ଖାଦ୍ୟର ଗୁଣବତ୍ତାକୁ ନେଇ ପ୍ରଶ୍ନ କରିବାରୁ ଗ୍ରାହକଙ୍କୁ ପିଟିଲେ ହୋଟେଲ୍‌ ମାଲିକ ଓ କର୍ମଚାରୀ

ତିରୁବନନ୍ତପୁରମ୍‌: କେରଳର ଏକ ହୋଟେଲ୍‌ ମାଲିକ ଓ ସେହି ହୋଟେଲ୍‌ର କିଛି କର୍ମଚାରୀ ମିଶି ସେନାର ଜଣେ ପୂର୍ବତନ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପଥାନାମଥିଟ୍ଟା ଜିଲ୍ଲାର ପଡିକ୍କଲ ଅଞ୍ଚଳରେ ଥିବା ଏକ ହୋଟେଲ୍‌କୁ ସେନାର ପୂର୍ବତନ ଅଧିକାରୀ ଜଣକ ଖାଇବାକୁ ଯାଇଥିଲେ। ସେଠାରେ ହୋଟେଲ୍‌ ପକ୍ଷରୁ ଦିଆଯାଇଥିବା ଖାଦ୍ୟର ଗୁଣବତ୍ତାକୁ ନେଇ ସେ ପ୍ରଶ୍ନ କରିବାରୁ ହୋଟେଲ୍‌ କର୍ମଚାରୀମାନେ ତାଙ୍କୁ ଘେରି ଯାଇଥିଲେ। ଉଭୟ ପଟରୁ ଯୁକ୍ତିତର୍କ ହେବା ଫଳରେ ଗଣ୍ଡଗୋଳ ଉପୁଜିଥିଲା। ତା’ପରେ ହୋଟେଲ୍‌ର ମାଲିକ ଓ କର୍ମଚାରୀମାନେ ମିଶି ବ୍ୟକ୍ତି ଜଣଙ୍କୁ ମାଡ଼ ମାରିଥିବା ସୂଚନା ରହିଛି।

ସଂପୃକ୍ତ ସମୟର ଦୃଶ୍ୟକୁ ଜଣେ ଦେଖଣାହାରୀ ମୋବାଇଲ୍‌ରେ ରେକର୍ଡ କରି ସୋସିଆଲ୍‌ ମିଡିଆରେ ଛାଡ଼ିବା ପରେ ଭିଡିଓଟି ଭାଇରାଲ୍‌ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ସମୁଦାୟ ୬ ଜଣ ମିଶି ବ୍ୟକ୍ତିଙ୍କୁ ମାଡ଼ ମାରୁଛନ୍ତି। ପୀଡ଼ିତ ବ୍ୟକ୍ତି ଜଣକ ଜୀବନ ବିକଳେ ବାହାରକୁ ଦଉଡ଼ି ପଳାଇ ଆସିବା ପରେ ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଗୁୁରୁତର ଅବସ୍ଥାରେ ଏକ ଡାକ୍ତରୀ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଛନ୍ତି। ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର