କନ୍ଧମାଳରୁ କ୍ରିଷ୍ଣା-ବରୁଣ ଯୋଡ଼ି ଗିରଫ

ଉବେର୍‌ କାର୍‌ ଲୁଟ୍‌ ମାମଲା

ଖଣ୍ଡଗିରି: ଚାଳକମାନଙ୍କୁ ଖଣ୍ଡାରେ ହାଣି ରାଜଧାନୀରୁ କାର୍‌ ଓ ବାଇକ୍‌ ଲୁଟ୍‌ କରି ଆତଙ୍କ ଖେଳାଇଥିବା କୁଖ୍ୟାତ୍‌ କ୍ରିଷ୍ଣା ଦାସ ଓରଫ୍‌ ମହାନ୍ତି(୨୪) ଓ ବରୁଣ ପାତ୍ର(୨୧)କୁ ଖଣ୍ଡଗିରି ଥାନା ପୁଲିସ ଗୁରୁବାର କୋର୍ଟ ଚାଲାଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେମାନଙ୍କଠାରୁ ପୁଲିସ ୭ଟି ବାଇକ୍‌, ୨ଟି କାର୍‌ , ୧୦ଟି ମୋବାଇଲ୍‌ ଓ ୨ଟି ରକ୍ତ ଭିଜା ଖଣ୍ଡା ଜବତ କରିଛି। କ୍ରିଷ୍ଣାର ନିଜ ଘର ସୋନପୁର ଜିଲ୍ଲା ସୁବଳୟା ଥାନା ଗୋଡ଼ିପଲ୍ଲୀରେ ଓ ସେ ଡୁମୁଡୁମାରେ ରହି ଏକ କ୍ୟାବ୍‌ ସଂସ୍ଥାର କାର୍‌(ଓଡି୦୨ୟୁ-୦୭୯୬) ଚଳାଉଥିଲା ଓ ଉକ୍ତ କାର୍‌ ସାହାଯ୍ୟରେ ଲୁଟ୍‌ କରୁଥିଲା। ବରୁଣର ଘର ଗଞ୍ଜାମ ଜିଲ୍ଲା ଆସ୍କା ଥାନା ମୁଣ୍ଡମୁରେଇ ଓ ସେ ଡୁମୁଡୁମା ରଘୁନାଥନଗରରେ ରହୁଥିବାବେଳେ ଆଇଗିଣିଆ ଛକରେ ଏକ ମୋବାଇଲ୍‌ ଦୋକାନ କରିଛି। ଉପରକୁ ମୋବାଇଲ୍‌ ବେପାର କିନ୍ତୁ ଭିତରେ ଗାଡ଼ି ଲୁଟ୍‌ ଥିଲା ବରୁଣର ମୁଖ୍ୟ ବେପାର। ମାତ୍ର ମାସକ ଭିତରେ ଏହି ଦୁଇ ଜଣ ଖଣ୍ଡଗିରି, ନୂଆପଲ୍ଲୀ, ଜଟଣୀ, ଚନ୍ଦ୍ରଶେଖରପୁର ଅଞ୍ଚଳରେ ୮ଟି ଲୁଟ୍‌ କରିଥିବା ପୁଲିସ ସୂଚନା ଦେଇଛି। ଏମାନେ ଗାଡ଼ି ଚାଳକମାନଙ୍କୁ ବଡ଼ ନିର୍ଦୟଭାବେ ହାଣି ପକାଇଥିବା ଜଣାପଡ଼ିଛି।

