୨ ଚୋର ଗିରଫ, ଦୁଇ ବାଇକ୍‌ ଜବତ

ଖଣ୍ଡଗିରି : ବୁଧବାର ତମାଣ୍ଡୋ ଥାନା ପୁଲିସ ବାଇକ୍‌ ଚୋରି ଅଭିଯୋଗରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଖଣ୍ଡଗିରି ଥାନା ଅନ୍ତର୍ଗତ ସରକନ୍ତରା ଅଞ୍ଚଳର ସୁନୀଲ ପରିଡ଼ା ଓରଫ୍‌ ସନିଆ(୧୯)। ଗତ ମାସରେ କଳିଙ୍ଗବିହାରରୁ ଚୋରି ହୋଇଥିବା ଏକ ବାଇକ୍‌କୁ ପୁଲିସ ସନିଆ ନିକଟରୁ ଜବତ କରିଛି। ପୁଲିସ ସୂଚନାନୁସାରେ ଆଜି ପୂର୍ବାହ୍ଣ ପ୍ରାୟ ୯ଟାବେଳେ ଭଗବାନପୁର ଶିଳ୍ପାଞ୍ଚଳରେ ପାଟ୍ରୋଲିଂ ଚାଲିଥିଲା। ଏହି ସମୟରେ ସନିଆ ଏକ ବାଇକ୍‌(ଓଆର୦୨ବିଏକ୍ସ୬୨୬୮) ଧରି ଜାତୀୟ ରାଜପଥ ଆଡ଼କୁ ଆସୁଥିଲା। ପୁଲିସ ତାକୁ ଅଟକାଇବାକୁ ଚେଷ୍ଟା କଲାବେଳେ ସେ ବାଇକ୍‌ ଛାଡ଼ି ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲା। ମାତ୍ର ପୁଲିସ କର୍ମଚାରୀମାନେ ତାକୁ ଗୋଡ଼ାଇ ଗୋଡ଼ାଇ କାବୁ କରିନେଇଥିଲେ। କାଗଜପତ୍ର ଯାଞ୍ଚ ପରେ ବାଇକ୍‌ଟି କଳିଙ୍ଗବିହାର ଏଲ୍‌ଆଇଜି-୧୦୩ରେ ରହୁଥିବା ନରେଶ ଗୁରୁଙ୍କର ବୋଲି ଜଣାପଡ଼ିଥିଲା। ସେହିପରି ମଙ୍ଗଳବାର ବିଳମ୍ବିତ ରାତିରେ ସହିଦନଗର ଥାନ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲଣ କରିଛି। ତା ନାଁ ସୁଜିତ କୁମାର ଜେନା ଘର ଲକ୍ଷ୍ମୀସାଗର ଅଞ୍ଚଳରେ।

ଯୁବକଙ୍କୁ ଆକ୍ରମଣ କରି ଯୁବକ ଗିରଫ

ଭୁବନେଶ୍ୱର : ୨୦୧୧ ମସିହାରେ ଜଣେ ଯୁବକଙ୍କୁ ଆକ୍ରମଣ ହେବା ଘଟଣାରେ ସହିଦନଗର ଥାନା ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତା ନାଁ ରମେଶ ପଟ୍ଟନାୟକ ଘର ସହିଦନଗର ଥାନା ଅଧୀନରେ ଥିବା ଭୋଇ ନଗର ଅଞ୍ଚଳରେ। ସୂଚନାନୁଯାୟୀ ୨୦୧୧ରେ କୌଣସି କଥାକୁ କେନ୍ଦ୍ର କରି ରମେଶ ଭୋଇ ନଗର ଅଞ୍ଚଳର ଭୀମ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ଭୀମ ସହିଦନଗର ଥାନାରେ ଅଭିଯୋଗ କରିଥିଲେ।

କାର ଦେବା ନେଇ ଠକେଇ, ଜଣେ ଗିରଫ

ପୁରୁଣା ଭୁବନେଶ୍ୱର : କାର ବିକ୍ରି କରିବା ନାଁରେ ଠକେଇ କରିବା ଅଭିଯୋଗରେ ଏୟାରଫିଲ୍‌ଡ ଥାନା ପୁଲିସ ଜଣକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲା ବେଗୁନିଆ ଦେଉଳି ଅଞ୍ଚଳର ପୋଖରୀପୁଟ୍‌ରେ ରହୁଥିବା ଆଶୁତୋଷ ମହାପାତ୍ର(୩୫)। ପୁଲିସ ସୂଚନା ଅନୁଯାୟୀ ଗୋପ ଅଞ୍ଚଳର ସୁବାସ ବେହେରାଙ୍କୁ ଆଶୁତୋଷ ଏକ କାର ବିକ୍ରି କରିବା ନେଇ ୪ଲକ୍ଷ ଟଙ୍କା ନେଇଥିଲେ। ତେବେ ୪ବର୍ଷ ହେଲା ଟଙ୍କା ନେଇ ମଧ୍ୟ କାର ନଦେଇ ତାଙ୍କୁ ଠକିଥିଲେ। ଏନେଇ ସୁବାସ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି ଆଶୁତୋଷକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର