ପୁଣି ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ, ଯୁବକ ଗିରଫ

ପୁରୁଣା ଭୁବନେଶ୍ୱର : ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ କରିବା ଅଭିଯୋଗରେ ଏୟାରଫିଲ୍‌ଡ ଥାନା ପୁଲିସ ଶନିବାର ଜଣେ ଯୁବକକୁ ଗିରଫ କରିଛି। ସେ ହେଲା, କପିଳପ୍ରସାଦ ରାଧାରମଣ କଲୋନିର ସୀତାକାନ୍ତ ମହାପାତ୍ର (୨୮)।

ପୁଲିସ ସୂଚନା ଅନୁଯାୟୀ, ଜଟଣୀ ଅଞ୍ଚଳର ଜଣେ ଯୁବତୀଙ୍କୁ ସୀତାକାନ୍ତ ଭଲ ପାଉଥିଲା। ସେମାନେ ଗତ ୨୦୧୫ରେ କୋର୍ଟରେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ସୀତାକାନ୍ତ ଚାକିରି ପାଇଁ ହାଇଦ୍ରାବାଦ ଯାଇଥିଲେ। ଦୀର୍ଘ ଦିନ ଧରି ନ ଫେରିବାରୁ ଯୁବତୀ ଜଣଙ୍କ ସୀତାକାନ୍ତଙ୍କ ଘରକୁ ଯାଇ ଉଭୟଙ୍କ ବିବାହ କଥା ଜଣାଇଥିଲେ। କିନ୍ତୁ ପରିବାରଲୋକ ତାଙ୍କୁ ଗାଳିମନ୍ଦ କରିବାରୁ ସେ ସେଠାରୁ ଚାଲି ଆସିଥିଲେ। ଏ ସଂପର୍କରେ ସୀତାକାନ୍ତଙ୍କୁ ଜଣାଇବାରୁ ସେ ମଧ୍ୟ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଦୂରେଇ ଯିବା ପାଇଁ କହିଥିଲା। ଏହାର କିଛି ଦିନ ପରେ ତାଙ୍କୁ ବଦନାମ କରିବାକୁ ସୀତାକାନ୍ତ ସାମାଜିକ ଗଣମାଧ୍ୟମରେ ତାଙ୍କର କିଛି ଆପତ୍ତିଜନକ ଫଟୋକୁ ଭାଇରାଲ କରିଥିଲା। ଏହା ଜାଣିବା ପରେ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ।

ଯୁବକଙ୍କୁ ଆକ୍ରମଣ, ଜଣେ ଗିରଫ

ଭୁବନେଶ୍ୱର : ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ୟୁନିଟ୍‌-୩ ସ୍ଥିତ ପ୍ରେସ୍‌ କଲୋନି ଅଞ୍ଚଳର ପ୍ରତାପ ପ୍ରଧାନ।ପୁଲିସ ସୂଚନା ମୁତାବକ, ଶୁକ୍ରବାର ସକାଳ ସମୟରେ ଅକ୍ଷୟ ମହାନ୍ତି ନାମକ ଜଣେ ଯୁବକ ପ୍ରେସ୍‌ କଲୋନି ଛକରେ ଥିବା ପ୍ରତାପଙ୍କ ହୋଟେଲକୁ ଜଳଖିଆ ପାଇଁ ଆସିଥିଲେ। ଜଳଖିଆ ବାବଦକୁ ଟଙ୍କା ଦେବାକୁ ନେଇ ପ୍ରତାପ ଓ ଅକ୍ଷୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଉଭୟ ହାତାହାତି ହୋଇଥିଲେ। ପ୍ରତାପ ଉତ୍ତ୍ୟକ୍ତ ହୋଇ ଅକ୍ଷୟଙ୍କୁ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଫଳରେ ଅକ୍ଷୟ ଗୁରୁତର ଆହତ ହୋଇଥିଲେ। ଏନେଇ ଅକ୍ଷୟ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିିଲା। ଆଜି ପୁଲିସ ପ୍ରତାପକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଲୁଟ୍‌ କରି ଯୁବକ ଗିରଫ

ଚନ୍ଦ୍ରଶେଖରପୁର : ରାତିରେ ଲୋକଙ୍କ ଘରେ ପଶି ଲୁଟ୍‌ପାଟ୍‌ କରୁଥିବା ଜଣେ ଚୋରକୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି। ଲୁଟେରା ଜଣଙ୍କ ହେଲା ସିଲୁ ମହାପାତ୍ର। ସେ ପଣ୍ଡାପାର୍କ ବସ୍ତିରେ ରହୁଥିବା ବେଳେ ସେହି ଅଞ୍ଚଳରେ ରାତିରେ ବୁଲାବୁଲି କରି ଚୋରି କରୁଥିବା ସ୍ଥାନୀୟ ଲୋକ ଥାନାରେ ଅଭିଯୋଗ କରିଥିଲେ। ଗତ କିଛି ଦିନ ପୂର୍ବେ ଜଣେ ମହିଳା ତା’ ନାଁରେ ଅଭିଯୋଗ କରିଥିବା ବେଳେ ପୁଲିସ୍‌ ଲୁଟେରା ଜଣଙ୍କ ଉପରେ ନଜର ରଖିଥିଲା। ଶୁକ୍ରବାର ରାତିରେ ଶୈଳଶ୍ରୀବିହାର ଅଞ୍ଚଳରେ ସନ୍ଦେହଜନକ ଅବସ୍ଥାରେ ବୁଲାବୁଲି କରୁଥିବା ବେଳେ ପୁଲିସ ସିଲୁକୁ ଗିରଫକରି ଆଜି କୋର୍ଟ ଚାଲାଣ କରିଛି। ସିଲୁ ନାଁରେ ପୂର୍ବରୁ ମଧ୍ୟ ଲୁଟ୍‌ ଅଭିଯୋଗ ରହିଛି ବୋଲି ପୁଲିସ୍‌ କହିଛି।

ସମ୍ବନ୍ଧିତ ଖବର