ଗତ ମେ ୨୫ ତାରିଖରୁ ଏହି ଦୁଇ ଜଣ ରାଜଧାନୀରେ ଅଧିକ ସକ୍ରିୟ ହୋଇପଡ଼ିଥିବା ଜଣାପଡ଼ିଥିଲେ। ଫର୍ଚ୍ୟୁନ୍‌ ଟାଓ୍ଵାର ନିକଟରୁ ସେମାନେ ଜଣେ ବାଇକ୍‌ ଚାଳକଙ୍କୁ ଖଣ୍ଡାରେ ହାଣି ଏକ ନୀଳରଙ୍ଗର ହର୍ନେଟ୍‌ ଲୁଟି ନେଇଥିଲେ। ପରେ ପରେ ସେମାନେ ବରମୁଣ୍ଡା ଓଭରବ୍ରିଜ୍‌, ଘାଟିକିିଆ, ବରମୁଣ୍ଡା ବସ୍‌ଷ୍ଟାଣ୍ଡ, ନୂଆପଲ୍ଲୀ, ସିଆର୍‌ପି ଛକରୁ ଗାଡ଼ି ଲୁଟ୍‌ କରିଥିଲେ। ପାଞ୍ଚ ପାଞ୍ଚଟି ମାମଲା ପରେ କମିସନରେଟ୍‌ ପୁଲିସର ନିଦ ହଜି ଯାଇଥିଲା। ତେଣୁ ସ୍ପେସାଲ୍‌ ସ୍କ୍ଵାଡ୍‌ ଏହି ଦୁଇ ଜଣଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରି ଦେଇଥିଲା। ଗତ ୫ ତାରିଖରେ ଏମାନେ ଭରତପୁରରେ ରହୁଥିବା ଉବେର କାର୍‌(ଓଡି୦୨ଏଡି-୮୫୫୭) ମାଲିକ ବନେଶ ମହାକୁଡ଼ଙ୍କ ହାତକୁ ହାଣି କାର୍‌ ନେଇ ପାର୍‌ ହୋଇ ଯାଇଥିଲେ। ୭ ତାରିଖ ସକାଳେ ଗଙ୍ଗପଡ଼ା ଛକରେ ଭଂଜନଗରର ଶୁଭାଶିଷ ନାୟକଙ୍କୁ ହାଣି ତାଙ୍କ ଆକ୍ଟିଭା ଲୁଟି ନେଇଥିଲେ। ବନେଶ ଓ ଶୁଭାଶିଷଙ୍କ ସୂଚନା ପୁଲିସକୁ ଏହି ଦୁଇ ଜଣଙ୍କ ପାଖରେ ପହଞ୍ଚିବାକୁ ସୁରାକ୍‌ ଯୋଗାଇଥିଲା।

ଭଙ୍ଗା ଦାନ୍ତ ଧରାଇଦେଲା
ଅନ୍ୟ ଲୁଟ୍‌ଗୁଡ଼ିକ ବିଳମ୍ବିତ ରାତିରେ ହୋଇଥିବାରୁ ଲୁଟ୍‌ର ଶିକାର ହୋଇଥିବା ଯୁବକମାନେ ଲୁଟେରା ଦ୍ୱୟଙ୍କ ହୁଲିଆ ବତାଇ ପାରି ନଥିଲେ। ମାତ୍ର ଉବେର୍‌ କାର୍‌ ମାଲିକ ବନେଶ ଓ ଶୁଭାଶିଷ ସକାଳୁ ସକାଳୁ ଲୁଟ୍‌ର ଶିକାର ହୋଇଥିବାରୁ ସେମାନେ କ୍ରିଷ୍ଣାର ହୁଲିଆ କହି ପାରିଥିଲେ। କାର୍‌ ଚଳାଉଥିବା ଯୁବକଟିର ସମ୍ମୁଖ ଗୋଟିଏ ଦାନ୍ତ ଭଙ୍ଗା ବୋଲି ସେମାନେ ପୁଲିସକୁ ସୂଚନା ଦେଇଥିଲେ। ଏହି ଭଙ୍ଗା ଦାନ୍ତିଆ ଚୋରକୁ ପିଛା କରି କରି ପୁଲିସ ଶେଷରେ ସହିଦନଗର ଥାନାରୁ କ୍ରିଷ୍ଣାର ଇତିହାସ ଜାଣିବାକୁ ପାଇଥିଲା ଓ ପରେ ସେ ବି ଉକ୍ତ କ୍ୟାବ୍‌ ସଂସ୍ଥାର କାର୍‌ ଚଳାଉଛି ବୋଲି ଜାଣିବାକୁ ପାଇ ତାକୁ ପିଛା କରିଥିଲା। ସେତେବେଳେ କ୍ରିଷ୍ଣା କନ୍ଧମାଳରେ ଥିଲା। ଲୁଟ୍‌ ଗାଡ଼ିକୁ ବିକିବା ପାଇଁ ସେ ଓ ବରୁଣ କନ୍ଧମାଳରେ ଡେରା ପକାଇଥିଲେ। ି ସ୍ପେସାଲ୍‌ ସ୍କ୍ଵାଡ୍‌ ଓ ଖଣ୍ଡଗିରି ଥାନା ପୁଲିସ କନ୍ଧମାଳ ଯାଇ କ୍ରିଷ୍ଣାକୁ କାବୁ କରିଥିଲେ।

୨ ଧାରିଆ ଖଣ୍ଡାରେ ହାଣୁଥିଲେ
ପୂର୍ବରୁ ଖଣ୍ଡଗିରି ଥାନା ପୁଲିସ ପିଣ୍ଟୁ ଦିଗାଲ୍‌ ଓ ଦୀପୁ ସାହୁ ଭଳି କୁଖ୍ୟାତ୍‌ ବାଇକ୍‌ ଲୁଟେରାଙ୍କୁ ଗିରଫ କରିଥିଲା। କିନ୍ତୁ ସେମାନେ ଏତେ ଭୟଙ୍କର ନଥିଲେ। ମାତ୍ର କ୍ରିଷ୍ଣା ଓ ବରୁଣ ବଡ଼ ଭୟଙ୍କର। ସେମାନଙ୍କଠାରୁ ଜବତ ହୋଇଥିବା ଖଣ୍ଡା ସ୍ୱତନ୍ତ୍ରଭାବେ ତିଆରି। ସେଥିରେ ଭଲ ପିତଳ ମୁଠା ଲାଗିଥିବାବେଳେ ଦୁଇ ପଟ ଧାର ରହିଛି। ଏହାକୁ ବରୁଣ ବରାଦ କରି ଗଞ୍ଜାମରୁ ମଗାଇଥିବା ପୁଲିସ ଆଗରେ ମାନିଛି।

ବରୁଣର ଭାଇ ଅରୁଣ କୁଖ୍ୟାତ୍‌ ବାଇକ୍‌ ଲୁଟେରା
ପୁଲିସ ସୂଚନାନୁସାରେ ବରୁଣ ପାତ୍ରର ବଡ଼ ଭାଇ ଅରୁଣ ଜଣେ ଜଣାଶୁଣା ବାଇକ୍‌ ଲୁଟେରା। ରାଜଧାନୀର ବିଭିନ୍ନ ଥାନାରୁ ସେ ଏଭଳି ମାମଲାରେ ଗିରଫ ହୋଇଛି। ତେଣୁ ବାଇକ୍‌ ଲୁଟିବା ପରେ କେଉଁଠି କିଭଳି ବିକ୍ରି କରିହେବ, ତାହା ସେମାନେ ଅରୁଣଠାରୁ ପାଇଥିବା ଜଣାପଡ଼ିଛି। ତେବେ କ୍ରିଷ୍ଣାର ଘର ସୋନପୁର ହୋଇଥିବାରୁ ସେ ବି ବୌଦ୍ଧ ଆଦି ଅଞ୍ଚଳର କିଛି ଚୋରା ବାଇକ୍‌ ବିକ୍ରି ଏଜେଣ୍ଟଙ୍କୁ ଜାଣିଥିବା ପୁଲିସ ନିକଟରେ ମାନି ଯାଇଛି। ହନେ୍‌ର୍ଟ୍‌, ଗ୍ଲାମର୍‌ ଓ ପଲ୍‌ସର ଭଳି ସ୍ପିଡ୍‌ ବାଇକ୍‌କୁ ଚୋରା ଗଞ୍ଜେଇ ବେପାରୀମାନେ ଶସ୍ତାରେ କିଣୁଥିବା ଜଣାପଡ଼ିିଛି। ତେବେ ପୁଲିସ ଚଢ଼ଉ ବାବଦରେ ଜାଣିବା ପରେ ସେମାନେ ବଡ଼ ଚତୁରତାର ସହ କିଣିଥିବା ବାଇକ୍‌ ସବୁକୁ ଛାଡ଼ିଦିଅନ୍ତି।

ସମ୍ବନ୍ଧିତ ଖବର