ଦୁଇ କୁଖ୍ୟାତ ଡକାୟତ ଗିରଫ, ବନ୍ଧୁକ ଓ ଗୁଳି ଜବତ

ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ

ଚନ୍ଦ୍ରଶେଖରପୁର: କୁଇକ୍‌ ଆକ୍ସନ ଟିମ୍‌ (କ୍ୟୁଏଟି) ସହାୟତାରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ବଡ଼ଧରଣର ଡକାୟତି ଯୋଜନାକୁ ପଣ୍ଡ କରିବା ସହ ୨ କୁଖ୍ୟାତ ଡକାୟତଙ୍କୁ ଗିରଫ କରିଛି। ସେମାନେ ହେଲେ, ପୁରୀ ଜିଲା ଟାଉନ୍‌ ଥାନା ଅଧୀନ ଚୁଡ଼ଙ୍ଗ ସାହି, ମାତା ଗୋସେଇଁ ଗଳିର ମନୋଜ ନାୟକ ଓରଫ ପିଣ୍ଟୁ (୨୭) ଏବଂ ସେନାପତି ବଗିଚା କୁମ୍ଭାରପଡ଼ାର ବିଜୟ କୁମାର ମିଶ୍ର ଓରଫ ବିଜୁ (୨୬)। ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଏହି ଦୁଇ ପେସାଦାର ଅପରାଧୀଙ୍କୁ ଗିରଫ କରିଥିଲେ। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ପୁଲିସ ଗୋଟିଏ ମାଉଜର୍‌, ଜୀବନ୍ତ ଗୁଳି ଓ ଏକ ବାଇକ୍‌ ଜବତ କରିଛି। ପୂର୍ବରୁ ସେମାନେ ଅନେକଥର ରାଜଧାନୀ ଆସି ଲୁଟ୍‌ କରି ଖସି ପଳାଇଥିବା ପୁଲିସ କହିଛି। ଗତକାଲି ନୀଳାଦ୍ରିବିହାର ବୁଦ୍ଧପାର୍କ ନିକଟସ୍ଥ ଏକ ଅନ୍ଧାରିଆ ସ୍ଥାନରେ ଏକ ବଡ଼ଧରଣର ଡକାୟତି ପାଇଁ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରୁଥିଲେ। ଏ ସଂପର୍କରେ ସୂଚନା ପାଇ କ୍ୟୁଏଟି ସହାୟତାରେ ଚନ୍ଦ୍ରଶେଖରପୁର ପୁଲିସ୍‌ ସେଠାରେ ଚଢ଼ଉ କରିଥିଲା। ପରେ ଥାନାକୁ ଆଣି ଜେରା କରିବାରୁ ସେମାନେ ଦୋଷ ସ୍ୱୀକାର କରିଥିଲେ।

୨୦୧୩ରେ ଭଣଜା ସହ ମିଶି ମାମୁଙ୍କୁ ଲୁଟିଥିଲା ବିଜୟ
ଆଜି ଗିରଫ ହୋଇଥିବା ବିଜୟ ମିଶ୍ର ଓରଫ୍‌ ବିଜୁ ଜଣେ ପେସାଦାର୍‌ ଅପରାଧୀ। ୨୦୧୩ରେ ପ୍ରାଚୀ ଏନ୍‌କ୍ଲେଭ୍‌ରେ ରହୁଥିବା ଅଶୋକ ପଟ୍ଟନାୟକଙ୍କ ଘରେ ଏକ ବଡ଼ଧରଣର ଡକାୟତି ହୋଇଥିଲା। ଏହି ଘଟଣାରେ ଶ୍ରୀ ପଟ୍ଟନାୟକଙ୍କ ନିଜ ଭଣଜା ସନ୍ଦୀପ ଦାସଙ୍କ ସହ ମିଶି ବିଜୟ ଏହି ଡକାୟତି କରିଥିଲା। ଏହି ଘଟଣାରେ ଆଉ ଛଅ ଜଣ ଅପରାଧୀ ସାମିଲ୍‌ ଥିଲେ। ତେବେ ଏହି ଘଟଣାରେ ବିଜୟ, ପ୍ରତାପ ଓ ଭଜମନ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଥିଲେ। ସେତେବେଳେ ଏହା ଚର୍ଚ୍ଚାର ବିଷୟ ହୋଇଥିଲା। ମାତ୍ର ଅପିଲ୍‌ ବେଲ୍‌ରେ ବାହାରି ଥିବା ବିଜୟ ପୁଣି ଥରେ ଅପରାଧିକ କାର୍ଯ୍ୟକଳାପ ପାଇଁ ଗିରଫ ହୋଇଛି।

ସମ୍ବନ୍ଧିତ ଖବର