ଉବେର୍‌ କାର୍‌ ଲୁଟ୍‌ ମାମଲା ପୁଲିସ ଘେରରେ ଦୁଇ ଦୁର୍ବୃତ୍ତ

ଖଣ୍ଡଗିରି: ଗୁରୁବାର ଭୋର୍‌ ସମୟରେ ସ୍ଥାନୀୟ ତପୋବନ ଉଚ୍ଚ ବିଦ୍ୟାଳୟ ନିକଟରୁ ମାଲିକଙ୍କୁ ହାଣି ଉବେର୍‌ କାର୍‌ ଲୁଟ୍‌ ମାମଲାରେ କମିସନରେଟ୍‌ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ପୁଲିସ ଟିମ୍‌ ଉକ୍ତ ଦୁଇ ଦୁର୍ବୃତ୍ତ ଛପି ରହିଥିବା ଆଡ୍‌ଡାକୁ ଘେରାବନ୍ଦୀ କରିଥିବା ସୂଚନା ମିଳିଛି। ଆଜି ବିଳମ୍ବିତ ରାତିରେ ସେମାନଙ୍କୁ ଗିରଫ କରାଯିବା ନିଶ୍ଚିତ ବୋଲି ସମର୍ଥିତ ସୂତ୍ରରୁ ଖବର ମିଳିଛି। ଆବଶ୍ୟକ ପଡ଼ିଲେ ଦୁର୍ବୃତ୍ତଦ୍ୱୟଙ୍କୁ ଏନ୍‌କାଉଣ୍ଟର କରିବାକୁ ବି ପୁଲିସ ପ୍ରସ୍ତୁତ ହୋଇ ରହିଥିବା ଜଣାପଡ଼ିଛି। ଦୁର୍ବୃତ୍ତଦ୍ୱୟ ହାର୍ଡକୋର୍‌ କ୍ରିମିନାଲ୍‌ ହୋଇଥିବାରୁ ପୁଲିସ ଟିମ୍‌ ସତର୍କତାର ସହ ଅପରେସନ୍‌ ଜାରି ରଖିଛି। ଗତକାଲିଠାରୁ ଖଣ୍ଡଗିରି ଥାନା ପୁଲିସ ଓ କମିସନରେଟ୍‌ ପୁଲିସର ସ୍ୱତନ୍ତ୍ର ଟିମ୍‌ ଏହି ଲୁଟେରାଦ୍ୱୟଙ୍କ ପିଛା କରିଥିଲେ। ପୁଲିସର ଉକ୍ତ ଟିମ୍‌ କଟକ ଓ ଖୋର୍ଧା ଏହି ଦୁଇ ସହର ସୀମାକୁ ସିଲ୍‌ କରି ଯାଞ୍ଚ ଜାରି ରଖିଥିଲା। ପୁଲିସ ପ୍ରଥମେ ଉକ୍ତ ଆଡ୍‌ଡାକୁ ଘେରାବନ୍ଦୀ କରିଛି। କାର୍‌ ସହ ଦୁଇଜଣଙ୍କୁ ଧରିବାକୁ ପୁଲିସ ଯୋଜନା ପ୍ରସ୍ତୁତ କରିଛି। ସୂଚନାନୁସାରେ, ଦୁଇଜଣଯାକ ଜେଲ୍‌ ଫେରନ୍ତା ଦୁର୍ଦାନ୍ତ ଆସାମୀ। ଗୁରୁବାର ଭୋର ପ୍ରାୟ ସାଢ଼େ ୬ଟା ବେଳେ ଭଡ଼ା ବାହାନାରେ ଏହି ଦୁଇ ଜଣ ଉବେର୍‌ କାର୍‌ ମାଲିକ ବନେଶ ମହାକୁଡ଼ଙ୍କୁ ଭୁଜାଲିରେ ହାଣି କାର୍‌ ଲୁଟି ନେଇଥିଲେ।

ସମ୍ବନ୍ଧିତ ଖବର