ଗାଡ଼ି ଦେବାକୁ କହି ଠକେଇ, ଗ୍ୟାଙ୍ଗ ଠାବ, ଜଣେ ଗିରଫ

ଧଉଳି: ବଲେରୋ ଦେବାକୁ କହି ଜଣେ ଗାଡ଼ି ଚାଳକଙ୍କଠାରୁ ଅଢ଼େଇ ଲକ୍ଷ ଟଙ୍କା ଠକି ନେଇଥିବା ଏକ ଗ୍ୟାଙ୍ଗର ଜଣେ ସଦସ୍ୟକୁ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ପୁଲିସ ଆଜି ଧଉଳି ଥାନା ଅଞ୍ଚଳରୁ ଗିରଫ କରିଛି। ସେ ହେଲା, ଶ୍ୟାମସୁନ୍ଦର ଜେନା(୩୮)। ଆଜି ସଂଧ୍ୟାରେ ବଡ଼ବିଲ ଥାନାର ଦୁଇଜଣିଆ ପୁଲିସ ଟିମ ଧଉଳି ଥାନାରେ ପହଞ୍ଚିଥିଲେ। ସେମାନେ ଧଉଳି ପୁଲିସ ସହାୟତାରେ ସ୍ଥାନୀୟ ଅଞ୍ଚଳରେ ଚଢ଼ଉ କରିଥିଲେ। ତେବେ ଏହି ଘଟଣାରେ ସଂପୃକ୍ତ ଅନ୍ୟ ୭/୮ଜଣଙ୍କୁ ଗିରଫ କରିବାକୁ ପୁଲିସ ଉଦ୍ୟମ ଚଳାଇଥିବା ଜଣାଯାଇଛି। ଅଭିଯୋଗ ଅନୁଯାୟୀ, ଏହି ଗ୍ୟାଙ୍ଗ ଗତବର୍ଷ ମାର୍ଚ ୨୦ ତାରିଖରେ ମହେଶ୍ବର ମହାତୋ ନାମକ ଜଣେ ଯୁବକଙ୍କଠାରୁ ଅଢ଼େଇ ଲକ୍ଷ ଟଙ୍କା ଠକି ନେଇଥିଲେ। ଏସଆଇଏସ ନାମକ ଏକ ସିକ୍ୟୁରିଟି ସଂସ୍ଥାରେ ଗାଡ଼ି ଚାଳକ କାମ କରୁଥିବା ମହେଶ୍ୱର ଏ ସଂପର୍କରେ ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ। ବଡ଼ବିଲ ଥାନା ଏସ୍‌ଆଇ ବିବି ନାୟକଙ୍କ କହିବାନୁଯାୟୀ, ଏହି ଗ୍ୟାଙ୍ଗ ଫେକ୍‌ ୱେବସାଇଟ୍‌ ଖୋଲି ଭଲ ଅବସ୍ଥାରେ ଥିବା ଚାରିଚକିଆ ଗାଡ଼ି କମ୍‌ ଦାମ୍‌ରେ ବିକ୍ରି କରିବାକୁ ବିଜ୍ଞାପନ ଦେଇଥାନ୍ତି। ସେମାନଙ୍କ ବିଜ୍ଞାପନ ଦେଖି ପ୍ରଲୋଭନରେ ପଡ଼ୁଥିବା ବ୍ୟକ୍ତିମାନେ ଠକାମିର ଶିକାର ହୋଇଥାନ୍ତି। ଏହି ଗ୍ୟାଙ୍ଗ ପରିଚାଳନା କରୁଥିବା ମାଷ୍ଟରମାଇଣ୍ଡର ଘର ଶାନ୍ତିସ୍ତୂପ ନିକଟରେ। ଧଉଳି, ଉତ୍ତରା ଓ ଭୁବନେଶ୍ବର ସମେତ ଆଖପାଖ ସ୍ଥାନରେ ଅସ୍ଥାୟୀ ଅଫିସ ଖୋଲି ଏଭଳି କାରନାମା କରିଥାଏ। ପୂର୍ବରୁ ଧଉଳି ଥାନା ପୁଲିସ ମାଷ୍ଟରମାଇଣ୍ଡକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାତ୍ର ସେ ଜାମିନ୍‌‌ରେ ଆସି ପୁଣି ବିଭିନ୍ନ ଚାରିଚକିଆ ଗାଡ଼ି ବିକିବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକିବା ଜାରି ରଖିଛି। ଥାନାର ଜଣେ ପୁଲିସ କର୍ମଚାରୀଙ୍କୁ ବି ସେ ‌ଟାଟା ଏସି ଗାଡ଼ି ବିକ୍ରି କରିବା ଲୋଭ ଦେଖାଇ ସେ ୧ଲକ୍ଷ ୬୦ ହଜାର ଟଙ୍କା ଠକି ନେଇଛି।

ସମ୍ବନ୍ଧିତ ଖବର