ଦୁଇ ଗାଡ଼ି ଚୋର ଗିରଫ

ବାଲିଅନ୍ତା : ବାଲିଅନ୍ତା ଥାନା ପୁଲିସ ଆଜି ଏକ ଗାଡ଼ି ଚୋରି ର‍୍ୟାକେଟ୍‌ର ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଚୋର ଦ୍ୱୟ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଧୀନ ହାଟ ସାହି ଅଞ୍ଚଳର ବୈକୁଣ୍ଠ ନାଥ ବେହେରା (୫୮) ଓ ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ଅଧୀନ ଜଢ଼େଇଗୁଅାଁ ଭୋଇ ସାହିର ପ୍ରଶାନ୍ତ କୁମାର ବେହେରା (୨୩)। ଏଥିସହିତ ପୁଲିସ ସେମାନଙ୍କ ନିକଟରୁ ଏକ ପାସେଞ୍ଜର ଅଟୋ ସହ ଦୁଇଟି ବାଇକ୍‌ ଇଂଜିନ ଓ ଦୁଇଟି ବଡ଼ ବ୍ୟାଟେରି ଓ ଆଉ ଗୋଟିଏ ଗିଅର ବକ୍ସ ମଧ୍ୟ ଜବତ କରିଛି। ହେଲେ ପୁଲିସ ଘଟଣାସ୍ଥଳରୁ ଖସି ପଳାଇଥିବା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡକୁ କିନ୍ତୁ ଗିରଫ କରିପାରିନି। ସେହିପରି ସଂପୃକ୍ତ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ସହିତ ସେମାନଙ୍କ ନିକଟରୁ ଏସବୁ ଚୋରି ଗାଡ଼ି ଯନ୍ତ୍ରାଂଶ ଓ ପାଣିମଟର କିଣୁଥିବା ଅନ୍ୟତମ ଅଭିଯୁକ୍ତ ଓ କବାଡ଼ିଆ ବ୍ୟବସାୟୀମାନଙ୍କ ବିରୋଧରେ  ପୁଲିସ ପକ୍ଷରୁ କୌଣସି ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇପାରିନି। ବାଳକାଟି ଫାଣ୍ଡି ଅଧୀନ ବାସୁଦେବ ସାହିର ଜଣେ ଗ୍ୟାରେଜ୍‌ ମାଲିକ ସୂର୍ଯ୍ୟକାନ୍ତ ମହାନ୍ତିଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ କରିବା ଫଳରେ ବାଲିଅନ୍ତା ଥାନା ପୁଲିସକୁ ଏହି ସଫଳତା ମିଳିଛି। ସୂର୍ଯ୍ୟକାନ୍ତଙ୍କ ଅଭିଯୋଗ ଅନୁଯାୟୀ ଗତ ୨୨ ତାରିଖ ବିଳମ୍ବିତ ରାତିରେ ସେ ଓ ତାଙ୍କ ସହକର୍ମୀ କୁସୁପଦାରୁ ଯାତ୍ରା ଦେଖି ଫେରୁଥିବା ବେଳେ ବୈକୁଣ୍ଠ ଓ ପ୍ରଶାନ୍ତ ତାଙ୍କ ଗ୍ୟାରେଜ୍‌ ଭିତରେ ପଶି ଲୁଟ୍‌ପାଟ କରୁଥିଲେ। ତାଙ୍କ ପାଟିଶୁଣି ଘଟଣାସ୍ଥଳରୁ ସ୍ଥାନୀୟ ଲୋକ ଉଭୟଙ୍କୁ ଧରି ନିର୍ଧୁମ ଛେଚି ପୁଲିସ ଜିମା ଦେଇଥିଲେ। ବାଲିଅନ୍ତା ଥାନା ପୁଲିସ କେସ୍‌ ନମ୍ବର ୯୮/୧୮ରେ ଏକ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି। ହେଲେ ବୈକୁଣ୍ଠ ଓ ପ୍ରଶାନ୍ତଙ୍କ ଜାମିନ ଆବେଦନ ନାମଂଜୁର ହୋଇଯିବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ସଂପର୍କରେ ଥାନାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର