ମଦ ପିଇବା ପାଇଁ ସ୍ତ୍ରୀ ଟଙ୍କା ନ ଦେବାରୁ ଦୁଇ କାନ କାଟି କାନଫୁଲ ନେଇଗଲା ସ୍ୱାମୀ
ନୋଏଡା : ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଘଟିଥିବା ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ମଦ ପିଇବା ପାଇଁ ସ୍ୱାମୀ ସ୍ତ୍ରୀର ଦୁଇ କାନ କାଟି ସ୍ତ୍ରୀ କାନରେ ପିନ୍ଧିଥିବା କାନଫୁଲ ଛଡ଼ାଇ ନେଇ ଯାଇଥିବା ସୂଚନା ମିଳିଛି । ଏହି ଘଟଣା ଘଟିବା ପରେ ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୁଲିସ । ଆଶ୍ଚର୍ଯ୍ୟ କଲା ଭଳି ଏହି ଘଟଣା ଗ୍ରେଟର ନୋଏଡାର ଦାଦରୀ ନଗରରେ ଘଟିଥିଲା । ପୀଡ଼ିତା ଏଠାରେ ରହି ଘର ଚଳାଇବା ପାଇଁ ଦୋକନ ଚଳାଉଥିବା ବେଳେ ଅଭିଯୁକ୍ତ ଆୟ ହେଉଥିବା ସବୁ ଟଙ୍କାରେ ମଦ ପିଉଥିଲେ । ପୀଡ଼ିତା ଘର ଚଳାଇବା ପାଇଁ ଯାହା ବି ଟଙ୍କା ସଞ୍ଚୟ କରୁଥିଲେ ସବୁ ଛଡ଼ାଇ ନେଉଥିଲା ଅଭିଯୁକ୍ତ ସ୍ୱାମୀ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ସବୁ ଦିନ ଭଳି ମଙ୍ଗଳବାର ଅଭିଯୁକ୍ତ ପୀଡ଼ିତାଙ୍କ ପାଖରେ ପହଞ୍ଚି ମଦ ପିଇବା ପାଇଁ ଟଙ୍କା ମାଗିଥିଲେ । ଏହା ଶୁଣି ଟଙ୍କା ନାହିଁ ବୋଲି କହି ମନା କରି ଦେଇଥିଲେ ପୀଡ଼ିତା । ଟଙ୍କା ନ ଥିବା ଶୁଣି ପୀଡ଼ିତା କାନରେ ପିନ୍ଧିଥିବା କାନ ଫୁଲ ଦେବା ପାଇଁ ଅଭିଯୁକ୍ତ ବାଧ୍ୟ କରିଥିଲେ । ଏପରି କରିବାକୁ ପୀଡ଼ିତା ଅଟକାଇବାରୁ ଅଭିଯୁକ୍ତ ପୀଡ଼ିତାଙ୍କ ଦୁଇ କାନ କାଟି କାନଫୁଲ ନେଇ ଯାଇଥିଲେ । ପୀଡ଼ିତାଙ୍କ ଅବସ୍ଥା ଦେଖି ପଡ଼ୋଶୀମାନେ ମହିଳା ପୁଲିସ ଷ୍ଟେସନ ଯାଇ ଖବର ଦେଇଥିଲେ । ପୁଲିସ ଖବର ପାଇ ପୀଡ଼ିତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିବା ସହ ଜାଞ୍ଚ କରି ଅଭିଯୁକ୍ତ ସ୍ୱାମୀକୁ କାବୁ କରି ନେଇଥିଲା ।