କ୍ରିକେଟର ହେବା ସୁଯୋଗ ନପାଇ ଆତ୍ମହତ୍ୟା କଲେ ଏମ୍‌ବିବିଏସ୍‌ ଛାତ୍ରୀ

ଡ଼େରାଡ଼ୁନ : ରବିବାର ଦିନ ଉତ୍ତରାଖଣ୍ଡର ସରକାରୀ ମେଡ଼ିକାଲ କଲେଜରେ ୨୨ ବର୍ଷିୟ ଚତୁର୍ଥ ବର୍ଷର ଜଣେ ଡ଼ାକ୍ତରୀ (ଏମବିବିଏସ) ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ସେ ତାଙ୍କର ଆତ୍ମହତ୍ୟାର କାରଣ ୧୨ ଧାଡ଼ି ବିଶିଷ୍ଟ ଏକ ପତ୍ରରେ ଉଲ୍ଲେଖ କରିଛନ୍ତି, ଯାହାକୁ ସୋମବାର ଦିନ ତାଙ୍କ ହଷ୍ଟେଲ ରୁମରୁ ଜବତ କରିଛି ପୁଲିସ।

‘ମୁଁ ବହୁତ ଥକି ଗଲିଣି । ମୁଁ କେବେ ମଧ୍ୟ ଏମ୍‌ବିବିଏସ କରିବା ପାଇଁ ଚାହୁଁ ନ ଥିଲି । ମତେ କ୍ରିକେଟ ଖେଳିବାର ଥିଲା, ’ ବୋଲି ଶିବାନୀ ବଂଶଲ ତାଙ୍କ ଶେଷ ପତ୍ରରେ ଲେଖିଛନ୍ତି ।

Zee News

ଘଟଣା ଅନୁଯାୟୀ , ଶିବାନୀ ଉତ୍ତରାଖଣ୍ଡର ଉଦାମ ସିଂ ଜିଲ୍ଲାର ଜସପୁର ଅଞ୍ଚଳର ବାସିନ୍ଦା । ହଷ୍ଟେଲରେ ରହୁଥିବା ତାଙ୍କ ସାଙ୍ଗଙ୍କ କହିବା ଅନୁଯାୟୀ , ଶିବାନୀ ଡାକ୍ତରୀ ପାଠ ନେଇ ବିଲ୍‌କୁଲ ଖୁସି ନ ଥିଲେ । ସେ ସବୁବେଳେ ତାଙ୍କର ପାଠପଢ଼ା ଏବଂ ପରୀକ୍ଷାକୁ ନେଇ ଚିନ୍ତିତ ରହୁଥିଲେ । ସେ ୧୦ ଏବଂ ୧୨ ଶ୍ରେଣୀରେ ଟପ୍ପର ଥିଲେ । ସେ ଏଠାରେ ପାଠର ଚାପକୁ ବୋଧ ହୁଏ ସହି ପାରୁ ନ ଥିଲେ । ସେ ତାଙ୍କ ସାଙ୍ଗମାନଙ୍କଠାରୁ ପଢ଼ାରେ ଗୋଟେ ବର୍ଷ ପଛରେ ଥିଲେ । ପ୍ରଥମ ବର୍ଷରେ କମ୍‌ ଉପସ୍ଥିତି ପାଇଁ ସେ ପରୀକ୍ଷା ଦେଇପାରି ନ ଥିଲେ ବୋଲି କହିଛନ୍ତି ମେଡିକାଲ୍‌ କଲେଜର ପ୍ରିନ୍ସପାଲ ।

କଲେଜ କର୍ତ୍ତୃପକ୍ଷଙ୍କ ଅନୁଯାୟୀ ସ୍ଥାନୀୟ ପୁଲିସକୁୁ ଶନିବାର ରାତିରେ ସୂଚନା ପ୍ରଦାନ କରାଯାଇଥିଲା ଯେତେବେଳେ ଶିବାନୀ ପରୀକ୍ଷା ନ ଦେଇ ନିଜକୁୁ ହଷ୍ଟେଲ କୋଠରୀ ଭିତରୁ ବନ୍ଦ କରି ଦେଇଥିଲେ । ରବିବାର ଦିନ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ କଠୋରୀର ଏକ ଛୋଟ ଝରକା ଦ୍ୱାରା ତାଙ୍କ କୋଠରୀରେ ପ୍ରବେଶ କରିବାରେ ସଫଳ ହୋଇଥିଲା । ବର୍ତ୍ତମାନ ସ୍ଥାନୀୟ ପୁଲିସ ଷ୍ଟେସନରେ ଶିବାନୀଙ୍କର ପିତା ଧାରା ୩୦୬ ଅନ୍ତର୍ଗତ ମାମଲା ରୁଜୁ କରିଛନ୍ତି । ତାଙ୍କ ଅନୁଯାୟୀ ତାଙ୍କ ଝିଅର ମୃତ୍ୟୁ ପଛରେ ନିଶ୍ଚିତ ଭାବେ ଆଉ କିଛି କଥା ରହିଛି। ତେବେ ଏହା ମେଡିକାଲ୍‌ କଲେଜର ପ୍ରଥମ ଆତ୍ମହତ୍ୟା ଘଟଣା ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର