)। ଗତ କିଛିଦିନ ହେବ ଶ୍ରାବଣୀ ବିଶ୍ୱାଳ ନାମକ ଜଣେ ମହିଳା ଲକ୍ଷ୍ମୀସାଗର ସ୍ଥିତ ତାଙ୍କ ପ୍ଲଟ୍‌ରେ ପାଚେରି ନିର୍ମାଣ ପାଇଁ ଜଣେ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେଇଥିଲେ। ତେବେ ରବିବାର ଦିନ ପ୍ଲଟ୍‌ରେ ପାଚେରି ନିର୍ମାଣ ସୟମରେ କଣ୍ଡୁରୀ ସେଠାକୁ ଆସି ସଂପୃକ୍ତ ବ୍ୟକ୍ତି ଜଣଙ୍କୁ ଦାଦାବଟି ବାବଦକୁ ୫ଲକ୍ଷ ଟଙ୍କା ମାଗିଥିଲେ। ହେଲେ ସେ କେଉଁଠୁ ଟଙ୍କା ଆଣିବେ ବୋଲି କହିବାରୁ କଣ୍ଡୁରୀ ତାଙ୍କୁ ଗାଳିଗୁଲଜ କରି ସେଠାରୁ ବିଦା କରିଦେଇଥିଲେ। ତେଣୁ ବ୍ୟକ୍ତି ଜଣଙ୍କ ଘଟଣା ବିଷୟରେ ଶ୍ରାବଣୀଙ୍କୁ କହିଥିଲେ। ତେବେ ଶ୍ରାବଣୀ ସାହସର ସହ ପ୍ଲଟକୁ ଆସି ପାଚେରି ନିର୍ମାଣବେଳେ ନିଜେ ଉପସ୍ଥିତ ଥିଲେ। ଏହି ସମୟରେ କଣ୍ଡୁରୀ ପୁଣି ଆସି ପାଟିତୁଣ୍ଡ କରିଥିଲେ। ଶ୍ରାବଣୀ ପ୍ରତିବାଦ କରିବାରୁ କଣ୍ଡୁରୀ ତାଙ୍କୁ ଗାଳିଗୁଲଜକ କରିବା ସହ ମାଡ଼ ମାରିଥିଲେ। ଏମିତିକି ବିନା ବଟିରେ ପ୍ଲଟ୍‌ରେ କୌଣସି କାମ କଲେ ହତ୍ୟା କରିବାକୁୁ ଧମକ ଦେଇଥିଲେ। ଏନେଇ ଶ୍ରାବଣୀ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଆଜି କୁଣ୍ଡୁରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର